ନୂଆଦିଲ୍ଲୀ: ନିର୍ବାଚନରେ ହାଇପ୍ରୋଫାଇଲ ଆସନଗୁଡ଼ିକରେ ସମାନ ନାମଧାରୀ ବ୍ୟକ୍ତିଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଆଜି ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ଯେ ଯଦି କୌଣସି ବଡ଼ ରାଜନୈତିକ ନେତାଙ୍କ ନାମ ସହ ସମାନ ନାମ ଅନ୍ୟ ପ୍ରାର୍ଥୀଙ୍କର ଥାଏ ତେବେ ତାଙ୍କୁ ନିର୍ବାଚନ ଲଢ଼ିବାରୁ ରୋକି ପାରିବେ ନାହିଁ।
ଆଇନଜୀବୀ ସାବୁ ଷ୍ଟିଫେନ୍ ଏକ ଜନସ୍ୱାର୍ଥ ମାମଲା ଦାଏର କରି ଦର୍ଶାଇଥିଲେ ଯେ ଭୋଟରଙ୍କୁ ବିଭ୍ରାନ୍ତ କରିବା ପାଇଁ ହାଇପ୍ରୋଫାଇଲ୍ ଆସନରେ ସମାନ ନାମଧାରୀ ପ୍ରାର୍ଥୀଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ଆବେଦନକାରୀ କହିଛନ୍ତି ଯେ ଏଭଳି ପ୍ରାର୍ଥୀଙ୍କ ଉପସ୍ଥିତି ଯୋଗୁଁ ଅନେକ ସମୟରେ ହେଭିୱେଟ୍ ପ୍ରାର୍ଥୀମାନେ ସ୍ୱଳ୍ପ ବ୍ୟବଧାନରେ ପରାଜିତ ହେଉଛନ୍ତି। ଅବାଧ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ପାଇଁ ଏହି ଧାରାକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେବା ଲାଗି ଦାବି କରାଯାଇଥିଲା।
ମାମଲାର ଶୁଣାଣି କରିବାକୁ ମନା କରି ଜଷ୍ଟିସ ବିଆର ଗୱାଇ କହିଛନ୍ତି, ଯଦି ଅଭିଭାବକମାନେ ସେମାନଙ୍କ ସନ୍ତାନଙ୍କୁ ସମାନ ନାମ ଦେଇଛନ୍ତି, ତା’ହେଲେ ନିର୍ବାଚନ ଲଢ଼ିବାରୁ କିପରି ରୋକାଯାଇ ପାରିବ? ରାହୁଲ ଗାନ୍ଧୀ ଓ ଲାଲୁ ପ୍ରସାଦ ଯାଦବଙ୍କ ଭଳି ନାମ ଅନେକ ଲୋକଙ୍କର ରହିଛି। କେବଳ ଏହି ନାମ ଧାରଣ କରିଥିବାରୁ ସେମାନଙ୍କୁ ନିର୍ବାଚନ ଲଢ଼ିବାରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି। ତାମିଲନାଡୁର ରାମନାଥପୁରମ୍ ଲୋକସଭା ଆସନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ପନିରସେଲଭମ୍ ଏଥର ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ ୪ ଜଣ ପନିରସେଲମମ୍ ପ୍ରାର୍ଥୀ ତାଲିକାରେ ଅଛନ୍ତି। ଏହିସମାନ ନାମଧାରୀମାନେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିଦ ହଜାଇ ଦେଇଛନ୍ତି।
Follow Us