ହାଇଦ୍ରାବାଦ: ବାଇକ୍ ଆରୋହୀଙ୍କୁ ଗାଡ଼ି ଧୀର କରିବାକୁ କହିଲେ ବୃଦ୍ଧ। ପିଟି ପିଟି ହତ୍ୟା କଲେ ଯୁବକ । ହାଇଦ୍ରାବାଦର ଅଲୱରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବୃଦ୍ଧଙ୍କୁ ଆକ୍ରମଣ ପରେ ଡାକ୍ତରଖାନା ନିଆଯାଇଥିଲେ ବି ସେ ବଞ୍ଚିପାରିନଥିଲେ। ଗୁରୁବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଛି। ମୃତକଙ୍କ ନାମ ଅଞ୍ଜନେୟୁଲୁ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟାରେ ଅଞ୍ଜନେୟୁଲୁ ରାସ୍ତା ପାର୍ ହେଉଥିଲେ। ବହୁତ ଗାଡ଼ି ଚଳାଚଳ କରୁଥିବାରୁ ସେ ହାତ ଦେଖାଇ ଲୋକଙ୍କୁ ଗାଡ଼ି ଧୀର କରିବାକୁ ସଙ୍କେତ ଦେଇ ରାସ୍ତା ପାର୍ ହେଉଥିଲେ। ଏହି ସମୟରେ ପତ୍ନୀ ଓ ଛୁଆକୁ ବାଇକରେ ବସାଇ ଯାଉଥିବା ଅଭିଯୁକ୍ତକୁ ମଧ୍ୟ ହାତ ଦେଖାଇ ଗାଡ଼ି ଧୀର କରିବାକୁ କହିଥିଲେ ଅଞ୍ଜନେୟୁଲୁ। ଏଥିରେ ରାଗିଯାଇ ଗାଡ଼ି ରାସ୍ତା କଡ଼ରେ ରଖିବା ସହ ଅଭିଯୁକ୍ତ , ଅଞ୍ଜନେୟୁଲୁଙ୍କ ଆଡକୁ ଆସି ମାଡ଼ ମାରିବା ଆରମ୍ଭ କରିଥିଲା । ଆକ୍ରମଣ ପରେ ଆହତ ହୋଇ ଅଞ୍ଜନେୟୁଲୁ ଅଚେତ ହେବା ପରେ ତାଙ୍କୁ ପାଖ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।
ଏହି ଘଟଣା ପରେ ସାଇବରବାଦ ପୁଲିସ କମିଶନରଙ୍କ ଅଧୀନରେ ଥିବା ଅଲୱର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।
Follow Us