ଅଦମନୀୟ ଯୋଦ୍ଧା ବିପିନ ରାୱତ

Advertisment

ଭାରତର ପ୍ରଥମ ସିଡିଏସ୍‌ , ଗୋର୍ଖା ରେଜିମେଣ୍ଟ ଅଫିସର, ସର୍ଜିକାଲ ଷ୍ଟ୍ରାଇକ୍‌ର ରଣନୀତିକାର

ଭାରତର ପ୍ରଥମ ସିଡିଏସ୍‌ , ଗୋର୍ଖା ରେଜିମେଣ୍ଟ ଅଫିସର, ସର୍ଜିକାଲ ଷ୍ଟ୍ରାଇକ୍‌ର ରଣନୀତିକାର

ଅଦମନୀୟ ଯୋଦ୍ଧା ବିପିନ ରାୱତ

india today

ନୂଆଦିଲ୍ଲୀ: ସିଡିଏସ୍‌ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କର ଆଜି ‌ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଦେଶର ଏହି ବୀର ଯବାନଙ୍କ ବିୟୋଗ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଭାରତୀୟ ସ୍ଥଳ ସେନାର ପ୍ରଥମ ଅଫିସର ଭାବେ ଜେନେରାଲ ବିପିନ ରାୱତ ୨୦୧୯ରେ ସିଡିଏସ୍‌ (ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌) ପଦବିରେ ଅବସ୍ଥାପିତ ହୋଇଥିଲେ।

ତିନି ସେନାକୁ ଏକୀକୃତ କରି ନୂଆ ଚ୍ୟାଲେଂଜ ସାମ୍ନା କରିବାପାଇଁ ଭାରତ ସରକାର ପ୍ରଥମ କରି ଏହି ନୂଆ ପଦବି ସୃଷ୍ଟି କରିଥିଲେ। ଭାରତୀୟ ସ୍ଥଳସେନାରୁ ଅବସର ନେବାର ଦିନକ ପୂର୍ବରୁ ରାୱତ ସିଡିଏସ୍‌ ହୋଇଥିଲେ। ଜେନେରାଲ ବିପିନ ରାୱତ ଗୋର୍ଖା ରେଜିମେଣ୍ଟ୍‌ର ଜଣେ ଅଫିସର। ଗୋର୍ଖା ରେଜିମେଣ୍ଟ୍‌ର ଚତୁର୍ଥ ଅଫିସର ଭାବେ ସେ ଭାରତୀୟ ସ୍ଥଳସେନାର ମୁଖ୍ୟ ହୋଇଛନ୍ତି। ସିଡିଏସ୍‌ ଭାବେ ଜେନେରାଲ ରାୱତ ସାମରିକ ବିଷୟବସ୍ତୁ ସଂକ୍ରାନ୍ତରେ ସରକାରଙ୍କର ଏକକ ପରାମର୍ଶଦାତା ଥିଲେ। ରାୱତ ଏହି ଦାୟିତ୍ବରେ ରହି ଭାରତୀୟ ସ୍ଥଳସେନା, ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନା ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରିଥିଲେ।

ଜେନେରାଲ ରାୱତ ସିମ୍‌ଲାର ସେଣ୍ଟ୍‌ ଏଡୱାର୍ଡ ସ୍କୁଲର ପୂର୍ବତନ ଛାତ୍ର। ମହାରାଷ୍ଟ୍ରର ଖଡ଼କୱାସଲାରେ ସେ ଏନ୍‌ଡିଏ (ଜାତୀୟ ପ୍ରତିରକ୍ଷା ଏକାଡେମି)ରେ ଅଧ୍ୟୟନ କରିଛନ୍ତି। ଉତ୍ତରାଖଣ୍ଡର ଡେରାଡୁନରେ ସେ ଭାରତୀୟ ସାମରିକ ଏକାଡେମିରେ ତାଲିମ ନେଇଛନ୍ତି। ଜେନେରାଲ ରାୱତ ଏଲ୍‌ଏସି ନିକଟ‌ରେ ଏକ ଇନଫ୍ୟା‌ଣ୍ଟ୍ରି ବାଟାଲିଅନ୍‌କୁ କମାଣ୍ଡ୍‌ କରିଥିଲେ। କାଶ୍ମୀର ଉପତ୍ୟକା ଏବଂ ଉତ୍ତରପୂର୍ବରେ ବି ସେ ଏକ ଇନଫ୍ୟାଣ୍ଟ୍ରି ବାଟାଲିଅନ୍‌କୁ କମାଣ୍ଡ କରିଥିଲେ।

୨୦୧୬ ଡିସେମ୍ବର ୩୧ରେ ଜେନେରାଲ ରାୱତ ସେନା ମୁଖ୍ୟ ହୋଇଥିଲେ। ୪ - ଷ୍ଟାର ସାମରିକ ଅଧିକାରୀ ଜେନେରାଲ ରାୱତ ୨୦୧୯, ଡିସେମ୍ବର ୩୦ରେ ସିଡିଏସ୍‌ ଭାବେ ନିଯୁକ୍ତ ହୋଇଥିଲେ। ସିଡିଏସ୍‌ ଭାବେ ଜେନେରାଲ ରାୱତ ସାମରିକ ବ୍ୟାପାର ବିଭାଗର ମଧ୍ୟ ମୁଖ୍ୟ ରହିଥିଲେ।

