ବ୍ୟବସାୟ ପାଇଁ ଶିକ୍ଷାନୁଷ୍ଠାନ ଗଢ଼ିଥିବା ମାଲିକମାନେ ଶିକ୍ଷାବିତ୍ କେମିତି ହେଲେ, ବୁଝେଇ ଲେଖିବେ କି? ନିଜ ଫେସ୍ବୁକ୍ ଆଇଡିରେ ଏହି ପୋଷ୍ଟଟି କରିଛନ୍ତି ବାଲେଶ୍ବରରୁ ଶୁଭେନ୍ଦୁ ଦାସ। ଉତ୍ତରରେ କହାଯାଇଛି, ଶିକ୍ଷା ଓ ସଂସ୍କୃତି ଆଜିକାଲି ବ୍ୟବସାୟରେ ପରିଣତ ହୋଇଛି। ଜଣେ ନିଜ ପ୍ରତିକ୍ରିୟାରେ ସେମାନଙ୍କୁ ଶିଳ୍ପପତିଙ୍କ ସହ ତୁଳନା କରିଛନ୍ତି। ପ୍ରକୃତରେ ସେମାନଙ୍କୁ ଶିକ୍ଷା ବ୍ୟବସାୟୀ କହାଯିବା ଉଚିତ ବୋଲି ମଧ୍ୟ ମତ ଆସିଛି। ସେମାନେ ଶିକ୍ଷାବିତ୍ ନୁହନ୍ତି, ଶିକ୍ଷା ଜରିଆରେ ବିତ୍ତ ହାସଲ କରୁଥିବାରୁ ଶିକ୍ଷାବିତ୍ତ।
/sambad/media/post_attachments/wp-content/uploads/2023/04/28-13.jpg)
ତେବେ ଉଚ୍ଚଶିକ୍ଷିତ ଶିକ୍ଷା ବ୍ୟବସାୟୀଙ୍କୁ ଆବଶ୍ୟକ ସ୍ଥଳେ ଶିକ୍ଷାବିତ୍ କହିବାରେ ଅସୁବିଧା ନାହିଁ ବୋଲି ମଧ୍ୟ ମତ ଆସିଛି। ଏହି ଉକ୍ତିକୁ ଗ୍ରହଣ ନ କରି ଆଉ ଜଣେ କହିଛନ୍ତି, କୌଣସି ପ୍ରକୃତ ଶିକ୍ଷାବିତ କେବେ ଶିକ୍ଷାର ବ୍ୟାବସାୟୀକରଣ କରିବାକୁ ଚାହିବେନି। ଛିଗୁଲେଇକି କହାଯାଇଛି, ଆଜିକାଲି ଯାହାକୁ ଦେଖ ସେ ଶିକ୍ଷାବିତ୍ କିମ୍ବା ସମାଜସେବୀ। ଶିକ୍ଷାବିତ୍ର ସଂଜ୍ଞା ପରିବର୍ତ୍ତନ ହେବା ଦୁଃଖଦାୟକ ବୋଲି ମତ ଦିଆଯାଇଛି। ଅନ୍ୟପକ୍ଷରେ ଯୁକ୍ତି ହୋଇଛି, ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ଖରାପ ହେବାରୁ ସିନା ଏମାନେ ଘରୋଇ ସଂସ୍ଥାମାନ କରି ଲୋକଙ୍କୁ ଆକର୍ଷଣ କରିପାରିଲେ! ଯଦି ଏମାନେ ଭଲ ବିଦ୍ୟାଳୟ ସ୍ଥାପନ କରି ଭଲ ପାଠପଢ଼ାର ବ୍ୟବସ୍ଥା କରୁଛନ୍ତି, ସେମାନଙ୍କୁ ଶିକ୍ଷାବିତ୍ କହିବାରେ ଅସୁବିଧା କେଉଁଠି ବୋଲି ମଧ୍ୟ ପ୍ରଶ୍ନ ହୋଇଛି।
Follow Us