image source--the news minute
ନୂଆଦିଲ୍ଲୀ: ଭାରତରେ ତମାମ୍ କଟକଣା ସତ୍ତ୍ବେ ଜାଲ୍ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇ ବିମାନ ଓ ରେଳଯାତ୍ରାରେ ଲୋକମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତାୟତ କରୁଥିବା ମାମଲା ବୃଦ୍ଧି ହେଉଥିବା ଜଣାପଡ଼ିଛି। ଅନେକ ରାଜ୍ୟମାନଙ୍କ ଦ୍ବାରା କରୋନାର ଦ୍ବିତୀୟ ଲହର କାଳରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ରେଳ ଓ ବିମାନ ଯୋଗେ ଯାତ୍ରା ସମୟରେ କରୋନା ନେଗେଟିଭ ରିପୋର୍ଟ ସହ ଯାତ୍ରା ପାଇଁ ବାଧ୍ୟତାମୂଳକ କରାଯାଇଥିବା ବେଳେ ନିକଟରେ ଗୋଆ, ଦିଲ୍ଲୀ, ଉତ୍ତର ପ୍ରଦେଶ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରେ ଏମିତି କିଛି ମାମଲା ନଜରକୁ ଆସିଛି, ଯେଉଁଥିରେ ଯାତ୍ରା କରୁଥିବା ବ୍ୟକ୍ତିମାନେ ଅନ୍ୟମାନଙ୍କର ଆରଟିପିସିଆର ନେଗେଟିଭ ରିପୋର୍ଟ ସଫ୍ଟୱେର ଜରିଆରେ ଜାଲ୍ କରି ଭ୍ରମଣ କରୁଛନ୍ତି।
ଏଥିସହିତ କିଛି ବ୍ୟକ୍ତି ବହୁତ ଦିନ ପୂର୍ବରୁ କରିଥିବା ଆରଟିପିସିଆର ନେଗେଟିଭ ରିପୋର୍ଟରେ ତାରିଖ ବଦଳାଇ ଦେଇ ଯାତ୍ରା କରୁଛନ୍ତି। ଏଭଳି ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପ ସଂକ୍ରମଣକୁ ପ୍ରସାର କରିବାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ରୂପେ ଭାଗିଦାର ହେବାର ସମ୍ଭାବନାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଥିବା ବେଳେ କିଛି ମାମଲାରେ ପୁଲିସ ଦ୍ବାରା ଜାଲ ନେଗେଟିଭ୍ ରିପୋର୍ଟ ଦେଖାଉଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ମାମଲାଗୁଡ଼ିକ ବୃଦ୍ଧି ହେଉଥିବାରୁ ବିଭିନ୍ନ ରାଜ୍ୟର ବିମାନବନ୍ଦର ଓ ରେଳଷ୍ଟେସନ ମାନଙ୍କରେ ଯାଞ୍ଚ କାର୍ଯ୍ୟକୁ କଡାକଡି କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସଫଟ୍ୱେର ଜରିଆରେ ଜାଲ୍ କରାଯାଉଥିବା ନେଗେଟିଭ ରିପୋର୍ଟକୁ ହଠାତ୍ ଯାଞ୍ଚ କରାଯିବା ସମୟରେ ପ୍ରଥମେ କୌଣସି ଅସମାନତା ପରିଲକ୍ଷିତ ହେଉନାହିଁ।
Follow Us