Image Courtesy of Reuters
କେପ୍ କେନାଭେରାଲ୍: ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଦୁଇଜଣ ବ୍ୟକ୍ତି, ଜଣେ ସ୍ବାସ୍ଥ୍ୟ ସେବା କର୍ମୀ ଓ ସେମାନଙ୍କ ମହାକାଶ ଯାତ୍ରା ଖର୍ଚ୍ଚ ବହନ କରିଥିବା ଜଣେ ଧନୀ ବ୍ୟକ୍ତିଙ୍କୁ ନେଇ ଗତରାତିରେ ‘ସ୍ପେସ୍ଏକ୍ସ୍’ର ପ୍ରଥମ ଘରୋଇ ମହାକାଶଯାନ ଉତ୍କ୍ଷେପଣ କରାଯାଇଛି।
ଏହା ହେଉଛି ସମସ୍ତ ସୌଖିନ୍ କ୍ରୁ’ଙ୍କୁ (ସୌଖିନ୍ ମହାକାଶଚାରୀ) ନେଇ ପୃଥିବୀର କକ୍ଷପଥ ଅଭିମୁଖେ ଯାତ୍ରା କରିଥିବା ପ୍ରଥମ ରକେଟ୍। ଏଥିରେ କୌଣସି ପ୍ରବୀଣ ମହାକାଶଚାରୀ ନାହାନ୍ତି। ଏହି ରକେଟ୍ରେ ସଂଯୋଗ ହୋଇଥିବା ‘ଡ୍ରାଗନ୍ କ୍ୟାପ୍ସୁଲ୍’ ମଧ୍ୟରେ ଯାଇଥିବା ଦୁଇଜଣ ପୁରୁଷ ଏବଂ ଦୁଇଜଣ ମହିଳା ୩ ଦିନ ଧରି ମହାକାଶରେ ପୃଥିବୀ ଚାରିପଟେ ପ୍ରଦକ୍ଷଣ କରିବେ। ‘ଇଣ୍ଟର୍ନ୍ୟାସ୍ନାଲ୍ ସ୍ପେସ୍ ଷ୍ଟେସନ୍’ର କକ୍ଷପଥ ଠାରୁ ୧୬୦ କିଲୋମିଟର୍ ଉଚ୍ଚରେ ନିର୍ଦ୍ଧାରିତ କକ୍ଷ ପଥରେ ଥାଇ ତିନି ଦିନ ପୃଥିବୀ ଚତୁଃପାର୍ଶ୍ବରେ ବୁଲିବା ପରେ ଆଗାମୀ ସପ୍ତାହାନ୍ତରେ ‘ଡ୍ରାଗନ୍ କ୍ୟାପ୍ସୁଲ୍’ ‘କ୍ରୁ’ମାନଙ୍କ ସହ ଫ୍ଲୋରିଡା ଉପକୂଳବର୍ତ୍ତୀ ସମୁଦ୍ର ଜଳରାଶିରେ ଖସିପଡ଼ିବ।
ଏହି ମହାକାଶ ଯାତ୍ରାର ନେତୃତ୍ବ ନେଇଛନ୍ତି ୩୮ ବର୍ଷିୟ ଜାରେଡ୍ ଆଇଜାକ୍ମ୍ୟାନ୍। ତରୁଣ ବୟସରୁ ‘ପେମେଣ୍ଟ୍-ପ୍ରୋସେସିଙ୍ଗ୍ କମ୍ପାନି’ ଆରମ୍ଭ କରି ସେ ଅନେକ ଅର୍ଥ ଉପାର୍ଜନ କରିଛନ୍ତି। ସେ ଜଣେ ସୁଦକ୍ଷ ବିମାନଚାଳକ ମଧ୍ୟ। ଆଇଜାକ୍ମ୍ୟାନ୍ଙ୍କ ପୂର୍ବରୁ ଗତ ଜୁଲାଇ ମାସରେ ଆଉ ଦୁଇଜଣ କୋଟିପତି ଖୁବ୍ ସ୍ବଳ୍ପ ସମୟ ପାଇଁ ମହାକାଶକୁ ପର୍ଯ୍ୟଟକ ଭାବେ ଯାଇଥିଲେ। ସେମାନେ ହେଉଛନ୍ତି ଭର୍ଜିନ୍ ଗାଲାକ୍ଟିକ୍ସ୍ ରିଚାର୍ଡ ବ୍ରାନ୍ସନ୍ ଏବଂ ବ୍ଲୁ ଅରିଜିନ୍ର ଜେଫ୍ ବିଜୋସ୍।
Image Courtesy of Reuters‘ଇନ୍ପାଇରେସନ୍-ଫୋର୍’ ବୋଲି କୁହାଯାଉଥିବା ଏହି ମହାକାଶ ପର୍ଯ୍ୟଟନରେ ଆଇଜାକ୍ମ୍ୟାନ୍ଙ୍କ ସହ ଯାଇଛନ୍ତି ଟେନିସିର ମିମ୍ଫିସ୍ରେ ଥିବା ‘ସେଣ୍ଟ୍ ଜୁଡ୍ ଚିଲ୍ଡ୍ରେନ୍ସ୍ ରିସର୍ଚ ହସ୍ପିଟାଲ୍’ରେ ଜଣେ ଡାକ୍ତରଙ୍କ ସହକାରିଣୀ ଭାବେ କାର୍ଯ୍ୟ କରୁଥିବା ୨୯ ବର୍ଷୀୟ ହେଲି ଆର୍ସେନକ୍ସ୍। ସେ ପିଲାବେଳୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଉକ୍ତ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ।
ପ୍ରତିଯୋଗିତାରେ ବିଜୟୀ ହୋଇ ମହାକାଶ ପର୍ଯ୍ୟଟନରେ ଯାଇଥିବା ଅନ୍ୟ ଦୁଇଜଣ ହେଲେ ୱାସିଂଟନ୍ ଅନ୍ତର୍ଗତ ଇଭିରେଟ୍ର ଡାଟା ଇଞ୍ଜିନିୟର୍ ୪୨ ବର୍ଷିୟ କ୍ରିସ୍ ସିମ୍ବ୍ରୋସ୍କି ଏବଂ ଆରିଜୋନା ଅନ୍ତର୍ଗତ ଟିମ୍ପେସ୍ଥିତ କମ୍ୟୁନିଟି କଲେଜର୍ ଶିକ୍ଷକ ୫୧ ବର୍ଷିୟ ସିଆନ୍ ପ୍ରୋକ୍ଟର୍।
ସେମାନେ ପୁନଃବ୍ୟବହାର ଉପଯୋଗୀ କରାଯାଇଥିବା ‘ଫାଲ୍କନ୍ ରକେଟ୍’ରେ ‘କେନେଡି ସ୍ପେସ୍ ସେଣ୍ଟର୍ ପ୍ୟାଡ୍’ରୁ ମହାକାଶକୁ ଯାତ୍ରା କରିଛନ୍ତି।
Follow Us