ଆଦିବାସୀ ଯୁବକଙ୍କ ଶିକ୍ଷାଗତ ଯୋଗ୍ୟତା କୋହଳ ହେବ

Advertisment

ସିଆର୍‌ପିଏଫ୍‌ କନେଷ୍ଟବଳ ନିଯୁକ୍ତି

ସିଆର୍‌ପିଏଫ୍‌ କନେଷ୍ଟବଳ ନିଯୁକ୍ତି

ଦରମା ରାଜନଗରରେ, ପଢ଼ାଉଛନ୍ତି ନିମାପଡ଼ାରେ; ବିନା ଶିକ୍ଷକରେ ସଂସ୍କୃତ ପଢୁଛନ୍ତି ପିଲା

NewsClick

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଦକ୍ଷିଣ ଛତିଶଗଡର ତିନିଟି ଜିଲ୍ଲା ଯଥା ବିଜାପୁର, ଦାନ୍ତେୱାଡା ଓ ସୁକମାରେ ୪୦୦ ସିଆର୍‌ପିଏଫ୍ କନଷ୍ଟେବଳ ନିଯୁକ୍ତି ନିମନ୍ତେ ଆଦିବାସୀ ଯୁବକଙ୍କ ଲାଗି ଶିକ୍ଷାଗତ ଯୋଗ୍ୟତା ଦଶମ ପରିବର୍ତ୍ତେ ଅଷ୍ଟମ ଶ୍ରେଣୀ କରିବା ଲାଗି ଏକ ପ୍ରସ୍ତାବ ଅନୁମୋଦିତ ହୋଇଛି। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ପ୍ରସ୍ତାବ ଦିଆଯାଇଥିଲା।

ଏହି ସବୁ ଜିଲ୍ଲାରେ ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ଥାନୀୟ ଖବର କାଗଜ ଜରିଆରେ ବ୍ୟାପକ ପ୍ରଚାର କରି ନିଯୁକ୍ତି ରୢାଲି ପାଇଁ ସଚେତନତା ସୃଷ୍ଟି କରିବା ସହ ନୂତନ ଭାବେ ନିଯୁକ୍ତ କନଷ୍ଟେବଳଙ୍କୁ ସେମାନଙ୍କ ପ୍ରଶିକ୍ଷଣ କାଳରେ ଆନୁଷ୍ଠାନିକ ଶିକ୍ଷା ପ୍ରଦାନ ପାଇଁ ମଧ୍ୟ କୁହାଯାଇଛି। ଛତିଶଗଡ଼ ରାଜ୍ୟର ବିଜାପୁର, ଦାନ୍ତେୱାଡା ଓ ସୁକମା ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳର ୪୦୦ ଆଦିବାସୀ ଯୁବକ ଏଥିପାଇଁ ନିଯୁକ୍ତି ସୁଯୋଗ ପାଇବେ। ନିଯୁକ୍ତି ଲାଗି ଶାରୀରିକ ଦକ୍ଷତାରେ ମଧ୍ୟ କୋହଳ କରାଯିବା ନେଇ ଗୃହବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯିବ। କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ଏକ ଅଙ୍ଗ ଭାବେ ସିଆର୍‌ପିଏଫ୍‌ ମୌଳିକତଃ ଆଇନଶୃଙ୍ଖଳା ରକ୍ଷା, ଆତଙ୍କବାଦ ନିରୋଧୀ କାର୍ଯ୍ୟାନୁଷ୍ଠାନ, ଆଭ୍ୟନ୍ତରୀଣ ସୁରକ୍ଷା ଇତ୍ୟାଦି କାର୍ଯ୍ୟ କରିଥାଏ। ଏକ ନିତାନ୍ତ ଜରୁରୀ ଆବଶ୍ୟକତା ସ୍ୱରୂପ ସିଆର୍‌ପିଏଫ୍‌ ୪୦୦ ସ୍ଥାନୀୟ ଆଦିବାସୀ ଯୁବକଙ୍କୁ କନଷ୍ଟେବଳ (ସାଧାରଣ କର୍ତ୍ତବ୍ୟ) ଭାବେ ଛତିଶଗଡରେ ଅପେକ୍ଷାକୃତ ଅନଗ୍ରସର ଜିଲ୍ଲାରୁ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦେଇଛି।

ଚାକିରିରେ ନ୍ୟୂନତମ ଶିକ୍ଷାଗତ ଯୋଗ୍ୟତା ଯାହାକି ଦଶମ ଶ୍ରେଣୀ ରଖାଯାଇଛି ସେଥିରେ ଉତ୍ତୀର୍ଣ୍ଣ ହେବା ପରେ ଯାଇ ସେମାନେ ଚାକିରିରେ ସ୍ଥାୟୀ ହେବେ। ସେଥିପାଇଁ ଏହି ନବନିଯୁକ୍ତମାନଙ୍କୁ ଆନୁଷ୍ଠାନିକ ଶିକ୍ଷା ପ୍ରଦାନ କରାଯିବ। ସିଆର୍‌ପିଏଫ୍‌ ପକ୍ଷରୁ ପାଠ୍ୟପୁସ୍ତକ ଓ ତାଲିମ ଯୋଗାଇ ଦିଆଯିବ।

ନବନିଯୁକ୍ତମାନଙ୍କ ଶିକ୍ଷାଗତ ଯୋଗ୍ୟତା ହାସଲ ନିମନ୍ତେ ଆବଶ୍ୟକ ହେଲେ ସେମାନଙ୍କ ପ୍ରଶିକ୍ଷଣ ଅବଧିକୁ ମଧ୍ୟ ବଢ଼ାଯାଇପାରିବ। ସେମାନଙ୍କୁ ଦଶମ ଶ୍ରେଣୀ ପରୀକ୍ଷାରେ ବସିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରେ ପଞ୍ଜୀକୃତ କରାଯିବ। ୨୦୧୬-୧୭ରେ ବିଜାପୁର, ଦାନ୍ତେୱାଡା, ନାରାୟଣପୁର ଓ ସୁକମା ଜିଲ୍ଲାରୁ ସିଆର୍‌ପିଏଫ୍‌ରେ ତଫସିଲଭୁକ୍ତ ଉପଜାତି ପ୍ରାର୍ଥୀଙ୍କ ନିଯୁକ୍ତି ନେଇ ନିଷ୍ପତ୍ତି ହୋଇଥିଲା। ମାତ୍ର ସ୍ଥାନୀୟ ଯୁବକଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ ଅଭାବରୁ ଏହା ସଫଳ ହୋଇପାରି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe