ଯୋଗୀ, ମାୟାଙ୍କୁ ଛାଟ : ମହଙ୍ଗା ପଡ଼ିଲା ସାଂପ୍ରଦାୟିକ ମନ୍ତବ୍ୟ, କମିସନ ଲଗାଇଲେ ପ୍ରଚାର କଟକଣା

Advertisment

ଆଜମ ଖାଁ, ମେନକା ବି ଦଣ୍ଡିତ

ଆଜମ ଖାଁ, ମେନକା ବି ଦଣ୍ଡିତ

ଯୋଗୀ, ମାୟାଙ୍କୁ ଛାଟ : ମହଙ୍ଗା ପଡ଼ିଲା ସାଂପ୍ରଦାୟିକ ମନ୍ତବ୍ୟ, କମିସନ ଲଗାଇଲେ ପ୍ରଚାର କଟକଣା

ନୂଆଦିଲ୍ଲୀ : ସୁପ୍ରିମ କୋର୍ଟ କ୍ଷୋଭ ପ୍ରକାଶ କରିବା ପରେ ଶେଷରେ ନିର୍ବାଚନ କମିସନ ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ‌ଯୋଗୀ ଆଦିତ୍ୟନାଥ ଏବଂ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିର୍ବାଚନ ପ୍ରଚାର ବେଳେ ସାଂପ୍ରଦାୟିକ ମନ୍ତବ୍ୟ ଦେଇଥିବାରୁ ସେମାନଙ୍କ ଉପରେ ପ୍ରଚାର କଟକଣା ଜାରି କରାଯାଇଛି। ଯୋଗୀ ୭୨ ଘଣ୍ଟା ଏବଂ ମାୟାବତୀ ୪୮ ଘଣ୍ଟା ପର୍ଯ୍ୟନ୍ତ କୌଣସି ପ୍ରକାର ପ୍ରଚାର କାର୍ଯ୍ୟରେ ସାମିଲ ହୋଇପାରିବେ ନାହିଁ ବୋଲି କମିସନ ନିର୍ଦେଶ ଦେଇଛନ୍ତି।

ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତାକାଲି ସକାଳ ୬ ଟା ତଥା ଏପ୍ରିଲ ୧୬ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଲାଗୁ ହେବ। ଏହି ସମୟ ମଧ୍ୟରେ ଯୋଗୀ କୌଣସି ପ୍ରକାର ପ୍ରଚାର କାର୍ଯ୍ୟକ୍ରମ ଯଥା ରୢାଲି, ରୋଡ୍‌ସୋ, ସାକ୍ଷାତକାର, ଗଣମାଧ୍ୟମରେ ନିଜର ମତ ରଖିପାରିବେନି କି ସୋସିଆଲ ମିଡିଆରେ ମଧ୍ୟ କୌଣସି ପ୍ରଚାର କାର୍ଯ୍ୟରେ ସାମିଲ ହୋଇପାରିବେ ନାହିଁ। ଏପ୍ରିଲ୍‌ ୧୯ ସକାଳ ୬ଟା ପର୍ଯ୍ୟନ୍ତ ନିର୍ବାଚନୀ ପ୍ରଚାରରୁ ଦୂରେଇ ରହିବେ। ସେହିପରି ମାୟାବତୀଙ୍କୁ ମଧ୍ୟ ଆସନ୍ତାକାଲି ସକାଳ ୬ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ନିର୍ବାଚନୀ ପ୍ରଚାରରୁ ବାରଣ କରାଯାଇଛି।

ଯୋଗୀ ଦୁଇଥର ବିବାଦୀୟ ବୟାନ ଦେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ମାୟାବତୀଙ୍କ ତୁଳନାରେ ତାଙ୍କ କ୍ଷେତ୍ରରେ ଦଣ୍ଡ ଅଧିକ କଠୋର ହୋଇଛି।

ଉଲ୍ଲେଖଯୋଗ୍ୟ ଗତ ଏପ୍ରିଲ ୯ ତାରିଖରେ ଯୋଗୀ ମିରଟ୍‌ରେ ଏକ ନିର୍ବାଚନୀ ପ୍ରଚାରରେ ଦେଇଥିବା ‘ଅଲି-ବଜରଙ୍ଗବଲି’ ଟିପ୍ପଣୀ ଏବଂ ‘ଗ୍ରିନ୍‌ ଭାଇରସ୍‌’ ଟିପ୍ପଣୀ ପାଇଁ ଇସି ତାଙ୍କୁ କଡ଼ା ନିନ୍ଦା କରିଛନ୍ତି। ସେହିପରି ମାୟାବତୀ ଗତ ୭ ତାରିଖରେ ଉତ୍ତରପ୍ରଦେଶର ଶାହରନପୁର ସ୍ଥିତ ଦେଓବନ୍ଦରେ କରିଥିବା ଏକ ନିର୍ବାଚନୀ ରୢାଲିରେ ମୁସଲିମ ମାନଙ୍କୁ ସପା-ବସପା ମେଣ୍ଟକୁ ଭୋଟ୍‌ ଦେବାକୁ ଅନୁରୋଧ କରିବା ବିଷୟକୁ ମଧ୍ୟ ଇସି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଉଭୟ ନେତାଙ୍କୁ କମିସନ ଅନ୍ୟ ଏକ ନୋଟିସ୍‌ କରି ଭବିଷ୍ୟତରେ ଏଭଳି ବୟାନ ଦେବାକୁ ବାରଣ କରିଛନ୍ତି।
ସୂଚନାଯୋଗ୍ୟ ଏହାପୂର୍ବରୁ ମଧ୍ୟ ଯୋଗୀ ଭାରତୀୟ ସେନାକୁ ମୋଦୀ ସେନା କହି ବିବାଦୀୟ ହୋଇପଡ଼ିଥିଲେ। ଏଥିପାଇଁ କମିସନ ତାଙ୍କୁ ନୋଟିସ ଦେବା ସହ ତାଗିଦ କରିଥିଲା। ଏହାପରେ ମଧ୍ୟ ସେ ସାଂପ୍ରଦାୟିକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଆଜି ସୁପ୍ରିମ କୋର୍ଟ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ।

ଇତିମଧ୍ୟରେ ଆଉ ଦୁଇ ଜଣ ବରିଷ୍ଠ ନେତାଙ୍କ ଉପରେ ପ୍ରଚାର କଟକଣା ଜାରି କରିଛନ୍ତି ନିର୍ବାଚନ କମିସନ। ଜୟପ୍ରଦାଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଆଜମଙ୍କୁ ୩ଦିନ ପାଇଁ ପ୍ରଚାର କଟକଣା ଜାରି କରାଯାଇଥିବା ବେ‌େଳ ସାଂପ୍ରଦାୟିକ ମନ୍ତବ୍ୟ ପାଇଁ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ୨ ଦିନ ପାଇଁ ଦଣ୍ଡିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe