ଦେଶ- ବିଦେଶ ବିଶିଷ୍ଟ ଭୌତିକ ବିଜ୍ଞାନୀଙ୍କ ସୂଚନା: ପୃଥିବୀ ପାଲଟିବ ଅଗ୍ନି ପିଣ୍ଡୁଳା! 07 Nov 2017 21:00 IST Sambad Digital Follow Us ବେଜିଂ: ବିଟ୍ରେନର ଭୌତିକ ବିଜ୍ଞାନୀ ଷ୍ଟିଫେନ୍ ହକିଙ୍ଗ୍ ପୁଣି ଏକ ଚାଞ୍ଚଲ୍ୟକର ଭବିଷ୍ୟବାଣୀ ଶୁଣାଇଛନ୍ତି। ସେ କହିଛନ୍ତି କି ଜନସଂଖ୍ୟା ବୃଦ୍ଧି ଏବଂ ଶକ୍ତିର ବହୁଳ ବ୍ୟବହାର ହେତୁ ପୃଥିବୀ ଦିନକୁ ଦିନ ବିନାଶଆଡ଼କୁ ଗତି କରୁଛି। ଷ୍ଟିଫେନ୍ଙ୍କ କହିବା ଅନୁଯାୟୀ ୬୦୦ ବର୍ଷ ମଧ୍ୟରେ ପୃଥିବୀ ଏକ ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇଯିବ। ୨୬୦୦ ମସିହାରେ ପୃଥିବୀ ପୃଷ୍ଠରେ ଜନଜୀବନ ତିଷ୍ଠିି ରହିବା ଉପରେ ମତ ଦେଇ ସେ କହିଛନ୍ତି କି ମଣିଷମାନେ ଶେଷରେ ଏପରି ଏକ ସ୍ଥାନକୁ ଯିବେ ଯେଉଁଠାକୁ ପୂର୍ବରୁ କେବେ ଯାଇନାହାନ୍ତି। ବେଜିଂରେ ହୋଇଥିବା ଡବ୍ଲ୍ୟୁଇ ସମ୍ମିଳନୀରେ ଷ୍ଟିଫେନ୍ ଏକ ଭିଡିଓ ଜରିଆରେ ନିଜର ଗବେଷଣାରୁ ମିଳିଥିବା ଭବିଷ୍ୟତ ସଂପର୍କିତ ସମ୍ଭାବନା ବିଷୟରେ ସୂଚୀତ କରିଛନ୍ତି। ସେ ଭବିଷ୍ୟତକୁ ନେଇ ଚିନ୍ତାଶୀଳ ହୋଇ ପରାମର୍ଶ ଦେଇ କହିଛନ୍ତି ଯେ ସୌରମଣ୍ଡଳ ବାହାରେ ଥିବା ନିକଟତର ନକ୍ଷତ୍ରକୁ ଯାତ୍ରା ନେଇ ସେ ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହାକୁ ନିବେଶକମାନେ ସମର୍ଥନ କରିବାକୁ ସେ ଆହ୍ଵାନ ଜଣାଇଛନ୍ତି। ଏକ ବସବାସ ଯୋଗ୍ୟ ଗ୍ରହର ସନ୍ଧାନ କରିବା ନେଇ ଏପରି ଏକ ଯୋଜନା ଆରମ୍ଭ ହୋଇଛି। ‘ଆଲ୍ଫା ସେଣ୍ଟାଉରି’ ହେଉଛି ସୌରମଣ୍ଡଳର ଏକ ନିକଟତର ନକ୍ଷତ୍ର। ଏହା ସୌରମଣ୍ଡଳରୁ ୪ ବିଲିୟନ୍ ଆଲୋକ ବର୍ଷ ଦୂରତାରେ ଅବସ୍ଥାପିତ। ବୈଜ୍ଞାନିକମାନେ ଆଶା ରଖିଛନ୍ତି ଯେ ପୃଥିବୀ ପରି ହୁଏତ ଏହି ନକ୍ଷତ୍ରରେ ବସବାସ ଉପଯୋଗୀ ଗ୍ରହର ସନ୍ଧାନ ମିଳିପାରେ। ଦୁଇ ଦଶନ୍ଧି ମଧ୍ୟରେ ଏହି ପ୍ରଣାଳୀ ଆରମ୍ଭ କରିବାର ଉଦ୍ୟମ କରି ବିଜ୍ଞାନୀ ଷ୍ଟିଫେନ୍ ଏକ ଛୋଟ ବିମାନ ସୃଷ୍ଟି କରିବା ପାଇଁ ଚିନ୍ତା କରିଛନ୍ତି। ଏହି ବିମାନଟି ଆଲୋକର ବେଗ ପରି ଗତି କରିବ ବୋଲି ସେ ଆଶାୟୀ। ଷ୍ଟିପେନ୍ଙ୍କ ହିସାବ ଅନୁଯାୟୀ ଏହି ଯାନ ମଙ୍ଗଳରେ ପହଞ୍ଚିବା ପାଇଁ ପାଖାପାଖିି ୧ ଘଣ୍ଟା, ପ୍ଲୁଟୋରେ ପହଞ୍ଚିବା ପାଇଁ ୧ ଦିନ ଏବଂ ଆଲ୍ଫା ସେଣ୍ଟାଉରିରେ ପହଞ୍ଚିବା ପାଇଁ ୨୦ ବର୍ଷ ସମୟ ନେବ।