ଜେନେରାଲ ରାୱତ ଦେଶର ପ୍ରତିରକ୍ଷା ବିଭାଗରେ ୪ ଦଶନ୍ଧିର ସେବା କରିଛନ୍ତି। ବ୍ରିଗେଡ କମାଣ୍ଡର, ଜେନେରାଲ ଅଫିସର କମାଣ୍ଡିଙ୍ଗ ଇନ ଚିଫ୍‌ (ଜିଓସି-ସି) ସର୍ଦ୍ଦନ୍‌ କମା‌ଣ୍ଡ, ସାମରିକ ଅପରେସନ ନିର୍ଦ୍ଦେଶାଳୟରେ ଜେନେରାଲ ଷ୍ଟାଫ୍‌ ଅଫିସର ଗ୍ରେଡ୍‌-୨, ସାମରିକ ସଚିବ ଶାଖାରେ କର୍ନେଲ୍‌, ସାମରିକ ସଚିବ ଏବଂ ଉପ ସାମରିକ ସଚିବ, କନିଷ୍ଠ କମାଣ୍ଡ ଶାଖାରେ ବରି‌ଷ୍ଠ ନିର୍ଦ୍ଦେଶକ ଭଳି ପଦବିରେ ରାୱତ ରହିଛନ୍ତି। ସେ ମଧ୍ୟ ୟୁଏନ୍‌ପିଏଫ୍‌ (ଜାତିସଂଘ ଶାନ୍ତିରକ୍ଷା ବାହିନୀ)ର ଅଂଶବିଶେଷ ଥିଲେ। ରାୱତ ତାଙ୍କ କ୍ୟାରିୟର ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସବୁଠାରୁ ଭରସାଯୋଗ୍ୟ ଅଧକାରୀ ରାୱତ ମିଆଁମାରରେ ୨୦୧୫ ସୀମାପାର ଅପରେସନର ପରିଚାଳନା କରିଥିଲେ ଏବଂ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ୍‌ର ସେ ଅନ୍ୟତମ ରଣନୀତିକାର ରହିଥିଲେ।

୨୦୧୯ ବାଲାକୋଟ ବିମାନ ଆକ୍ରମଣ ସମୟରେ ରାୱତ ସେନାମୁଖ୍ୟ ଥିଲେ। ଉରି ସ୍ଥିତ ସେନା ଘାଟି ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଯୋଜନା ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ତାଙ୍କର ବିଚକ୍ଷଣ ରଣନୀତିର ନିଦର୍ଶନ ଥିଲା। ରାୱତଙ୍କୁ ପରମ ବିଶିଷ୍ଟ ସେବା ମେଡାଲ୍‌, ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ, ବିଶିଷ୍ଟ ସେବା ମେଡାଲ ଏବଂ ଯୁଦ୍ଧ ସେବା ମେଡାଲ୍‌ ମିଳିଛି। ଜେନେରାଲ ରାୱତ ଉତ୍ତରାଖଣ୍ଡର ପୌଡ଼ିରେ ଜନ୍ମ ହୋଇଥିଲେ। ଅନେକ ପିଢ଼ି ଧରି ରାୱତଙ୍କ ପରିବାର ସଦସ୍ୟ ଭାରତୀୟ ସେନାରେ ସେବା କରିଛନ୍ତି। ରାୱତଙ୍କ ବାପା ଲକ୍ଷ୍ମଣ ସିଂହ ରାୱତ ଲେପ୍ଟନାଣ୍ଟ ଜେନେରାଲ ରୢାଙ୍କ୍‌ର ଅଧିକାରୀ ଥିଲେ। ରାୱତଙ୍କ ପତ୍ନୀ ମଧୁଲିକା ଆର୍ମି ୱାଇଫ୍‌ସ ୱେଲ୍‌ଫେୟାର ଆସୋସିଏସନର ସଭାପତି ଅଛନ୍ତି। ସେମାନଙ୍କର ଦୁଇ ଝିଅ (କୃତିକା ଏବଂ ତାରିଣୀ) ଅଛନ୍ତି।

ଦେଶର ସୁରକ୍ଷାରେ ରାୱତଙ୍କ ଯାତ୍ରା ୧୯୫୮-୨୦୨୧

ଦେଶର ପ୍ରଥମ ସିଡିଏସ୍‌ (ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌) ଜେନେରାଲ ବିପିନ ରାୱତ। ଦେଶର ସୁରକ୍ଷା କ୍ଷେତ୍ରରେ ତାଙ୍କର ଲମ୍ବା ଜୀବନଯାତ୍ରା ଶେଷରେ ଅତ୍ୟନ୍ତ ବେଦନାଦାୟକ ଭାବେ ଶେଷ ‌ହୋଇଛି।
୧୯୭୮ ଡିସେମ୍ବରରେ ୧୧ ଗୋର୍ଖା ରାଇଫଲ୍‌ର ପଞ୍ଚମ ବାଟାଲିଅନରେ ରାୱତ ଯୋଗ ଦେଇଥିଲେ।

୨୦୧୬ ସେପ୍ଟେମ୍ବର ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ସେ ଭାରତୀୟ ସ୍ଥ‌ଳସେନାର ଉପମୁଖ୍ୟ ଥିଲେ।

୨୦୧୬ ଡିସେମ୍ବର ୩୧ରେ ଭାରତୀୟ ସ୍ଥଳସେନାର ୨୭ତମ ମୁଖ୍ୟ ହେଲେ।

ଜାନୁଆରି ୨୦୨୦ରେ ସିଡିଏସ୍‌ (ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌) ଦାୟିତ୍ବ ନେଇଥିଲେ।

ଆତଙ୍କବାଦ ନିରୋଧ ଅପରେସନ୍‌ରେ ତାଙ୍କର ୧୦ ବର୍ଷର ଅଭିଜ୍ଞତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe