ଘର ସାମ୍ନାରେ ଥିବା କାର୍‌କୁ ଲାତ ଗୋଇଠା ମାରି ଫୁଟ୍‌ବଲ୍‌ ପରି ଉଠାପକା କଲା ଦନ୍ତାହାତୀ

ଘର ସାମ୍ନାରେ ଥିବା କାର୍‌କୁ ଲାତ ଗୋଇଠା ମାରି ଫୁଟ୍‌ବଲ୍‌ ପରି ଉଠାପକା କଲା ଦନ୍ତାହାତୀ

Image Courtesy of The Times of India

କୋହ୍ଲାପୁର: ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲା ଅନ୍ତର୍ଗତ ଆଜରା ତହସିଲ୍‌ ଅଞ୍ଚଳରେ ଥିବା କାସାର୍‌ କନ୍ଦଗାଓଁରେ ଗୋଟାଏ ବନ୍ୟ ହାତୀ ପଶି ଘର ସାମ୍ନାରେ ରଖାଯାଇଥିବା ଏକ କାର୍‌କୁ ଲାତ ଗୋଇଠା ମାରି ଫୁଟ୍‌ବଲ୍‌ ପରି ଉଠାପକା କରିଥିବା କଥା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଶୁକ୍ରବାର ସକାଳେ ସେ ବଣୁଆ ଦନ୍ତାହାତୀଟି ୮୦୦ସିସି ହ୍ୟାଚ୍‌ବ୍ୟାକ୍‌ କାର୍‌କୁ ଠେଲାପେଲା କରି ନଷ୍ଟ କରୁଥିବା ବେଳେ କିଂକର୍ତ୍ତବ୍ୟବିମୂଢ଼ ଗାଡ଼ି ମାଲିକ ନାରାୟଣ ସରଦେଶାଇ ଆତଙ୍କରେ ସେ ଦୃଶ୍ୟ ଦେଖୁଥିଲେ।

publive-image

ଚାନ୍ଦଗଡ଼-ଆଜରା ରାସ୍ତାରେ ତିବା କାସାର କନ୍ଦଗାଓଁବାସୀ ସରଦେଶାଇ କହିଛନ୍ତି, ଶୁକ୍ରବାର ଭୋର୍‌ ପ୍ରାୟ ୫ ବେଳେ ଧୁମ୍‌ଧାମ ଶବ୍ଦ ଓ ପେଁକାଳି ଶୁଣି ମୋର ନିଦ ଭାଜିଗଲା। ଘରୁ ବାହାରି ଆସି ଦେଖିଲି ଗୋଟାଏ ଦନ୍ତା ମୋ କାର୍‌କୁ ଚାରିପଟୁ ଲାତ ଗୋଇଠା ମାରି ଠେଲାପେଲା କରୁଛି। ଦିନକ ଆଗରୁ ମୋ ଝିଅ କାର୍‌ଟିକୁ ଘର ସାମ୍ନାରେ ରଖିଥିଲା। ଏ ଦୃଶ୍ୟ ଦେଖି ଛାନିଆରେ ମୁଁ ଘରେ ପଶିଗଲି। ହାତୀ ଦେଢ଼ଘଣ୍ଟାରୁ ଅଧିକ ସମୟ କାର୍‌ଟିକୁ ସେମିତି ଉଠାପକା କରୁଥାଏ। କାର୍‌କୁ ହାତୀ ୩/୪ ଥର ଓଲଟାଇ ପକାଇ ଗୋଇଠା ମାରିବା ସହ ପାଦରେ ଚାପି ଦେଇଥିଲା। ପରେ ଅବଶ୍ୟ ସେ ହାତୀଟି ଅନ୍ୟତ୍ର ଚାଲିଗଲା। କିନ୍ତୁ, କାର୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଫରେଷ୍ଟ୍‌ ରେଞ୍ଜର୍‌ ସଞ୍ଜୟ ନୀଳକଣ୍ଠ କହିଛନ୍ତି, ଗାଡ଼ିଟି ନଷ୍ଟ ହୋଇଯାଇଥିବାରୁ ବନ୍ୟ ବିଭାଗ ନିୟମ ଅନୁଯାୟୀ ମାଲିକଙ୍କୁ କ୍ଷତିପୂରଣ ଦିଆଯିବ। ଘଟଣାସ୍ଥଳରୁ ୫୦/୬୦ ଫୁଟ୍‌ ପରିଧିରେ ଆମେ ହାତୀର ଖୋଜଚିହ୍ନ ଦେଖିଛୁ। ହାତୀଟି ଚାଫେୱାଡ଼ି ଅରଣ୍ୟାଞ୍ଚଳରୁ ଆସି କାସାର କନ୍ଦଗାଓଁ ଅରଣ୍ୟାଞ୍ଚଳକୁ ଯାଇଛି। ବାଇକ୍‌ରେ କଲେଜ ଯାଉଥିବା ପିଲାମାନେ ଶନିବାର ସକାଳ ୭.୩୦ରେ ହାତୀଟିକୁ ଦେଖିଥିବା କଥା ଆମକୁ କହିଛନ୍ତି। ଆମେ ଦନ୍ତାର ଗତିବିଧି ଉପରେ ନଜର ରଖିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe