ନିର୍ବାଚନୀ ସ୍ବଚ୍ଛତା: ୨,୦୦୦ ଟଙ୍କାରୁ ଅଧିକ ସମସ୍ତ ଖର୍ଚ୍ଚ ଲାଗି ଡିଜିଟାଲ୍‌ କାରବାର କିମ୍ବା ଆକାଉଣ୍ଟ ପେଇ ଚେକ୍‌ ବ୍ୟବହାର ବାଧ୍ୟତାମୂଳକ ହେଉ

ନିୟମ ପ୍ରଣୟନ ପ୍ରସ୍ତାବ ଦେଇ ଆଇନ ମନ୍ତ୍ରାଳୟକୁ ଲେଖିଲେ ପତ୍ର

ନିର୍ବାଚନୀ ସ୍ବଚ୍ଛତା: ୨,୦୦୦ ଟଙ୍କାରୁ ଅଧିକ ସମସ୍ତ ଖର୍ଚ୍ଚ ଲାଗି ଡିଜିଟାଲ୍‌ କାରବାର କିମ୍ବା ଆକାଉଣ୍ଟ ପେଇ ଚେକ୍‌ ବ୍ୟବହାର ବାଧ୍ୟତାମୂଳକ ହେଉ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ (ଇସି) ଅଜ୍ଞାତ ରାଜନୈତିକ ଦାନକୁ ୨୦,୦୦୦ ରୁ ୨,୦୦୦ ଟଙ୍କାକୁ ହ୍ରାସ କରିବା ଏବଂ ନଗଦ ଦାନକୁ ୨୦ ପ୍ରତିଶତ କିମ୍ବା ସର୍ବାଧିକ ୨୦ କୋଟି ଟଙ୍କା ମଧ୍ୟରେ ସୀମିତ (କ୍ୟାପ୍‌) କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କୁ ଏକ ଚିଠି ଲେଖି ଜନପ୍ରତିନିଧି (ଆରପି) ଆଇନରେ ଅନେକ ସଂଶୋଧନ ପାଇଁ ସୁପାରିଶ କରିଛନ୍ତି ବୋଲି ସରକାରଙ୍କ ସୂତ୍ରରୁ ପ୍ରକାଶ।

ସେହିପରି ସେହିପରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଦ୍ୱାରା କରାଯାଇଥିବା ଖର୍ଚ୍ଚରେ ସ୍ୱଚ୍ଛତା ଆଣିବା ଏବଂ ଏହି ଖର୍ଚ୍ଚରେ ଚଞ୍ଚକତା ଦୂର କରିବା ପାଇଁ ଇସି କହିିଛନ୍ତି ଯେ ନିର୍ବାଚନରେ ୨,୦୦୦ ଟଙ୍କାରୁ ଅଧିକ ସମସ୍ତ ଖର୍ଚ୍ଚ ପାଇଁ ଡିଜିଟାଲ୍‌ କାରବାର କିମ୍ବା ଆକାଉଣ୍ଟ ପେଇ ଚେକ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରାଯିବା ଉଚିତ୍‌। ବର୍ତ୍ତମାନ ପର୍ଯ୍ୟନ୍ତ, ମତଦାନ ଖର୍ଚ୍ଚ ପାଇଁ ଏକ ପୃଥକ ବ୍ୟାଙ୍କ ଆକାଉଣ୍ଟ ରଖିବା ବଳବତ୍ତର ରହିଛି। କିନ୍ତୁ ଇସି ଚାହୁଛନ୍ତି ଯେ ଏହା ନିର୍ବାଚନ ନିୟମ ଏବଂ ଆଚରଣର ଏକ ଅଂଶ ହେଉ। ଇସି ଏହା ମଧ୍ୟ ଚାହାନ୍ତି ଯେ ପ୍ରତ୍ୟେକ ପ୍ରାର୍ଥୀ ନିର୍ବାଚନ ଉଦ୍ଦେଶ୍ୟରେ ଏକ ପୃଥକ ବ୍ୟାଙ୍କ ଆକାଉଣ୍ଟ ଖୋଲନ୍ତୁ ଏବଂ ଏହି ଆକାଉଣ୍ଟ ମାଧ୍ୟମରେ ସମସ୍ତ ଖର୍ଚ୍ଚ ଏବଂ ରସିଦ, ଏବଂ ନିର୍ବାଚନ ଖର୍ଚ୍ଚର ବିବରଣୀ ପ୍ରଦାନ କରନ୍ତୁ।

