ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ମୁମ୍ବାଇର ପାଲି ହିଲ୍‌ରେ ଥିବା ୧୭ ମହଲା ଘର ‘ଆଡୋବ୍‌’କୁ ଜବତ କରାଯାଇଛି। ଘରର ମୂଲ୍ୟ ୩୭୧୬ କୋଟି ଟଙ୍କା ଆକଳନ କରାଯାଇଛି। ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍‌ଏଲ୍‌ଏ) ଅନୁଯାୟୀ ଘରକୁ ଜବତ କରାଯାଇଛି। ଅନିଲଙ୍କ ୬୬ ମିଟର ଉଚ୍ଚତା ବିଶିଷ୍ଟ ଏହି ଘର ହେଉଛି ଦେଶର ଅନ୍ୟତମ ମହଙ୍ଗା ଘର। ଅନିଲଙ୍କ ବିରୋଧରେ ୪୦ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗ ରହିଛି। ଇଡି ତାହାର ତଦନ୍ତ କରୁଛି। ଇଡି ଦ୍ବାରା ଘରକୁ ଜବତ ନିର୍ଦ୍ଦେଶ ଦିଆଯିବାର ଅର୍ଥ ହେଉଛି ଉକ୍ତ ଘରକୁ ଅନିଲ ବିକ୍ରି କରିପାରିବେ ନାହିଁ। ତାହାକୁ ଅନ୍ୟ କାହା ନାଁରେ ବି କରିପାରିବେ ନାହିଁ। 

Advertisment

ଆହୁରି ପଢନ୍ତୁ- Industries In Odsiha: ଜୁନ୍ ସୁଦ୍ଧା ୩ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶର ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଯଦି ମନି ଲଣ୍ଡରିଂ କୋର୍ଟରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହେବ ତେବେ ଜବତ ଘରକୁ ନିଲାମ କରି ସେହି ଟଙ୍କା ବ୍ୟାଙ୍କଗୁଡ଼ିକୁ ଫେରାଯିବ। ତେବେ ଅନିଲ ଉକ୍ତ ରାୟ ବିରୋଧରେ ଟ୍ରିବ୍ୟୁନାଲ ଓ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ। ଅନିଲଙ୍କ ବନ୍ଦ ହୋଇଯାଇଥିବା ଟେଲିକମ୍‌ କମ୍ପାନି ରିଲାଏନ୍ସ କମ୍ୟୁନିକେସନ ସହ ଜଡ଼ିତ ମାମଲାରେ ଏହି ଘର ଜବତ କରାଯାଇଛି। ଅଭିଯୋଗ ରହିଛି ଯେ ଏହି କମ୍ପାନି ନାଁରେ ନିଆଯାଇଥିବା ଋଣକୁ ଅନ୍ୟ ଉଦ୍ଦେଶ୍ୟରେ ଅପବ୍ୟବହାର କରାଯାଇଥିଲା। ଇଡି ବହୁ ଦିନ ଧରି ଅନିଲଙ୍କ ନେତୃତ୍ବାଧୀନ ରିଲାଏନ୍ସ ଗ୍ରୁପ୍‌ର ତଦନ୍ତ କରୁଛି। ଏହି ମାମଲାରେ ଅନିଲଙ୍କୁ ପଚରାଉଚୁରା ମଧ୍ୟ କରାଯାଇଥିଲା। ବ୍ୟାଙ୍କ ଠକେଇ ମାମଲାରେ ଅନିଲଙ୍କ ଅନେକ ସମ୍ପତ୍ତି ପୂର୍ବରୁ ଜବତ କରାଯାଇଛି। ଦିଲ୍ଲୀ, ନୋଏଡା, ଗାଜିଆବାଦ, ମୁମ୍ବାଇ, ପୁଣେ, ଥାନେ, ହାଇଦ୍ରାବାଦ, ଚେନ୍ନାଇ, କାଞ୍ଚିପୁରମ ଆଦି ସହରରେ ସେହି ସମ୍ପତ୍ତିଗୁଡ଼ିକ ରହିଛି। ବର୍ତ୍ତମାନ ସୁଦ୍ଧା ତାଙ୍କର ୧୫ହଜାର କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଜବତ କରାଯାଇସାରିଲାଣି।

ଆହୁରି ପଢନ୍ତୁ- Destruction of Nehru's statue: ଆସାମରେ ନେହରୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା: ଏତଲା ରୁଜୁ କଲା କଂଗ୍ରେସ