NDTV
ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଦେଶର ନିର୍ବାଚନ କମିଶନ ଆଜି ସନ୍ଧ୍ୟାରେ ତାଙ୍କ ପରାମର୍ଶଦାତାମାନଙ୍କର ଏକ ଜରୁରୀ ବୈଠକ ଡକାଇ ‘ଆଭ୍ୟନ୍ତରୀଣ ବିଚାରବିମର୍ଶ’ ଚଳାଇଛନ୍ତି। ଏ-ସାଟ୍ ମିସାଇଲ୍ର ସଫଳ ପରୀକ୍ଷଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଯେପରି ଢ଼ଙ୍ଗରେ ଜାତି ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣ ପ୍ରଦାନ କଲେ, ତାହା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଛି ନା ନାହିଁ, ଏବେ ତାହାର ତର୍ଜମା ସବୁ ଦିଗରୁ କରୁଛନ୍ତି ନିର୍ବାଚନ କମିଶନ।
ଏଥିସହ ପ୍ରଧାନମନ୍ତ୍ରୀ ମୋଦି ଜାତି ଉଦ୍ଦେଶ୍ୟରେ ଦେଇଥିବା ଅଭିଭାଷଣର ଏକ ଆକ୍ଷରିକ ମୁଦ୍ରିତ କପି (ଆକ୍ଟିଭ୍ ଟ୍ରାନ୍ସକ୍ରିପ୍ଟ) ସହ ଜାତି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ଅଭିଭାଷଣ କ’ଣ ‘ଜରୁରୀ ଆବଶ୍ୟକତା’ (ଅର୍ଜେନ୍ସୀ) ରହିଥିଲା ସେ ସଂପର୍କରେ ମଧ୍ୟ ଉତ୍ତର ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି।
NDTVଏ-ସାଟ୍ର ସଫଳ ପରୀକ୍ଷଣ ହୋଇଥିଲା ଆଜି (ବୁଧବାର) ସକାଳ ୧୧ଟା ୧୬ ମିନିଟ ସମୟରେ ଏବଂ ଏହାର ଠିକ୍ ଘଣ୍ଟାକ ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଜାତି ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣ ଦେଇଥିଲେ। ହେଲେ, ଏହା ପୂର୍ବରୁ ସେ ତାଙ୍କ ଟୁଇଟର ହାଣ୍ଡଲରୁ ସକାଳ ୧୧ଟା ୨୩ ମିନିଟ ସମୟରେ ଏକ ଟୁଇଟ୍ କରି ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ଦେଇ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ବୋଲି ସୂଚନା ଦେଇଥିଲେ।
NDTVବର୍ତ୍ତମାନ ସାଧାରଣ ନିର୍ବାଚନ ପାଇଁ ସମଗ୍ର ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏ-ସାଟ୍ର ସଫଳ ପରୀକ୍ଷଣକୁ ନେଇ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ କେବଳ ନିର୍ବାଚନୀ ପ୍ରଚାର ସର୍ବସ୍ୱ ଥିଲା ଏବଂ ଏହା ଆଚରଣ ବିଧିର ଉଲ୍ଲଂଘନ କରିଛି ବୋଲି ବିଜେପି ଓ ଏନ୍ଡିଏର ସହଯୋଗୀ ଦଳ ବ୍ୟତୀତ ଦେଶର ଅନ୍ୟ ସମସ୍ତ ରାଜନୈତିକ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।
Follow Us