ନୂଆଦିଲ୍ଲୀ/ଭୁବନେଶ୍ୱର: ବିଚାରଗତ ଭ୍ରାନ୍ତି ଦୂର କରି ମାତୃଶକ୍ତିର ସଶକ୍ତିକରଣ ବର୍ତ୍ତମାନ ସମୟର ଆହ୍ୱାନ ବୋଲି ଆଜି ନୂଆଦିଲ୍ଲୀ ଠାରେ ‘ଭାରତୀ-ନାରୀ ସେ ନାରାୟଣୀ’ର ଉଦଯାପନୀ ଅଧିବେଶନ ‘କୃତି’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ‘ଅନ୍ତର୍ଜାତୀୟ ମହିଳା ଦିବସ’ ଅବସରରେ ରାଷ୍ଟ୍ରୀୟ ବିଦ୍ୱତ ପରିଷଦ ଏବଂ ରାଷ୍ଟ୍ର ସେବିକା ସମିତି ଦ୍ୱାରା ଆୟୋଜିତ ଦୁଇ ଦିନିଆ ମହିଳା ବିଚାରକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ ମାତୃଶକ୍ତିର ଗୌରବ ଗାନ କରିଛନ୍ତି।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜର ଅଭିଭାଷଣ ରଖି କହିଛନ୍ତି ଯେ, ‘ନାରୀ ତୁ ନାରାୟଣୀ’ ଆମ ସଂସ୍କୃତି ଓ ସଭ୍ୟତାର ମୂଳ ଅବଧାରଣା। ଏହି ସମ୍ମିଳନୀ ସେହି ପବିତ୍ର ବିଚାରଧାରାର ଏକ ପ୍ରତିଫଳନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ୨୦୩୫ ସୁଦ୍ଧା ଭାରତକୁ ମାକାଉଲେଙ୍କ ଗୋଲାମୀ ମାନସିକତାରୁ ମୁକ୍ତ କରିବାକୁ ହେବ। ଏହି ଔପନିବେଶିକ ମାନସିକତା ଯୋଗୁଁ ସମାଜରେ ଯେଉଁ ବିଚାରଗତ ବିଭ୍ରାଟ ସୃଷ୍ଟି ହୋଇଛି, ତାହାର ସବୁଠାରୁ ଅଧିକ କ୍ଷତି ଆମର ମାତୃଶକ୍ତି ସହିଛନ୍ତି। ଆମର ମୂଳ ପରମ୍ପରାକୁ ବଦଳାଇବା ପାଇଁ ହୋଇଥିବା ପ୍ରୟାସକୁ ଏବେ ସଂସ୍କାର କରିବାର ସମୟ ଆସିଛି।
ଆହୁରି ପଢ଼ନ୍ତୁ: Dharmendra Pradhan ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ
ମହିଳା ନେତୃତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ହୋଇଥିବା ମନ୍ଥନ ପ୍ରଶଂସନୀୟ। ବେଟି ଏବଂ ମାତୃଶକ୍ତିର ସଶକ୍ତିକରଣ ସଂକଳ୍ପକୁ ସିଦ୍ଧ କରିବା ପାଇଁ ଆମକୁ ଏକ ସମାବେଶୀ ଦୃଷ୍ଟିଭଙ୍ଗୀ ଏବଂ ସାମଗ୍ରିକ ଦୃଷ୍ଟିକୋଣ ସହ ଆଗକୁ ବଢ଼ିବାକୁ ହେବ। ଶ୍ରୀ ପ୍ରଧାନ ଏହି ଦୁଇ ଦିନିଆ ସମ୍ମିଳନୀରୁ ନିର୍ଗତ ହୋଇଥିବା ଅମୃତ ବିଚାରକୁ ଦେଶବାସୀଙ୍କ ସମ୍ମୁଖରେ ପ୍ରଖରତାର ସହ ଉପସ୍ଥାପନ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଟି. ପ୍ରଧାନ, ପ୍ରତିଷ୍ଠିତ ହିନ୍ଦୁ ସନ୍ନ୍ୟାସିନୀ ତଥା ସମାଜସେବୀ ପଦ୍ମଭୂଷଣ ସାଧ୍ୱୀ ରିତାମ୍ଭରା, ବହୁ ବିଶିଷ୍ଟ ମହିଳା ବିଚାରକ ଏବଂ ଶିକ୍ଷାବିତମାନେ ଉପସ୍ଥିତ ଥିଲେ।
Follow Us