ରାଞ୍ଚି : ଝାଡଖଣ୍ଡର ରାଞ୍ଚିରେ ଥିବା ଏକ ଡାକ୍ତରଖାନାରେ ୨୧ ଦିନର ନବଜାତ ଶିଶୁ ପେଟରୁ ଆଠଟି ଅବିକଶିତ ଭ୍ରୂଣ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରାଯାଇଛି। ଡାକ୍ତରମାନେ କହିଛନ୍ତି, ଏତେ ସଂଖ୍ୟକ ଅବିକଶିତ ଭ୍ରୂଣ ବାହାରିବା ପ୍ରଥମ ଘଟଣା। ଏହି ଶିଶୁଟି ଅକ୍ଟୋବର ୧୦ରେ ଝାଡଖଣ୍ଡର ରାମଗଡ଼ ଜିଲ୍ଲାରେ ଏକ ଘରୋଇ ଡାକ୍ତରଖାନାରେ ଜନ୍ମ ହୋଇଥିଲା। ଡାକ୍ତରମାନେ ଶିଶୁର ସିଟି ସ୍କାନ କରିଥିଲେ ଏବଂ ପେଟ ଭିତରେ ଟ୍ୟୁମର ଥିବା ଜାଣିଥିଲେ। ଉନ୍ନତ ଚିକିତ୍ସା ପାଇଁ ଶିଶୁକୁ ରାଞ୍ଚି ରେଫର୍ କରାଯାଇଥିଲା।
ରାଞ୍ଚିରେ ଥିବା ରାନୀ ଶିଶୁ ଡାକ୍ତରଖାନାର ଏକ ଡାକ୍ତରୀ ଟିମ୍ କହିଛନ୍ତି ଯେ ଶିଶୁର ଟ୍ୟୁମର ସହିତ ସେ ଏକ ବିରଳ ରୋଗରେ ପୀଡିତ। ଏହା ଏଭଳି ଏକ ଅବସ୍ଥା ଯେଉଁଥିରେ ଶରୀର ଭିତରେ ଭୃଣ ସଦୃଶ ଏକ ଟିସୁ ସୃଷ୍ଟି ହୁଏ। ଏହାକୁ ‘ଫିଟସ୍ ଇନ୍ ଫିଟୁ’ କୁହାଯାଇଛି। ଏହିପରି ଘଟଣା ଦୁନିଆରେ କ୍ୱଚିତ୍ ଦେଖାଯାଏ। ବିଶ୍ବରେ ଏଭଳି ଦଶଟି ମାମଲା ସାମ୍ନାକୁ ଆସିଛି ବୋଲି ଡାକ୍ତରୀ ଦଳ କହିଛନ୍ତି। ଡାକ୍ତରମାନେ ଶିଶୁର ପେଟରେ ଅସ୍ତ୍ରୋପଚାର କରିବା ପରେ ୮ଟି ଅବିକଶିତ ଭ୍ରୂଣ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏଭଳି ରୋଗର କାରଣ ସଂପର୍କରେ ଏ ପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ।
Follow Us