ହମାସ ସହ ୭ ଦିନର ଯୁଦ୍ଧବିରତି ଶେଷ: ଗାଜାରେ ପୁଣି ଇସ୍ରାଏଲର ବୋମାମାଡ଼

Advertisment
ହମାସ ସହ ୭ ଦିନର ଯୁଦ୍ଧବିରତି ଶେଷ: ଗାଜାରେ ପୁଣି ଇସ୍ରାଏଲର ବୋମାମାଡ଼

ତେଲ ଅଭିଭ: ଇସ୍ରାଏଲ ଓ ହମାସ ମଧ୍ୟରେ ସପ୍ତାହେ ଧରି ଚାଲିଥିବା ଯୁଦ୍ଧବିରତି ଶେଷ ହେବା ପରେ ଶୁକ୍ରବାରଠାରୁ ଗାଜାରେ ପୁଣି ଯୁଦ୍ଧ ଆରମ୍ଭ ହୋଇଛି ଏବଂ ଏହାର କିଛି ମିନିଟ୍ ପରେ ପ୍ରଥମ ମୃତ୍ୟୁ ଘଟିଛି ବୋଲି ପାଲେଷ୍ଟାଇନ୍ ଅଞ୍ଚଳର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି। ଯୁଦ୍ଧବିରତି ଶେଷ ହେବାର ପ୍ରଥମ ୯୦ ମିନିଟ୍ ମଧ୍ୟରେ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ନିକ୍ଷେପ ଏବଂ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ଉତ୍ତର ଗାଜା ଉପରେ ଧୂମକୁଣ୍ଡଳୀ ଛାଇଯାଇଥିଲା।

ଇସ୍ରାଏଲ ସେନା କହିଛି ଯେ ଯୁଦ୍ଧ ବିମାନଗୁଡ଼ିକ ବର୍ତ୍ତମାନ ଗାଜାରେ ଥିବା ହମାସ ଟାର୍ଗେଟ ଉପରେ ଆକ୍ରମଣ କରୁଛି। ଦକ୍ଷିଣ ଗାଜାର ରାଫାରେ ଥିବା ଅଲ୍-ନାଜର ହସ୍ପିଟାଲର ନିର୍ଦ୍ଦେଶକ ମାର୍ୱାନ ଅଲ୍-ହାମ୍ସ କହିଛନ୍ତି ଯେ ଆକ୍ରମଣରେ ସହରରେ ୪ ଜଣ ଶିଶୁଙ୍କ ସମେତ ଅତି କମ୍‌ରେ ୧୨ ଜଣ ପ୍ରାଣ ହରାଇଛନ୍ତି। ହମାସ୍‌ ମଧ୍ୟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି। ଅନ୍ୟପଟେ ଗାଜା ସିଟିରେ ହୋଇଥିବା ବିମାନ ଆକ୍ରମଣରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି ବୋଲି ସହରର ଅଲ୍-ଆହଲି ହସ୍ପିଟାଲର ଡାକ୍ତର ଫଡେଲ ନଇମ୍ କହିଛନ୍ତି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ କହିଛି ଯେ ହମାସ ଯୁଦ୍ଧବିରତି ଉଲ୍ଲଂଘନ କରିବା ପରେ ପୁଣି ଥରେ ଲଢ଼େଇ ଆରମ୍ଭ ହୋଇଛି। ଯୁଦ୍ଧର ଲକ୍ଷ୍ୟ ହେଉଛି- ବନ୍ଦୀମାନଙ୍କୁ ମୁକ୍ତ କରିବା, ହମାସକୁ ନିପାତ କରିବା ଏବଂ ଗାଜା ଯେପରି ଇସ୍ରାଏଲ ବାସିନ୍ଦାଙ୍କ ପାଇଁ ଆଉ ବିପଦ ସୃଷ୍ଟି କରିପାରିବ ନାହିଁ ତାହା ସୁନିଶ୍ଚିତ କରିବା ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ତେବେ ଯୁଦ୍ଧ ପୁନଃ ଆରମ୍ଭ ହୋଇଥିଲେ ମଧ୍ୟ କତର ଓ ଇଜିପ୍ଟର ମଧ୍ୟସ୍ଥିମାନଙ୍କ ଜରିଆରେ ଆଲୋଚନା ଜାରି ରହିଛି ବୋଲି ଏକ ସୂତ୍ରରୁ ପ୍ରକାଶ। ସାତ ଦିନର ଯୁଦ୍ଧବିରତି ସମୟରେ ପାଲେଷ୍ଟାଇନ୍ କଏଦୀଙ୍କ ବଦଳରେ ବହୁ ସଂଖ୍ୟାରେ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିଲା ଏବଂ ଗାଜାରେ ଅଧିକ ସହାୟତା ପ୍ରବେଶ କରିଥିଲା। ଗାଜାରେ ୮୦ ପ୍ରତିଶତ ଲୋକ ବିସ୍ଥାପିତ ହୋଇଛନ୍ତି ଏବଂ ଖାଦ୍ୟ, ପାଣି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ସହ ସଂଘର୍ଷ କରୁଛନ୍ତି।

ଇଜିପ୍ଟ ଓ ଆମେରିକାର ସମର୍ଥନରେ କତର ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତି ସମୟରେ ୨୪୦ ପାଲେଷ୍ଟିନୀୟ କଏଦୀଙ୍କ ବଦଳରେ ୮୦ ଜଣ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରାଯାଇଥିଲା। ତା’ଛଡ଼ା ୨୦ରୁ ଅଧିକ ବିଦେଶୀ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଇସ୍ରାଏଲରେ ରହୁଥିବା ଥାଇଲାଣ୍ଡ ନାଗରିକ, ତାଙ୍କୁ ଚୁକ୍ତି ପରିସର ବାହାରେ ମୁକ୍ତ କରାଯାଇଥିଲା। ଦୁଇ ଜଣ ମହିଳାଙ୍କୁ ମୁକ୍ତ କରିବାର କିଛି ଘଣ୍ଟା ପରେ ଗୁରୁବାର ବିଳମ୍ବିତ ରାତିରେ ଆଉ ୬ ଜଣ ଇସ୍ରାଏଲୀଙ୍କୁ ମୁକ୍ତ କରାଯାଇଥିଲା। ଅନ୍ୟପକ୍ଷରେ ହମାସ ଯୁଦ୍ଧବିରତି ଚୁକ୍ତିର ଉଲ୍ଲଂଘନ କରିଛି ବୋଲି ଇସ୍ରାଏଲ ଅଭିଯୋଗ କରିଛି। ହମାସ୍‌ର ମୂଳପୋଛକୁ କେହି ରୋକିପାରିବେ ନାହିଁ ବୋଲି ଆଜି ଇସ୍ରାଏଲ ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe