ୱାଶିଂଟନ୍ ଡିସି: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରାମର୍ଶଦାତା ଏଲୋନ୍ ମସ୍କ ଦାବି କରିଛନ୍ତି ଯେ ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ "ରାଜନୈତିକ କାରଣ ପାଇଁ" ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍) ରେ "ପରିତ୍ୟକ୍ତ" ଅବସ୍ଥାରେ ଛାଡ଼ି ଦେଇଥିଲେ ପୂର୍ବ ସରକାର। ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଉପରେ ଏଭଳି ଅାରୋପ ଲଗାଇଛନ୍ତି। ଟ୍ରମ୍ପ ଏବଂ ମସ୍କ ଫକ୍ସ ନ୍ୟୁଜରେ ସେମାନଙ୍କର ପ୍ରଥମ ମିଳିତ ସାକ୍ଷାତକାର ପାଇଁ ବସିଥିବା ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି।
ଯେତେବେଳେ ଗଣମାଧ୍ୟମ ପ୍ରତିନିଧୀ ରାଷ୍ଟ୍ରପତି ଏବଂ ତାଙ୍କ ପରାମର୍ଶଦାତାଙ୍କୁ ମହାକାଶରେ ଫସି ରହିଥିବା ଦୁଇ ମହାକାଶଚାରୀଙ୍କ ବିଷୟରେ ପଚାରିଲେ ତ ମସ୍କ ତୁରନ୍ତ ଉତ୍ତର ଦେଇଥିଲେ କି ‘‘ ଆମେ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନକୁ ତ୍ୱରାନ୍ୱିତ କରୁଛୁ।’’
ସାକ୍ଷାତ୍କାରରେ ଟ୍ରମ୍ପ୍ କହିଲେ କି ‘‘ମୋତେ ଲାଗୁଛି ସେମାନଙ୍କୁ ଛାଡ଼ି ଦିଆଯାଇଥିଲା।’’ ମସ୍କ ରାଷ୍ଟ୍ରପତିଙ୍କ ଦାବିକୁ ସମର୍ଥନ କରି କହିଥିଲେ, "ହଁ, ରାଜନୈତିକ କାରଣରୁ ସେମାନଙ୍କୁ ସେଠାରେ ଛାଡି ଦିଆଯାଇଥିଲା, ଯାହା ଭଲ ନୁହେଁ।"
ସ୍ପେସ୍ ଏକ୍ସର ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ଫେରାଇ ଆଣିବା ପାଇଁ ମିସନ ବିଷୟରେ ପଚରାଯିବାରୁ ମସ୍କ କହିଥିଲେ, "ଆମେ ପୂର୍ବରୁ ଅନେକ ଥର ମହାକାଶଚାରୀମାନଙ୍କୁ ମହାକାଶ ଷ୍ଟେସନରୁ ଫେରାଇ ଆଣିଛୁ, ଏବଂ ସର୍ବଦା ସଫଳତାର ସହିତ।"
ମିସନର ସମୟସୀମା ବିଷୟରେ ପଚରାଯିବାରୁ ମସ୍କ କହିଥିଲେ, "ମୁଁ ଭାବୁଛି ସେମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରାୟ ଚାରି ସପ୍ତାହ ଲାଗିବ।"
Follow Us