ଭାରତୀୟଙ୍କୁ ସତର୍କ କରାଇଲା ଦୂତାବାସ: ବାହାରକୁ ନ ବାହାରିବାକୁ ପରାମର୍ଶ

Advertisment
ଭାରତୀୟଙ୍କୁ ସତର୍କ କରାଇଲା ଦୂତାବାସ: ବାହାରକୁ ନ ବାହାରିବାକୁ ପରାମର୍ଶ

କିବ୍‌ : ୟୁକ୍ରେନ୍‌ରେ ରହିଯାଇଥିବା ଭାରତୀୟମାନେ ବର୍ତ୍ତମାନ ଯୁଦ୍ଧ ସମୟରେ ସବୁ ପ୍ରକାର ସାବଧାନତା ଅବଲମ୍ବନ କରିବା ଏବଂ ବାହାରକୁ ନ ବାହାରିବା ପାଇଁ ଭାରତ ପକ୍ଷରୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ୟୁକ୍ରେନୀୟ ସହର ଉପରକୁ ରୁଷିଆର ଘନଘନ ଆକ୍ରମଣ ଦୃଷ୍ଟିରୁ ୟୁକ୍ରେନ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସେଠାରେ ଥିବା ଭାରତୀୟମାନଙ୍କୁ ସତର୍କ କରାଇ ଦିଆଯାଇଛି ଏବଂ ରାଜଧାନୀ କିବ୍ ଉପରେ ସବୁଠାରୁ ଅଧିକ ଆକ୍ରମଣ ହେଉଥିବା ସୂଚନା ଦିଆଯାଇଛି। ଯେଉଁମାନେ ବିଶେଷକରି ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ଅଛନ୍ତି ଏବଂ ଭାରତ ଫେରିପାରି ନାହାନ୍ତି, ସେମାନେ ଯଥାସମ୍ଭବ ଘରଭିତରେ ବା ଆଶ୍ରୟସ୍ଥଳରେ ରହିବା ପାଇଁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ବର୍ଡର ପୋଷ୍ଟରେ ଥିବା ଭାରତ ସରକାରଙ୍କ ଅଧିକାରୀମାନଙ୍କ ସହ ହେଲ୍‌ପଲାଇନ୍ ନମ୍ବରରେ ବା ଦୂତାବାସର ଜରୁରୀ ନମ୍ବରରେ ଯୋଗାଯୋଗ ନ କରି ଦେଶ ଛାଡ଼ି ଆସିବାକୁ ଚେଷ୍ଟା ନ କରିବା ପାଇଁ ସଚେତନ କରାଇ ଦିଆଯାଇଛି।

କେତେକ ସୀମାନ୍ତ ଚେକ୍‌ପଏଣ୍ଟରେ ପରିସ୍ଥିତି ସମ୍ବେଦନଶୀଳ ରହିଛି ଏବଂ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ଭାବେ ଫେରିବାରେ ସହାୟତା କରିବା ପାଇଁ ବ୍ୟବସ୍ଥା କରାଯାଉଛି। ବିନା ପ୍ରାକ୍‌-ସୂଚନାରେ ଭାରତୀୟ ନାଗରିକମାନେ ସୀମାନ୍ତ ଚେକ୍‌ପୋଷ୍ଟକୁ ଆସିବାକୁ ଉଦ୍ୟମ କଲେ ଏହା ସେମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ। ସେଠାରେ ଥିବା ଭାରତୀୟମାନଙ୍କୁ ନିରାପଦରେ ପଡ଼ୋଶୀ ହଙ୍ଗେରୀ, ରୋମାନିଆ ଓ ପୋଲାଣ୍ଡ ଆଦିକୁ ଚାଲିଯିବାରେ ସହାୟତା କରିବା ପାଇଁ ଶୁକ୍ରବାର ଭାରତ ପଶ୍ଚିମ ୟୁକ୍ରେନ୍‌ର ଲିବ୍ ଓ ଚେର୍ଣ୍ଣିବ୍‌ସି ସହରରେ କ୍ୟାମ୍ପ ଅଫିସ ଆରମ୍ଭ କରିଛି। ହଙ୍ଗେରିର ଜାହୋନି ସୀମାନ୍ତ ପୋଷ୍ଟ, କ୍ରାକୋଇକ ଏବଂ ପୋଲାଣ୍ଡର ଶେହିନି-ମେଡିକା ସୀମାନ୍ତ ପୋଷ୍ଟ ପ୍ରଭୃତିଠାରେ ଅଧିକାରୀମାନଙ୍କ ଦଳକୁ ନିୟୋଜିତ କରିଛି। ତେଣୁ ଏଭଳି ଯୁଦ୍ଧ ଘନଘଟା ସମୟରେ ୟୁକ୍ରେନ୍ ଛାଡ଼ିବାକୁ ଚାହୁଁଥିବା ଭାରତୀୟମାନେ ଦୂତାବାସର ଜରୁରୀ ନମ୍ବର ବା ପ୍ରଦତ୍ତ ହେଲ୍‌ପଲାଇନ୍ ନମ୍ବରରେ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe