ଅଟୋଚାଳକରୁ ମୁଖ୍ୟମନ୍ତ୍ରୀ; ଜାଣନ୍ତୁ ମହାରାଷ୍ଟ୍ରରେ ସରକାର ବଦଳାଇ ଦେଇଥିବା ସିନ୍ଦେଙ୍କ ବିଷୟରେ ଏହି ୭ଟି କଥା

Advertisment
ଅଟୋଚାଳକରୁ ମୁଖ୍ୟମନ୍ତ୍ରୀ; ଜାଣନ୍ତୁ ମହାରାଷ୍ଟ୍ରରେ ସରକାର ବଦଳାଇ ଦେଇଥିବା ସିନ୍ଦେଙ୍କ ବିଷୟରେ ଏହି ୭ଟି କଥା

ମୁମ୍ବାଇ: ମହାରାଷ୍ଟ୍ରରେ କିଛି ଦିନ ଧରି ଚାଲିଥିବା ରାଜନୈତିକ କଳହର ଏବେ ଅନ୍ତ ଘଟିଛି। ଠାକରେ ସରକାରଙ୍କ ପତନ ଘଟିବା ସହ ଆଜି ରାଜ୍ୟରେ ନୂଆ ସରକାର ଗଠନ ହେବାକୁ ଯାଉଛି। ଶିବସେନାର ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ ଆଜି ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ସେ ଆଜି ସନ୍ଧ୍ୟା ୭.୩୦ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହା ସହିତ ବିଜେପି ହାତରୁ ଚାଲିଯାଇଥିବା କ୍ଷମତା ପୁଣି ଥରେ ଫେରିଛି।

ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଗତକାଲିଠାରୁ କଳ୍ପନାଜଳ୍ପନା ଲାଗି ରହିଥିଲା ଯେ ଦେବେନ୍ଦ୍ର ଫଡନବୀସ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଏବଂ ଏକନାଥ ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ। କିନ୍ତୁ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ଦେବେନ୍ଦ୍ର ଫଡନବୀସ୍ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଛନ୍ତି।

ତେବେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ଏକନାଥ ସିନ୍ଦେ ଦିନେ ଅଟୋଚାଳକ ଥିଲେ। ଏକଦା ଅଟୋ ରିକ୍ସା ଚଳାଇ ଜୀବିକା ନିର୍ବାହ କରୁଥିବା ୫୮ ବର୍ଷୀୟ ସିନ୍ଦେ ରାଜନୀତିକୁ ଆସିବାପରେ ଖୁବ୍‌ଶୀଘ୍ର ଶିବସେନାର ଜଣେ ଟାଣୁଆ ନେତା ବନିଯାଇଥିଲେ। ହେଲେ କିଏ ଜାଣିଥିଲା, ଏହି ସାଧାରଣ କର୍ମୀ ଆଗକୁ ଯାଇ ରାଜ୍ୟ ସମ୍ଭାଳିବ। ଏବେ ଆସନ୍ତୁ ଜାଣିବା ସିନ୍ଦେଙ୍କ ସହ ଜଡ଼ିତ କିଛି ଜଣାଅଜଣା କଥା...

୧. ୧୯୬୪ ଫେବ୍ରୁଆରି ୯ ତାରିଖରେ ଜନ୍ମିତ ଏକନାଥ ସିନ୍ଦେ ଗ୍ରାଜୁଏସନ ଶେଷ କରିବା ପୂର୍ବରୁ ଶିକ୍ଷା ଛାଡ଼ିଦେଇଥିଲେ। ଏହା ପରେ ସେ  ଅଟୋ ଚଳାଇବା ଆରମ୍ଭ କରିଥିଲେ।

୨. କିଛି ଦିନ ଅଟୋ ଚଳାଇବା ପରେ ୮୦ଦଶକରେ ଶିବସେନା‌ରେ ଯୋଗ ଦେବା ପରେ ବିଭିନ୍ନ ଛୋଟ ଛୋଟ ପଦବୀରେ ରହି ଦାୟିତ୍ବ ତୁଲାଇଥିଲେ ସିନ୍ଦେ।

୩.  ୧୯୯୭ ମସିହାରେ ଥାନେ ମହାନଗର ନିଗମର କାଉନସିଲର ନିର୍ବାଚିତ ହୋଇଥିଲେ ସିନ୍ଦେ । ଆଉ ୨୦୦୧ରେ ନଗର ନିଗମରେ ବିରୋଧୀ ଦଳର ନେତା ଦାୟିତ୍ୱ ତୁଲାଇଥିଲେ । ଏହାପରେ ୨୦୦୨ରେ ଦ୍ୱିତୀୟଥର ପାଇଁ କାଉନସିଲର ହୋଇଥିଲେ ।

୪. ୨୦୦୪ରେ ଏକନାଥ ସିନ୍ଦେ ପ୍ରଥମ ଥର ପାଇଁ ଥାନେର କୋପ୍ରି-ପଞ୍ଚପଖାଡି ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।

୫. ୨୦୦୪ରେ ଶିବସେନା ଟିକେଟରେ ପ୍ରଥମ ଥର ପାଇଁ ବିଧାନସଭାରେ ପହଞ୍ଚିଥିବା ସିନ୍ଦେ ପରେ ୨୦୦୯, ୨୦୧୪ ଏବଂ ୨୦୧୯ରେ ବିଧାନସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ।

୬. ୨୦୧୯ରେ ଚତୁର୍ଥ ଥର ବିଧାନସଭାର ସଦସ୍ୟ ଭାବରେ ନିର୍ବାଚିତ ହେବା ପରେ ସିନ୍ଦେଙ୍କୁ ବିଧାୟକ ଦଳର ନେତା କରାଯାଇଥିଲା। ଏମିତି କି ସିନ୍ଦେ ହିଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ଶିବସେନା ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ରାଜି ଥି‌ଲେ ବି ଏନସିପି ଓ କଂଗ୍ରେସ ଏଥିରେ ରାଜି ହୋଇ ନଥିଲେ।

୭. ଏନସିପି ଓ କଂଗ୍ରେସ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେବାରୁ ସିନ୍ଦେଙ୍କ ଆଶା ଆଶାରେ ରହିଯାଇଥିଲା। ଏକନାଥ ସିନ୍ଦେ ମହାରାଷ୍ଟ୍ରରେ ବିଜେପି ସହିତ ସରକାର ଗଠନ କରିବା ସପକ୍ଷରେ ଥିଲେ ବି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପରେ ସେ ଚୁପ ହୋଇଯାଇଥିଲେ। ହେଲେ ଏବେ ଅନେକ ସଂଘର୍ଷ ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe