Image Courtesy of Business Standard
ନୂଆଦିଲ୍ଲୀ : ହିନ୍ଦୀକୁ ଜାତୀୟ ଭାଷା ମାନ୍ୟତା ପ୍ରସଙ୍ଗ ନେଇ ଦେଶରେ ବିବାଦ ଚାଲିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ଭାଷା ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଭାଷା ବିବିଧତା ଆମ ଦେଶର ଗୌରବ। କିନ୍ତୁ ଭାଷାକୁ ନେଇ ଦେଶରେ ବିବାଦ ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି। ଭାରତର ପ୍ରତ୍ୟେକ ଆଞ୍ଚଳିକ ଭାଷାରେ ଭାରତୀୟ ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳୁଛି ବୋଲି ବିଜେପି ଦେଖୁଛି। ସେସବୁ ଭାଷାକୁ ଉପାସନା କରିବାର ଆବଶ୍ୟକତା ରହିଛି। ଦେଶର ଉତ୍ତମ ଭବିଷ୍ୟତ ପାଇଁ ଏହା ଏକ ସଂଯୋଗ ବୋଲି ଜୟପୁରଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦୁଇ ଦିନିଆ ଜାତୀୟ ସମ୍ମିଳନୀକୁ ଭର୍ଚୁଆଲ ମୋଡ୍ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଜାତୀୟ ଶିକ୍ଷା ନୀତିରେ ସବୁ ଆଞ୍ଚଳିକ ଭାଷାକୁ ଗୁରୁତ୍ବ ଦିଆଯାଇଛି। ଏଥିରୁ ଆଞ୍ଚଳିକ ଭାଷା ପ୍ରତି ଆମର ପ୍ରତିବଦ୍ଧତା ବୁଝାପଡ଼ୁଛି।
ଉଲ୍ଲେଖଯୋଗ୍ୟ, ଗତବର୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ସଂସଦୀୟ ଅଫିସିଆଲ ଭାଷା କମିଟିର ଅଧ୍ୟକ୍ଷ ଥିବା ଅମିତ ଶାହ ସଦସ୍ୟମାନଙ୍କୁ କହିଥିଲେ କେନ୍ଦ୍ର କ୍ୟାବିନେଟର ୭୦ ପ୍ରତିଶତ କାର୍ଯ୍ୟସୂଚୀ ହିନ୍ଦୀରେ ପ୍ରସ୍ତୁତ ହୋଉଛି। ଶାହଙ୍କୁ ଉଦ୍ଧାର କରି ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଥିଲା ଯେ ଦେଶର ଏକତା ପାଇଁ ହିନ୍ଦୀକୁ ଏକ ଗୁରୁତ୍ବପୂର୍ଣ୍ଣ ଅଂଶରେ ପରିଣତ କରିବାର ସମୟ ଆସିଯାଇଛି। ଶାହ କହିଥିଲେ, ଇଂରାଜୀର ବିକଳ୍ପ ଭାବେ ହିନ୍ଦୀକୁ ଗ୍ରହଣ କରାଯିବା ଆବଶ୍ୟକ। ଅନ୍ୟ ଆଞ୍ଚଳିକ ଭାଷାର ବିକଳ୍ପ ଭାବେ ନୁହେଁ ବୋଲି ସେ କହିଥିଲେ। ଶାହଙ୍କ ଏପ୍ରକାର ମନ୍ତବ୍ୟ ପରେ ଦେଶରେ ବିବାଦ ଆରମ୍ଭ ହୋଇଥିଲା।
Follow Us