Image Courtesy of India Today
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ୮ ଜଣ ବିଚାରପତିଙ୍କ ନାମ ବିଭିନ୍ନ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଛନ୍ତି। କୋଲକାତା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲଙ୍କ ସମେତ ୮ ଜଣଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଜଷ୍ଟିସ ବିନ୍ଦଲ ଏପ୍ରିଲ ୨୯ରେ କୋଲକାତା ହାଇକୋର୍ଟର କାମଚଳା ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ମିଳିଥିବା ସୂଚନାନୁଯାୟୀ ପ୍ରଧାନ ବିଚାରପତି ଏନ୍ଭି ରମଣାଙ୍କ ନେତୃତ୍ବରେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ସଦସ୍ୟ ବିଶିଷ୍ଟ କଲେଜିୟମ୍ ଜଷ୍ଟିସ୍ ବିନ୍ଦଲଙ୍କୁ ଆହ୍ଲାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ବଦଳି କରିବାପାଇଁ ସୁପାରିସ କରିଛନ୍ତି। ସେହିପରି ତ୍ରିପୁରା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅକିଲ କୁରେସିଙ୍କୁ ରାଜସ୍ଥାନ ହାଇକୋର୍ଟକୁ ବଦଳି କରିବାପାଇଁ କଲେଜିୟମ ସୁପାରିସ କରିଛି। ଆହ୍ଲାବାଦ ସମେତ କୋଲକାତା , ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟକୁ ନୂଆ ମୁଖ୍ୟ ବିଚାରପତି ମିଳିବେ।
ଆନ୍ଧ୍ରପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରୁପ କୁମାର ଗୋସ୍ବାମୀଙ୍କୁ ଛତିଶଗଡ଼ ହାଇକୋର୍ଟ ବଦଳି କରିବାପାଇଁ କଲେଜିୟମ ସୁପାରିସ କରିଛନ୍ତି ଏବଂ ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକ ହିମାଚଳପ୍ରଦେଶ ହାଇକୋର୍ଟକୁ ବଦଳି କରିବାପାଇଁ ସୁପାରିସ କରାଯାଇଛି। ସେହିପରି ରାଜସ୍ଥାନ ହାଇକୋର୍ଟ ବିଚାରପତି ଇନ୍ଦ୍ରଜିତ ମହାନ୍ତିଙ୍କୁ ତ୍ରିପୁରା ହାଇକୋର୍ଟ ଏବଂ ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ବିଶ୍ବନାଥ ସୋମାଦ୍ଦେରଙ୍କୁ ସିକ୍କିମ ହାଇକୋର୍ଟ ବଦଳି କରିବାପାଇଁ ସୁପାରିସ କରାଯାଇଛି। କଲେଜିୟମ ଜଷ୍ଟିସ୍ ବିନ୍ଦଲଙ୍କ ସମେତ ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବ, ପ୍ରଶାନ୍ତ କୁମାର ମିଶ୍ର, ଋତୁ ରାଜ ଅଗସ୍ତି, ସତୀଶ ଚନ୍ଦ୍ର ଶର୍ମା, ରଂଜିତ ଭି ମୋରେ, ଅରବିନ୍ଦ କୁମାର ଏବଂ ଆର୍ଭି ମଲିମଥଙ୍କ ନାମ ବିଭିନ୍ନ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଛନ୍ତି।
Follow Us