୨ଦିନିଆ ରିମାଣ୍ଡରେ ଗଲେ ପାର୍ଥ ଚାଟାର୍ଜୀ, ଗିରଫ ହେ‌ଲେ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ

Advertisment
୨ଦିନିଆ ରିମାଣ୍ଡରେ ଗଲେ ପାର୍ଥ ଚାଟାର୍ଜୀ, ଗିରଫ ହେ‌ଲେ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ

livehindustan

କୋଲ୍‌କାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦ୍ବାରା ଗିରଫ ହୋଇଥିବା ପଶ୍ଚିମବଙ୍ଗ ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା ଇଡି। କୋର୍ଟରେ ହାଜର ହେବା ପରେ ତାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ପଠାଯାଇଛି। ଅନ୍ୟପକ୍ଷରେ ଚାଟାର୍ଜୀଙ୍କ ପରେ ତାଙ୍କର ଘନିଷ୍ଠ ସହଯୋଗୀ ତଥା ସିନେ-ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ପାର୍ଥଙ୍କର ଅନ୍ୟତମ ସହକାରୀ ଅର୍ପିତା ମୁଖାର୍ଜୀଙ୍କ ହରିଦେବପୁର ଫ୍ଲାଟ୍‌ରୁ ପ୍ରବର୍ତ୍ତନ ନିର୍ଦେଶାଳୟ ୨୧ କୋଟି ଟଙ୍କା ଓ ୨୦ରୁ ଊର୍ଦ୍ଧ୍ବ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଥିଲା। ଏହା ସହ ଆସାନ୍‌ସୋଲ୍‌ସ୍ଥିତ ‘କାଜି ନଜ୍‌ରୁଲ୍‌ ଇସ୍‌ଲାମ୍‌ ବିଶ୍ବବିଦ୍ୟାଳୟ’ର ବଙ୍ଗଳା ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ମୋନାଲିସା ଦାସଙ୍କ ନାମରେ ଅନ୍ୟୂନ ୧୦ଟି ଫ୍ଲାଟ୍‌ ଥିବା କଥା ପ୍ରବର୍ତ୍ତନ ନିର୍ଦେଶାଳୟ ଜାଣିପାରିଥିଲା। ଅର୍ପିତା ଏବଂ ମୋନାଲିସା କିଭଳି ବିପୁଳ ପରିମାଣର ଧନସମ୍ପତ୍ତିର ଅଧିକାରିଣୀ ହେଲେ ଓ ସେଥିରେ ପାର୍ଥଙ୍କର ଭୂମିକା ଅଛି କି, ନାହିଁ, ସେ ବିଷୟରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜାଣିବାକୁ ଉଦ୍ୟମ କରୁଥିବା ବେଳେ ଏବେ ଅର୍ପିତାଙ୍କୁ ଗିରଫ କରାଯାଇଛି।

ତେବେ ଏସ୍‌ଏସ୍‌ସି ସ୍କାମ୍‌’ (ଶିକ୍ଷକ ନିଯୁକ୍ତି ଦୁର୍ନୀତି) ମାମଲାରେ ଆଜି କୋଲ୍‌କାତା ବାସଭବନରୁ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ବର୍ତ୍ତମାନର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା।

ପ୍ରବର୍ତ୍ତନ ନିର୍ଦେଶାଳୟର ଜଣେ ଅଧିକାରୀ କହିଥିଲେ, ଶୁକ୍ରବାର ରାତି ସାରା ପାର୍ଥଙ୍କୁ ତାଙ୍କ ବାସଭବନରେ ଜେରା କରାଯାଇଥିଲା। ଜେରା ବେଳେ ତଦନ୍ତକାରୀଙ୍କୁ ସହଯୋଗ ନ କରିବା ଫଳରେ ତାଙ୍କୁ ଗିରଫ କରାଯାଇ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟକୁ ନିଆଯାଇଥିଲା।

ତେବେ ଏହି ଘଟଣାକୁ ନେଇ ଶାସକ ତୃଣମୂଳ କଂଗ୍ରେସ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ଦଳ ପକ୍ଷରୁ କେବଳ ଏତିକି କହାଯାଇଛି କି ଆମେ ଘଟଣା ଉପରେ ଦୃଷ୍ଟି ରଖିଛୁ, ଖୁବ୍ ଶୀଘ୍ର ଦଳ ପକ୍ଷରୁ ବୟାନ ଜାରି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe