Newswada - Entertainment news
ମଥୁରା: ୧୯୮୫ ମସିହାରେ ରାଜସ୍ଥାନର ଜଣେ ରାଜାଙ୍କ ହତ୍ୟା ମାମଲାରେ ଆଜି ରାୟ ଆସିଛି। ରାଜସ୍ଥାନର ଏକ ଗଡ଼ଜାତ ରାଜ୍ୟ ଭରତପୁରର ରାଜା ମାନସିଂହଙ୍କ ହତ୍ୟା ମାମଲାରେ ଜଣେ ଡିଏସ୍ପିଙ୍କ ସମେତ ୧୧ ପୁଲିସ କର୍ମୀ ଦୋଷୀସାବ୍ୟସ୍ତ ହୋଇଛନ୍ତି। ପଶ୍ଚିମ ଉତ୍ତରପ୍ରଦେଶର ମଥୁରାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଦୀର୍ଘ ୨ ଦଶନ୍ଧି ଧରି ମାମଲାର ଶୁଣାଣି କରିବାପରେ ଶେଷରେ ୧୧ ପୁଲିସ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଆସନ୍ତାକାଲି ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶ ଘୋଷଣା ହେବ। ୧୯୮୫ ଫେବ୍ରୁଆରି ୨୧ ତାରିଖରେ ହୋଇଥିବା ଏହି ହତ୍ୟା ପାଇଁ ରାଜସ୍ଥାନରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା ଏବଂ ଏହି ଘଟଣାର ୨ ଦିନ ପରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଶିବ ଚରଣ ମାଥୁର ଇସ୍ତଫା ଦେଇଥିଲେ।
ରାଜା ମାନସିଂହଙ୍କ ନାତି ଏହି ମାମଲା ସଂପର୍କରେ ଆଜି ବିସ୍ତୃତ ତଥ୍ୟ ରଖିଛନ୍ତି। ରାଜସ୍ଥାନରେ ୧୯୮୫ ବିଧାନସଭା ନିର୍ବାଚନରେ କଂଗ୍ରେସ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିଜେନ୍ଦ୍ର ସିଂହଙ୍କୁ ରାଜା ମାନସିଂହଙ୍କ ବିରୋଧରେ ଦିଗ୍ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରିଥିଲା। ରାଜା ମାନସିଂହ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ୁଥିଲେ। ଏହି ସମୟରେ କଂଗ୍ରେସ କର୍ମୀମାନେ ଭରତପୁର ପତାକାକୁ ଅସମ୍ମାନ କରିଥିଲେ। ଏହାଦ୍ବାରା ରାଜା ମାନସିଂହ ଭୀଷଣ ରାଗି ଯାଇଥିଲେ। ତତ୍କାଳୀଳ ମୁଖ୍ୟମନ୍ତ୍ରୀଙ୍କ ରୢାଲି ପାଇଁ ବନ୍ଧା ଯାଇଥିବା ଏକ ଷ୍ଟେଜ୍ ଉପରକୁ ସେ ଜିପ୍ ଚଢ଼ାଇ ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଆଣିବାପାଇଁ ରଖାଯାଇଥିବା ହେଲିକପ୍ଟରକୁ ଭଙ୍ଗାରୁଜା କରିଥିଲେ। ଏହା ଫେବ୍ରୁଆରି ୨୦ ତାରିଖର ଘଟଣା। ତେବେ ଏହାର ଠିକ୍ ପରଦିନ ରାଜା ମାନସିଂହ ଏବଂ ତାଙ୍କର ୨ ଜଣ ସହଯୋଗୀ ପୁଲିସରେ ଆତ୍ମସମର୍ପଣ ପାଇଁ ଯାଉଥିବା ବେଳେ ଡିଏସ୍ପି କାନ୍ ସିଂହ ଭଟ୍ଟିଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣା ସ୍ଥଳରେ ରାଜା ମାନସିଂହ ଏବଂ ତାଙ୍କ ସହଯୋଗୀମାନଙ୍କ ମୃତ୍ୟୁ ହୋଇଯାଇଥିଲା। ଆଜି ଦୋଷୀସାବ୍ୟସ୍ତ ହୋଇଥିବା ୧୧ ପୁଲିସଙ୍କ ମଧ୍ୟରେ ଡିଏସ୍ପି କାନ୍ ସିଂହ ଭଟ୍ଟି ଅଛନ୍ତି। ରାଜା ମାନସିଂହଙ୍କ ମୃତ୍ୟୁର ୨ ଦିନ ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିବ ଚରଣ ମାଥୁର ଇସ୍ତଫା ଦେଇଥିଲେ। ଫେବ୍ରୁଆରି ୨୮ରେ ଉକ୍ତ ଘଟଣାରେ ସିବିଆଇ ତଦନ୍ତ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ପ୍ରଥମେ ରାଜସ୍ଥାନ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା କିନ୍ତୁ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାମଲାର ଶୁଣାଣିକୁ ମଥୁରାକୁ ସ୍ଥାନାନ୍ତର କରାଗଲା। ମାମଲାରେ ରାୟ ପ୍ରକାଶ ପାଇଁ ୩୫ ବର୍ଷ ଲାଗିଯାଇଛି। ଉକ୍ତ ମାମଲାରେ ୧,୭୦୦ରୁ ଅଧିକ ଥର ଶୁଣାଣି ହୋଇଛି। ମାମଲାରେ ସିବିଆଇ ୧୮ ପୁଲିସଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ବିଚାର ପ୍ରକ୍ରିୟା ସମୟରେ ୪ ପୁଲିସଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୩ ଜଣ ଦୋଷମୁକ୍ତ ହୋଇଛନ୍ତି।
ଭରତପୁରର ଶେଷ ଶାସକ ମହାରାଜା ସାୱାଇ ବ୍ରିଜେନ୍ଦ୍ର ସିଂହଙ୍କ ସାନ ଭାଇ ଏବଂ ମହାରାଜା କିଶାନ ସିଂହଙ୍କ ପୁଅ ହେଉଛନ୍ତି ରାଜା ମାନସିଂହ। ୧୯୨୧ , ଡିସେମ୍ବର ୫ରେ ସେ ଜନ୍ମ ହୋଇଥିଲେ। ଇଂଲଣ୍ଡ୍ରେ ଇଞ୍ଜିନିୟରିଂ ପଢ଼ିଥିଲେ ରାଜା ମାନସିଂହ। ଦିଗ୍ ନିର୍ବାଚନ ମଣ୍ଡଳୀରୁ ସେ ୧୯୫୨ରୁ ୧୯୮୪ ପର୍ଯ୍ୟନ୍ତ ଲଗାତାର ୭ ଥର ସ୍ବାଧୀନ ଭାବେ ନିର୍ବାଚନ ଜିତିଥିଲେ। ରାଜା ମାନସିଂହଙ୍କ ଝିଅ କ୍ରୀଷ୍ଣେନ୍ଦ୍ର କୌର ଦୀପା ରାଜସ୍ଥାନରେ ଶେଷ ବିଜେପି ସରକାରରେ ପର୍ଯ୍ୟଟନ ମନ୍ତ୍ରୀ ଥିଲେ।
Follow Us