ଏହି ପ୍ରସ୍ତାବଗୁଡ଼ିକ ମଧ୍ୟରେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ପ୍ରାପ୍ତ ଦାନରେ ସଂସ୍କାର ଏବଂ ସ୍ୱଚ୍ଛତା ଆଣିବା ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ଦ୍ୱାରା ହେଉଥିବା ଖର୍ଚ୍ଚକୁ ମଧ୍ୟ ସଂଶୋଧନର ଅନ୍ତର୍ଭୁକ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ସୂତ୍ରରୁ ଜଣାପଡ଼ିଛି।

ଏହି ପଦକ୍ଷେପ ନିକଟରେ ୨୮୪ଟି ଡିଫଲ୍‌ଟ ଏବଂ ଅଣ-ଅନୁପାଳନକାରୀ ପଞ୍ଜୀକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (ଆରୟୁପିପି)କୁ ଅଣତାଲିକାଭୁକ୍ତ କରିବା ପୃଷ୍ଠଭୂମିରେ ଆସିଛି। ଏମାନଙ୍କ ମଧ୍ୟରୁ ୨୫୩ରୁ ଅଧିକଙ୍କୁ ଇସି ନିଷ୍କ୍ରିୟ ଘୋଷଣା କରିଛନ୍ତି। ଟିକସ ଫାଙ୍କିବା ଅଭିଯୋଗରେ ସମଗ୍ର ଦେଶରେ ଏହିପରି ଅନେକ ସଂସ୍ଥା ଉପରେ ଆୟକର ବିଭାଗ ନିକଟରେ ଏକ ଚଢାଉ କରିଥିଲା। ଚଢ଼ାଉ ପରେ ଆୟକର ବିଭାଗ ଓ ପ୍ରତ୍ୟକ୍ଷ କର (ସିବିଡିଟି) ଇସିଙ୍କୁ ନିଜର ରିପୋର୍ଟ ପ୍ରଦାନ କଲାପରେ ଇସିଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି।

ନୂତନ ପ୍ରସ୍ତାବ ଅନୁଯାୟୀ, ରାଜନୈତିକ ଦଳଗୁଡ଼ିକୁ ଦିଆଯାଇଥିବା ନଗଦ ଦାନ ପାଇଁ  ସୀମାକୁ ୨୦,୦୦୦ ଟଙ୍କାରୁ ୨,୦୦୦ ଟଙ୍କାକୁ ହ୍ରାସ କରିବାକୁ ଇସି ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଲାଗୁଥିବା ନିୟମ ଅନୁଯାୟୀ, ରାଜନୈତିକ ଦଳଗୁଡ଼ିକୁ ଇସିଙ୍କ ନିକଟରେ ଦାଖଲ କରୁଥିବା ସେମାନଙ୍କର ଅନୁଦାନ ବାବଦ ରିପୋର୍ଟରେ ୨୦,୦୦୦ ଟଙ୍କାରୁ ଅଧିକ ସମସ୍ତ ଦାନ ପ୍ରକାଶ କରିବାକୁ ପଡିବ। ସୂତ୍ରରୁ ପ୍ରକାଶ ଯେ ଯଦି ଇସିଙ୍କ ପ୍ରସ୍ତାବକୁ ଆଇନ ମନ୍ତ୍ରାଳୟ ଅନୁମୋଦନ କରେ, ତେବେ ଅନୁଦାନ ରିପୋର୍ଟରେ ୨,୦୦୦ ଟଙ୍କାରୁ ଅଧିକ ସମସ୍ତ ଦାନ ରିପୋର୍ଟ କରାଯିବ; ଯାହା ଦ୍ୱାରା ସ୍ୱଚ୍ଛତା ବୃଦ୍ଧି ପାଇବ।

publive-image (Photo Credits: PTI)

