ନିର୍ବାଚନୀ ଇସ୍ତାହାର ଉପରେ କଟକଣା, ମତଦାନ ପୂର୍ବର ୪୮ ଘଣ୍ଟା ଭିତରେ ଜାରି ହେବନି

Advertisment
ନିର୍ବାଚନୀ ଇସ୍ତାହାର ଉପରେ କଟକଣା, ମତଦାନ ପୂର୍ବର ୪୮ ଘଣ୍ଟା ଭିତରେ ଜାରି ହେବନି

ନୂଆଦିଲ୍ଲୀ: ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରକାଶ କରାଯାଉଥିବା ନିର୍ବାଚନୀ ଇସ୍ତାହାରକୁ ମଧ୍ୟ ନିର୍ବାଚନ କମିସନର ଆଦର୍ଶ ଆଚରଣ ବିଧିର ଅନ୍ତର୍ଭୁକ୍ତ କରିଛନ୍ତି। ମତଦାନ ପୂର୍ବର ୪୮ ଘଣ୍ଟା ଭିତରେ କୌଣସି ଦଳ ସେମାନଙ୍କର ନିର୍ବାଚନୀ ଇସ୍ତାହାର ଜାରି କରିପାରିବେ ନାହିଁ ବୋଲି କମିସନ ଆଜି କଟକଣା ଲାଗୁ କରିଛନ୍ତି। ନିର୍ବାଚନୀ ନିରବତା ଭାବେ ବିବେଚିତ ମତଦାନ ପୂର୍ବର ୪୮ ଘଣ୍ଟା ଭିତରେ କୌଣସି ପ୍ରକାର ନିର୍ବାଚନୀ ପ୍ରଚାର ଓ ପ୍ରସାରକୁ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି କମିସନ ପୂର୍ବରୁ ଧାର୍ଯ୍ୟ କରିଥିଲେ। ତେବେ ଏହି ସଦ୍ୟ ସଂଶୋଧିତ ଆଦର୍ଶ ଆଚରଣ ବିଧି ଅନୁସାରେ, ଉକ୍ତ ନିଷିଦ୍ଧ ୪୮ ଘଣ୍ଟା ମଧ୍ୟରେ ନିର୍ବାଚନୀ ଇସ୍ତାହାର ପ୍ରକାଶକୁ ମଧ୍ୟ ପ୍ରଚାର କାର୍ଯ୍ୟ ଭାବେ ବିବେଚନା କରାଯାଇଛି। ସୁତରାଂ କୌଣସି ଦଳ ସେହି ନିଷିଦ୍ଧ ସମୟ ପୂର୍ବରୁ ନିଜର ଇସ୍ତାହାର ଘୋଷଣା କରିବାରେ କୌଣସି ଅସୁବିଧା ନାହିଁ।

ସୂଚନା ଥାଉ କି, ୨୦୧୪ ନିର୍ବାଚନ ବେଳେ ବିଜେପି ଏହାର ନିର୍ବାଚନୀ ଇସ୍ତାହାରକୁ ପ୍ରଥମ ପର୍ଯ୍ୟାୟ ମତଦାନ ଦିନ ହିଁ ପ୍ରକାଶ କରିଥିବା ବେଳେ କଂଗ୍ରେସ ଏଥିରେ ପ୍ରତିବାଦ ଜଣାଇଥିଲା। ମାତ୍ର ସେତେବେଳେ ଇସ୍ତାହାର ପ୍ରକାଶ ସମୟ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ନୀତିନିୟମ ନଥିବାରୁ କମିସନ ଏଥିରେ ହସ୍ତକ୍ଷେପ କରିନଥିଲେ। ନିକଟରେ କମିସନ ଇସ୍ତାହାର ପ୍ରକାଶ ପାଇଁ ୭୨ ଘଣ୍ଟା ନିଷିଦ୍ଧ ସମୟ ରଖିବାକୁ ପ୍ରସ୍ତାବ ଦେଇଥିଲେ। ଏହାକୁ କଂଗ୍ରେସ ବିରୋଧ କରିଥିବା ବେଳେ ଅନେକ ଦଳ ନିରବ ରହିଥିଲେ। ଶେଷରେ କମିସନ ବିଭିନ୍ନ ଦିଗକୁ ତର୍ଜମା କରି ଇସ୍ତାହାର ପ୍ରକାଶ ପାଇଁ ୪୮ ଘଣ୍ଟାର ନିଷିଦ୍ଧ ସମୟ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe