ନୂଆଦିଲ୍ଲୀ: ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍) ଏବେ ବିଭିନ୍ନ ରାଜ୍ୟରେ ତ୍ବରାନ୍ବିତ ହୋଇଥିବା ବେଳେ ବୁଥ୍ସ୍ତରୀୟ ଅଧିକାରୀ (ବିଏଲ୍ଓ)ଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିର୍ବାଚନ କମିସନଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ଏସ୍ଆଇଆର୍ ନାମରେ ସାରା ଦେଶରେ ବିଶୃଙ୍ଖଳା ଦେଖାଦେଇଛି। ତିନି ସପ୍ତାହ ମଧ୍ୟରେ ୧୬ ଜଣ ବିଏଲ୍ଓ ପ୍ରାଣ ହରାଇଲେଣି। ହୃଦଘାତ, ଚାପ ଓ ଆତ୍ମହତ୍ୟା ସବୁ ରାଜ୍ୟରେ ଦେଖିବାକୁ ମିଳିଛି। ଏସ୍ଆଇଆର୍ ମାଧ୍ୟମରେ କୌଣସି ଉନ୍ନତି ନାହିଁ, ଏହା କେବଳ ଅଚ୍ୟାଚାର ବୋଲି ଗାନ୍ଧୀ କହିଛନ୍ତି।
ଏ ନେଇ ସେ ଏକ୍ସରେ ଲେଖିଛନ୍ତି, ‘ନିର୍ବାଚନ କମିସନ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରିଛନ୍ତି ଯେଉଁଥିରେ ନାଗରିକମାନଙ୍କୁ ନିଜକୁ ଖୋଜିବା ପାଇଁ ୨୨ ବର୍ଷ ପୁରୁଣା ଭୋଟର ତାଲିକାର ହଜାର ହଜାର ପୃଷ୍ଠା ଓଲଟାଇବାକୁ ପଡିବ। ଭୋଟ୍ ଚୋରି ଉଦ୍ଦେଶ୍ୟରେ ଏହା କରାଯାଉଥିବା ସ୍ପଷ୍ଟ । ଭାରତ ବିଶ୍ୱ ପାଇଁ ଅତ୍ୟାଧୁନିକ ସଫ୍ଟୱେର ତିଆରି କରେ, କିନ୍ତୁ ଭାରତର ନିର୍ବାଚନ ଆୟୋଗ ଏବେ ମଧ୍ୟ କାଗଜପତ୍ରର ଏକ ଜଙ୍ଗଲ ସୃଷ୍ଟି କରିବାକୁ ଜିଦ୍ ଧରିଛନ୍ତି। ଯଦି ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଥାନ୍ତା, ତେବେ ତାଲିକା ଡିଜିଟାଲ୍, ସନ୍ଧାନଯୋଗ୍ୟ ଏବଂ ମେସିନ୍ ପଠନଯୋଗ୍ୟ ହୋଇଥାନ୍ତା। ନିର୍ବାଚନ ଆୟୋଗ ୩୦ ଦିନର ତରବରିଆ କାମକୁ ଆଖିବୁଜା ଠେଲି ଦେବା ପରିବର୍ତ୍ତେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଉପରେ ଧ୍ୟାନ ଦେବା ପାଇଁ ଏକ ଯୁକ୍ତିଯୁକ୍ତ ସମୟ ନେବା ଉଚିତ ଥିଲା।’
ରାହୁଲ ଗାନ୍ଧୀ କହିଛନ୍ତି, ଏସ୍ଆଇଆର୍ ଏକ ସୁଚିନ୍ତିତ ଷଡ୍ଯନ୍ତ୍ର, ଯେଉଁଠାରେ ନାଗରିକମାନଙ୍କୁ ହଇରାଣ କରାଯାଉଛି ଏବଂ ବିଏଲ୍ଓଙ୍କୁ ଅନାବଶ୍ୟକ ଚାପ ଦ୍ୱାରା ମୃତ୍ୟୁ ମୁହଁକୁ ଠେଲି ଦିଆଯାଉଛି। ଏହା କ୍ଷମତାର ସୁରକ୍ଷା ପାଇଁ ଗଣତନ୍ତ୍ରର ବଳିଦାନ। ରାହୁଲ ଗାନ୍ଧୀ ତାଙ୍କ ପୋଷ୍ଟରେ ଏକ ମିଡିଆ ରିପୋର୍ଟ ମଧ୍ୟ ସଂଲଗ୍ନ କରିଛନ୍ତି, ଯେଉଁଥିରେ ଦାବି କରାଯାଇଛି ଯେ ଆତ୍ମହତ୍ୟା, ହୃଦଘାତ ଆଦି ସମେତ ୧୯ ଦିନ ମଧ୍ୟରେ ୬ଟି ରାଜ୍ୟରେ ୧୬ ଜଣ ବିଏଲ୍ଓ ପ୍ରାଣ ହରାଇଛନ୍ତି।
ବିଏଲ୍ଓଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ଆଜି ବିଜେପିକୁ ମଧ୍ୟ ଟାର୍ଗେଟ କରିଛି। ଅତ୍ୟଧିକ କାର୍ଯ୍ୟଭାର ବିଏଲ୍ଓ ଏବଂ ପୋଲିଂ ଅଫିସରଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛି ବୋଲି ଦଳ କହିଛି। କଂଗ୍ରେସ ଦାବି କରିଛି ଯେ ଏସ୍ଆଇଆର୍ ସବୁ ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି। ଦଳ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ବିଜେପିର ‘ଭୋଟ୍ ଚୋରି’ ବର୍ତ୍ତମାନ ମାରାତ୍ମକ ରୂପ ନେଇଛି।
Follow Us