ଆୟୋଗ ଜାଣିବାକୁ ପାଇଛନ୍ତି ଯେ କେତେକ ରାଜନୈତିକ ଦଳ ଦ୍ୱାରା ରିପୋର୍ଟ କରାଯାଇଥିବା ଦାନ ଶୂନ୍ୟ ଥିବାବେଳେ ସେମାନଙ୍କର ଅଡିଟ୍‌ ହୋଇଥିବା ଆକାଉଣ୍ଟ ରିପୋର୍ଟରେ ବିପୁଳ ପରିମାଣର ରସିଦ ଦେଖାଯାଇଛି, ଯାହା ନଗଦରେ ବଡ଼ ଧରଣର କାରବାର ପ୍ରମାଣ କରୁଛି ଏବଂ ଯାହା ୨୦,୦୦୦ ଟଙ୍କା ସୀମା ସୀମାଠାରୁ କମ୍‌। ଏହି ପରିପ୍ରେକ୍ଷୀରେ ଇସି ନଗଦ ଦାନ ଉପରେ ପ୍ରତିବନ୍ଧକ ଲଗାଇବା ଉଦ୍ଦେଶ୍ୟରେ ଏକ ଦଳ ଦ୍ୱାରା ପ୍ରାପ୍ତ ମୋଟ ପାଣ୍ଠି ମଧ୍ୟରୁ ୨୦ ପ୍ରତିଶତ କିମ୍ବା ସର୍ବାଧିକ ୨୦ କୋଟି ଟଙ୍କା, ଯାହା କମ୍‌ ହେଉଥିବ।

ଆରପି ଆକ୍ଟ ଏବଂ ବିଦେଶୀ ଅନୁଦାନ ନିୟମାବଳୀ ଆଇନ (ଏଫସିଆରଏ), ୨୦୧୦ ଅନୁଯାୟୀ ନିର୍ଦ୍ଧାରିତ ଦଳଗୁଡିକର ପାଣ୍ଠିରେ କୌଣସି ବିଦେଶୀ ଦାନ ନଥିବା ସୁନିଶ୍ଚିତ କରିବା ପାଇଁ ମଧ୍ୟ ଇସି ଦେଇଥିବା ପ୍ରସ୍ତାବରେ କହିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ବର୍ତ୍ତମାନ, ପ୍ରାରମ୍ଭିକ ପର୍ଯ୍ୟାୟରେ ବିଦେଶୀ ଦାନକୁ ନିର୍ଦ୍ଦିିଷ୍ଟ ଭାବରେ ପୃଥକ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ତେଣୁ ନିଷେଧ ବିଦେଶୀ ଦାନକୁ ଚିହ୍ନଟ ଏବଂ ରୋକିବା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଆଣିବା ପାଇଁ ଆୟୋଗ ବିଭିନ୍ନ ହିତାଧିକାରୀ ମନ୍ତ୍ରାଳୟ ମଧ୍ୟରେ ଏହି ବିଷୟ ଉପରେ ବ୍ୟାପକ ଆଲୋଚନା କରିବାକୁ ଚେଷ୍ଟା କରୁଛନ୍ତି। କାରଣ, ଏବେ ନିର୍ବାଚନରେ ବୈଦେଶିକ ମୁଦ୍ରା ନିୟମାବଳୀର ଉଲ୍ଲଂଘନ ହେଉଥିବା ଜଣାପଡ଼ିବା ପରେ ଏହା ଇସିଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe