ଇରାନ୍-ଇସ୍ରାଏଲ୍ ଯୁଦ୍ଧର ପ୍ରଭାବ: ଭାରତରେ ବଢ଼ିବ ପେଟ୍ରୋଲ-ଡିଜେଲ ଦର !

Advertisment
ଇରାନ୍-ଇସ୍ରାଏଲ୍ ଯୁଦ୍ଧର ପ୍ରଭାବ: ଭାରତରେ ବଢ଼ିବ ପେଟ୍ରୋଲ-ଡିଜେଲ ଦର !

ନୂଆଦିଲ୍ଲୀ: ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ ଉଭୟ ଦେଶ ପରସ୍ପର ବିରୋଧରେ ମୁହାଁମୁହିଁ ହୋଇଛନ୍ତି। ପୂର୍ବରୁ ରୁଷିଆ-ୟୁକ୍ରେନ୍ ଯୂଦ୍ଧ ଏବଂ ଇସ୍ରାଏଲ-ହମାସ ଯୁଦ୍ଧ ବିଶ୍ବକୁ ଆତଙ୍କିତ କରି ରଖିଛି। ଏପରିସ୍ଥଳେ ଇରାନ୍ ଏବଂ ଇସ୍ରାଏଲ୍ ଯୁଦ୍ଧ ଭାରତ ଉପରେ ମଧ୍ୟ ପ୍ରଭାବ ପକାଇବାକୁ ଯାଉଛି। ଏହା ଦ୍ବାରା ଆଶୋଧିତ ତୈଳ ଦର ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏପରି ହେଲେ ଦରଦାମ୍ ବୃଦ୍ଧି ହେବ।
ଭାରତ ପୃଥିବୀର ତୃତୀୟ ସର୍ବବୃହତ ଅଶୋଧିତ ତୈଳ ଆମଦାନୀକାରୀ। ଭାରତ ନିଜର ଆବଶ୍ୟକତାର ୮୫ ପ୍ରତିଶତରୁ ଅଧିକ ଅଶୋଧିତ ତୈଳ ଆମଦାନୀ କରିଥାଏ। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ହେଲେ ଭାରତର ଅର୍ଥ ବ୍ୟବସ୍ଥା ଗୁରୁତରଭାବେ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ଏପରି ହେଲେ ଭାରତର ବାଣିଜ୍ୟ ସନ୍ତୁଳନ, ବିଦେଶୀ ମୁଦ୍ରା ଭଣ୍ଡାର ଏବଂ ଟଙ୍କାର ମୂଲ୍ୟ ମଧ୍ୟ ପ୍ରଭାବିତ ହେବ।

ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ସ୍ଥିତି ନେଇ କିଛିଦିନ ଧରି ଅନ୍ତର୍ଜାତୀୟ ବଜାରରେ ଆଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୯୦ ଡଲାରରୁ ଅଧିକ ହୋଇଛି। ଆଗାମୀ ଦିନରେ ଏହା ବ୍ୟାରେଲ୍ ପିଛା ୧୦୦ ଡଲାରରୁ ଅଧିକ ହେବାର ଆଶଙ୍କା ପ୍ରକାଶ ପାଇଛି। ଏହା ସହିତ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ନିଜ ନିଜର ତୈଳ ଉତ୍ପାଦନ ହ୍ରାସ କରିବାରେ ଲାଗିଛନ୍ତି। ଫଳରେ ଅଶୋଧିତ ତୈଳ ଦର ବଢ଼ିବାରେ ଏହା ଏକ ମୁଖ୍ୟ କାରଣ ବୋଲି କୁହାଯାଉଛି।

ସମ୍ପ୍ରତି ଇରାନ୍ ବିରୋଧରେ ଆମେରିକା କେତେକ କଟକଣା ଜାରି କରିଥିବାରୁ ଭାରତ ଇରାନ୍‌ଠାରୁ ଅଶୋଧିତ ତୈଳ କିଣୁନାହିଁ। କିନ୍ତୁ ଚୀନ୍ ଇରାନ୍‌ଠାରୁ ତୈଳ କିଣୁଛି। ତେବେ ଯୁଦ୍ଧ ଯୋଗୁ ଇରାନ୍ ତୈଳ ଉତ୍ପାଦନ ବନ୍ଦ କଲେ ରୁଷିଆଠାରୁ ତୈଳ କିଣିବା ପାଇଁ ଦେଶମାନଙ୍କର ଲାଇନ୍ ଲାଗିବ। ଏପରି ହେଲେ ଆପଣାଛାଏଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇବ ବୋଲି ଅର୍ଥଶାସ୍ତ୍ରୀମାନେ ମତପୋଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe