Image Courtesy of India Today
ନୂଆଦିଲ୍ଲୀ: ଛୋଟ ଗୋଡ଼ ଓ କୋକିଶିଆଳି ପରି ମୁହଁ ଥିବା ଏକ ବିଶେଷ ପ୍ରଜାତିର କୁକୁର ଥିଲେ ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ ଖୁବ୍ ପ୍ରିୟ। ତେଣୁ, ଅନେକ ସମୟରେ ରାଣୀ ‘କୋର୍ଗି’ ପଲ ସହିତ ବୁଲାଚଲା କରୁଥିବା ଫଟୋରେ ଦେଖିବାକୁ ମିଳେ।
୨୦୧୨ରେ ଅନୁଷ୍ଠିତ ଲଣ୍ଡନ୍ ଅଲିମ୍ପିକ୍ ଉଦ୍ଘାଟନୀ ଉତ୍ସବ ନିମନ୍ତେ ପ୍ରସ୍ତୁତ ସ୍ବତନ୍ତ୍ର ଭିଡିଓରେ ଏବଂ ୨୦୧୬ ‘ଭେନିଟି ଫେୟାର୍’ ପ୍ରଚ୍ଛଦରେ ମଧ୍ୟ ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ ସହିତ ‘କୋର୍ଗି’ମାନେ ଥିଲେ।
Image Courtesy of India Todayଏଲିଜାବେଥ୍ଙ୍କୁ ୭ ବର୍ଷ ହୋଇଥିବା ବେଳେ ତାଙ୍କ ବାପା ହିଁ ପ୍ରଥମେ ତାଙ୍କୁ ‘କୋର୍ଗି’ଟିଏ ଉପହାର ଦେଇଥିଲେ। ପରବର୍ତ୍ତୀ ସମୟରେ ଏଲିଜାବେଥ୍ଙ୍କ ବାପା ରାଜା ୬ଷ୍ଠ ଜର୍ଜ ହୋଇଥିଲେ। ଏଲିଜାବେଥ୍ଙ୍କ ସାଙ୍ଗମାନଙ୍କ ମଧ୍ୟରୁ ଜଣକର ଗୋଟାଏ ‘କୋର୍ଗି’ କୁକୁର ଥିଲା। ତ’ପରେ ହିଁ ‘ଡୁକି’ ନାମକ ଗୋଟାଏ ‘କୋର୍ଗି’କୁ ପରବର୍ତ୍ତି ସମୟରେ ରାଜପ୍ରସାଦକୁ ଅଣାଯାଇଥିଲା।
ପରେ ଏଲିଜାବେଥ୍ଙ୍କ ୧୮ଶ ଜନ୍ମଦିନରେ ଉପହାର ମିଳିଥିବା ସୁସାନ୍ ନାମକ ‘କୋର୍ଗି’ କୁକୁରଠାରୁ ରାଜ ପ୍ରାସାଦରେ ‘କୋର୍ଗି’ କୁକୁର ପାଳନ ଆରମ୍ଭ ହୋଇଥିଲା। ସୁସାନ୍ ଥିଲା ‘ପେମ୍ବ୍ରୋକ୍ ୱେଲ୍ସ୍’ ପ୍ରଜାତିର ‘କୋର୍ଗି’ କୁକୁର। ତାହାରି ଠାରୁ ରାଜପ୍ରାସାଦର ବାକି ସବୁ ‘କୋର୍ଗି’ ଜନ୍ମ ନେଇଥିଲେ। ସବୁକୁ ମିଶାଇ ମହାରାଣୀଙ୍କର ସମୁଦାୟ ୩୦ଟି ‘କୋର୍ଗି’ ଥିଲେ। ‘ସୁସାନ୍’ର ବଂଶ ଲତିକାରେ ୬୦ଟି ‘କୋର୍ଗି’ ଓ ୫ଟି ‘ଡୋର୍ଗି’ ଜାତ ହୋଇଥିବା କଥା ‘ବିବିସି’ ରିପୋର୍ଟ କରିଥିଲା। ସୂଚନାଯୋଗ୍ୟ, ‘କୋର୍ଗି’ ଓ ‘ଡାଚେସ୍ହଣ୍ଡ୍’ ପ୍ରଜାତିର କୁକୁରଙ୍କ ମିଳନରୁ ‘ଡୋଗ୍ରି’ ପ୍ରଜାତିର କୁକୁର ସୃଷ୍ଟି ହୋଇଥିଲା।
Follow Us