Image Courtesy of India Today
ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏଡ଼ପ୍ପାଦୀ ପଲାନୀସ୍ୱାମୀ ଏବଂ ତାଙ୍କ ମାଆଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେଇଥିବା ବରିଷ୍ଠ ‘ଡିଏମ୍କେ’ ନେତା ଏ. ରାଜାଙ୍କୁ ‘ଭାରତର ନିର୍ବାଚନ କମିସନ୍’ ଗତରାତିରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।
ଆଜି ଅର୍ଥାତ୍ ମାର୍ଚ ୩୧ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ସେ ଦେଇଥିବା ମନ୍ତବ୍ୟର ଅର୍ଥ ବୁଝାଇ ଦେବା ଲାଗି ନିର୍ବାଚନ କମିସନ୍ ଏ. ରାଜାଙ୍କୁ କହିଛନ୍ତି। ତା’ ନ ହେଲେ ବିନା କୌଣସି ସୂଚନାରେ ‘ନିର୍ବାଚନ କମିସନ୍’ ତାଙ୍କ ବିପକ୍ଷରେ ନିଷ୍ପତ୍ତି ଗ୍ରହଣ କରିବ।
ଗଣମାଧ୍ୟମ ରିପୋର୍ଟକୁ ଭିତ୍ତିକରି ଏ ରାଜାଙ୍କ ପାଖକୁ ପଠାଯାଇଥିବା କାରଣ ଦର୍ଶାଅ ନୋଟିସ୍ରେ ନିର୍ବାଚନ କମିସନ୍ କହିଛନ୍ତି ଯେ, ଭାଷଣରେ ଆପଣ ଦେଇଥିବା ମନ୍ତବ୍ୟ କେବଳ ଅସମ୍ମାନଜନକ ନୁହେଁ, ବରଂ ମହିଳାଙ୍କ ମାତୃତ୍ୱର ମର୍ଯ୍ୟାଦାକୁ କୁତ୍ସିତ ଓ ଅପମାନିତ କରୁଛି। ଏହା ‘ଆଦର୍ଶ ଆଚରଣ ବିଧି’ ଉଲ୍ଲଂଘନ କରିବା ଭଳି ମନେହେଉଛି।
Image Courtesy of NDTVଏଠାରେ ସ୍ମରଣ କରାଇ ଦିଆଯାଇ ପାରେ, ‘ଡିଏମ୍କେ’ ମୁଖ୍ୟ ଏମ୍.କେ. ଷ୍ଟାଲିନ୍ ଏବଂ ମୁଖ୍ୟମନ୍ତ୍ରୀ ଇ. ପଲାନୀସ୍ୱାମୀଙ୍କ ନେତୃତ୍ୱକୁ ତୁଳନା କରିବାକୁ ଯାଇ ଏ. ରାଜା କୁଆଡ଼େ କହିଥିଲେ ଯେ, ଷ୍ଟାଲିନ୍ଙ୍କ ରାଜନୈତିକ କ୍ୟାରିୟର୍ ହେଉଛି ‘ପୂର୍ଣ୍ଣ ପରିପକ୍ୱତା ଲାଭ କରି ଜନ୍ମିଥିବା ବୈଧ ଶିଶୁଟିଏ’ ପରି। କିନ୍ତୁ, ‘ଇପିଏସ୍’ ହେଉଛନ୍ତି ‘ଅବୈଧ ସମ୍ପର୍କରୁ ଜାତ ଅପରିପକ୍ୱ ଶିଶୁଟିଏ’ ପରି।
ନିଜେ ଦେଇଥିବା ମନ୍ତବ୍ୟ ସଂକ୍ରାନ୍ତରେ ସୋମବାର ଦିନ ଏ. ରାଜା କ୍ଷମାପ୍ରାର୍ଥନା କରିଥିଲେ। କିନ୍ତୁ, ପଲାନୀସ୍ୱାମୀଙ୍କ ଦଳ ‘ଏଆଇଏଡିଏମ୍କେ’ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛି।
ସୋମବାର ଦିନ ତାମିଲ୍ନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ସତ୍ୟବ୍ରତ ସାହୁ କହିଥିଲେ ଯେ, କାର୍ଯ୍ୟାନୁଷ୍ଠାନ ଲାଗି ପଲାନୀସ୍ୱାମୀଙ୍କ ବ୍ୟକ୍ତିଗତ ପ୍ରସଙ୍ଗରେ ଏ. ରାଜା କରିଥିବା ସମାଲୋଚନା ସମ୍ବନ୍ଧୀୟ ଏକ ସବିଶେଷ ରିପୋର୍ଟ ସେ ‘ଭାରତର ନିର୍ବାଚନ କମିସନ୍’କୁ ପଠାଇଛନ୍ତି।
Follow Us