ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଏବେ ବିଧାନସଭା ନିର୍ବାଚନ ସମୟରେ ବିଜେପି-କଂଗ୍ରେସ ପରସ୍ପର ବିରୋଧରେ ନିର୍ବାଚନ କମିସନ(ଇସି)ଙ୍କ ଦ୍ବାରସ୍ଥ ହୋଇଛନ୍ତି । ଉଭୟ ଦଳର ଅଭିଯୋଗକୁ କମିସନ ଗୁରୁତ୍ୱ ଦେଇ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନୋଟିସ୍ କରି ଅଭିଯୋଗ ଉପରେ ଜବାବ ଲୋଡ଼ିଛନ୍ତି। ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ ପାଇଁ ପ୍ରଚାର ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ବେଳେ କଂଗ୍ରେସର ଷ୍ଟାର ପ୍ରଚାରକମାନେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ନଭେମ୍ବର ୧୧ ତାରିଖରେ ବିଜେପି ପକ୍ଷରୁ ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ନିର୍ବାଚନ ଆୟୋଗ ଖଡ଼ଗେଙ୍କୁ ଜବାବ ମାଗିଛନ୍ତି। ସେହିପରି ନଭେମ୍ବର ୧୩ ତାରିଖରେ ନିର୍ବାଚନ ପ୍ରଚାର ସମୟରେ ବିଜେପିର ଷ୍ଟାର ପ୍ରଚାରକଙ୍କ ଦ୍ୱାରା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ କଂଗ୍ରେସର ଅଭିଯୋଗ ଆଧାରରେ ବିଜେପି ସଭାପତି ନଡ୍ଡାଙ୍କୁ ନୋଟିସ୍ କରାଯାଇଛି।
ସୋମବାର ଅପରାହ୍ନ ୧ଟା ସୁଦ୍ଧା ଆନୁଷ୍ଠାନିକ ଜବାବ ଦାଖଲ କରିବାକୁ ଉଭୟ ଦଳର ମୁଖ୍ୟଙ୍କୁ କୁହାଯାଇଛି। ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ହେବାକୁ ଥିବା ମହାରାଷ୍ଟ୍ରରେ ସମ୍ବିଧାନ ବିଷୟରେ ମିଥ୍ୟା ବୟାନ ଦେଇଥିବା ଏବଂ ରାଜ୍ୟରେ ମତଭେଦ ସୃଷ୍ଟି କରିବାକୁ ମିଛ କହୁଥିବା ଅଭିଯୋଗ କରି ବିଜେପି ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଥିଲା। ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିସନରଙ୍କୁ ଭେଟି ଏ ବାବଦ ଅଭିଯୋଗ ଏବଂ ଏ ସଂକ୍ରାନ୍ତ ପ୍ରମାଣ ରଖିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଦୁଇଟି ଅଭିଯୋଗ ଦାଖଲ କରିଛି। ସେଥିରୁ ଗୋଟିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏବଂ ଅନ୍ୟଟି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ। ଉଭୟ ନେତା ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ‘ମିଥ୍ୟା, ବିଭାଜନକାରୀ’ ଭାଷଣ ଦେଇଥିବା କଂଗ୍ରେସ ଅଭିଯୋଗ କରିଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୨୦ରେ ହେବ। ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ନଭେମ୍ବର ୨୩ରେ ଉଭୟ ରାଜ୍ୟର ଭୋଟ ଗଣତି ହେବ।
Follow Us