ନୂଆଦିଲ୍ଲୀ: ହରିୟାଣା ନିର୍ବାଚନ ସହ ଜଡିତ ଅଭିଯୋଗ ସମ୍ପର୍କରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ପ୍ରତିକ୍ରିୟା ପରେ କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରିଛି। ଦଳ ସେମାନଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ ନ କରିବା ଏବଂ ଅସ୍ପଷ୍ଟ ଉତ୍ତର ଦେଇଥିବା ନେଇ ଅଭିଯୋଗ କରିଛି। କଂଗ୍ରେସ ନିର୍ବାଚନ ଆୟୋଗର ମନୋଭାବକୁ ଅହଂକାରୀ ବୋଲି ବର୍ଣ୍ଣନା କରିଛି ଏବଂ କହିଛି ଯେ ହରିୟାଣା ନିର୍ବାଚନ ସହ ଜଡିତ ଅଭିଯୋଗ ଉପରେ ସ୍ପଷ୍ଟ ସ୍ପଷ୍ଟୀକରଣ ଦେବା ପରିବର୍ତ୍ତେ ଆୟୋଗ ଏକ ଟାଳଟୁଳ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
ନିର୍ବାଚନ ଆୟୋଗଙ୍କୁ ଲେଖାଯାଇଥିବା ତିନି ପୃଷ୍ଠାର ଚିଠିରେ ଦଳ ବ୍ୟଙ୍ଗାତ୍ମକ ଭାବରେ କହିଛି ଯେ ଆୟୋଗଙ୍କର ଆଚରଣ ନିରପେକ୍ଷତାକୁ ନଷ୍ଟ କରିବା ଭଳି ହୋଇଛି। କଂଗ୍ରେସ କହିଛି ଯେ ଆୟୋଗ ନିଜର ବିଶ୍ୱସନୀୟତା ବଜାୟ ରଖିବା ପରିବର୍ତ୍ତେ ନିଜକୁ ଏକ କ୍ଲିନ୍ ଚିଟ୍ ପ୍ରଦାନ କରିଛନ୍ତି। କେସି ଭେନୁଗୋପାଲ, ଅଶୋକ ଗେହଲୋଟ୍, ଭୁପେନ୍ଦ୍ର ସିଂ ହୁଡା, ଅଜୟ ମାକେନ୍, ଅଭିଷେକ ସିଂଘଭିଙ୍କ ସମେତ ଦଳର ନେତାମାନେ ଏହି ପତ୍ରରେ ଦସ୍ତଖତ କରିଛନ୍ତି।
ଅକ୍ଟୋବର ୨୯ରେ ନିର୍ବାଚନ ଆୟୋଗ କଂଗ୍ରେସର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ବିନା କୌଣସି ତଥ୍ୟ ଆଧାରରେ ଦଳ ସନ୍ଦେହ ସୃଷ୍ଟି କରୁଛି। ଯାହା ମତଦାନ ଏବଂ ଭୋଟ୍ ଗଣତି ଭଳି ସମ୍ବେଦନଶୀଳ ପର୍ଯ୍ୟାୟରେ ଅଶାନ୍ତି ସୃଷ୍ଟି କରିପାରେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଏକ ଚିଠି ପଠାଇ ଉଲ୍ଲେଖ କରିଥିଲେ ଯେ ଏଭଳି ଅଭିଯୋଗ ଅମୂଳକ ଏବଂ ଭିତ୍ତିହୀନ।
ଅଧିକ ପଢ଼ନ୍ତୁ:
ନଭେମ୍ବର ୨୫ରୁ ସଂସଦର ଶୀତକାଳୀନ ଅଧିବେଶନ: ୱାକଫ୍ ବିଲ୍-ଏକ ଦେଶ ଏକ ନିର୍ବାଚନକୁ ନେଇ ହଙ୍ଗାମା ସମ୍ଭାବନା
କଂଗ୍ରେସ ଏହାର ଜବାବ ଦେଇ କହିଛି, ଦଳ ଆୟୋଗଙ୍କର ଚିଠିକୁ ଭଲଭାବେ ଅଧ୍ୟୟନ କରିଛି। ଚିଠରେ ଆୟୋଗ ନିଜକୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଥିବା ନେଇ କଂଗ୍ରେସ ଆଶ୍ଚର୍ଯ୍ୟ ହୋଇ ନାହିଁ। ଆୟୋଗଙ୍କର ଚିଠିର ଭାଷା ଏବଂ ଶବ୍ଦକୁ ନେଇ କଂଗ୍ରେସ ଆପତ୍ତି କରିଛି। ଦଳ କହିଛି ଆୟୋଗ ସମ୍ବିଧାନ ଅନୁଯାୟୀ ଗଠିତ ଏକ ଦାୟିତ୍ବପୂର୍ଣ୍ଣ ସଂସ୍ଥା।
ଇଭିଏମ୍ ସମ୍ବନ୍ଧୀୟ ଅଭିଯୋଗ ସମ୍ପର୍କରେ ଦଳ କହିଛନ୍ତି ବ୍ୟାଟେରୀ ସମ୍ପର୍କିତ ଅଭିଯୋଗ ଉପରେ ଆୟୋଗ ସ୍ପଷ୍ଟୀକରଣ ଦେବା ପରିବର୍ତ୍ତେ ଭ୍ରମ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। କଂଗ୍ରେସ କହିଛି ସେମାନଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରିବା ପରିବର୍ତ୍ତେ ସେମାନଙ୍କୁ ଅଣଦେଖା କରାଯାଇଥିଲା ଏବଂ ସେମାନଙ୍କ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦିଆଯାଇ ନ ଥିଲା।
ସୂଚନାଯୋଗ୍ୟ, ଅକ୍ଟୋବର ୫ରେ ହରିୟାଣାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ୯୦ଟି ସିଟ୍ ମଧ୍ୟରୁ ୪୮ଟି ଜିତି ସରକାର ଗଠନ କରିଥିବାବେଳେ କଂଗ୍ରେସ ୩୭ଟି ସିଟ୍ ଜିତିଥିଲା। ନିର୍ବାଚନ ସମୟରେ ୨୬ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା କେତେକ ମତଦାନ କେନ୍ଦ୍ରରେ ଇଭିଏମର ବ୍ୟାଟେରୀ ସମ୍ବନ୍ଧୀୟ ପ୍ରସଙ୍ଗରେ କଂଗ୍ରେସ ପ୍ରଶ୍ନ ଉଠାଇଥିଲା ଏବଂ ବ୍ୟାଟେରୀସ୍ତର ୯୯% ରହିଥିବା ଦେଖିବାକୁ ମିଳିଥିଲା। କଂଗ୍ରେସ ଏହା ଉପରେ ସ୍ପଷ୍ଟୀକରଣ ମାଗିଥିଲା, କିନ୍ତୁ ଦଳ ସନ୍ତୋଷଜନକ ଉତ୍ତର ପାଇ ନ ଥିବା କହିଥିଲା।
ଅଧିକ ପଢ଼ନ୍ତୁ:
ଇସ୍ରାଏଲ ଉପରେ ପାଲଟା ଆକ୍ରମଣ ପାଇଁ ସେନାକୁ ସବୁଜ ସଙ୍କେତ ଦେଲେ ଖାମେନି