rappler.com
ନୂଆଦିଲ୍ଲୀ : ମହାମାରୀ ଅଧିନିୟମ (ଏପିଡେମିକ୍ ଡିଜିଜେସ୍ ଆକ୍ଟ)ରେ ଡେଙ୍ଗୁ, ଚିକୁନ୍ଗୁନିଆ ଓ ମ୍ୟାଲେରିଆ ପରି ମଶାଜନିତ ସଂକ୍ରାମକ ରୋଗକୁ ସୂଚନୀୟ ରୋଗ (ନୋଟିଫାଏବ୍ଲ ଡିଜିଜ୍) ତାଲିକାଭୁକ୍ତ କରାଗଲା ବୋଲି ଏକ ସରକାରୀ ବିଜ୍ଞପ୍ତିରୁ ଜଣାପଡ଼ିଛି। ଏହାଦ୍ବାରା ହସ୍ପିଟାଲଗୁଡ଼ିକ ଏ ରୋଗ ସମ୍ପର୍କୀୟ ସୂଚନା ସରକାରଙ୍କୁ ଦେବାକୁ ବାଧ୍ୟ ହେବେ। ହସ୍ପିଟାଲଗୁଡ଼ିକରୁ ପ୍ରାପ୍ତ ତଥ୍ୟ ଆଧାରରେ କେଉଁ ଅଞ୍ଚଳରେ ଏସବୁ ରୋଗ ଅଧିକ ବ୍ୟାପୁଛି, ତାହା ସରକାର ଜାଣିପାରିବେ ଏବଂ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ନେଇପାରିବେ।
ବିଜ୍ଞପ୍ତି ଅନୁସାରେ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଯଦି ରୋଗ ସଂକ୍ରମଣ ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ସୂଚନା ନ ଦିଅନ୍ତି ବା ନିଜ ସ୍ତରରେ ଆବଶ୍ୟକ ପଦକ୍ଷେପ ନ ନିଅନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଚଳିତବର୍ଷ ରାଜଧାନୀ ଦିଲ୍ଲୀରେ ୧୦୦୦ରୁ ଊର୍ଦ୍ଧ୍ବ ଡେଙ୍ଗୁ ମାମଲା ଚିହ୍ନଟ ହୋଇଥିବା ବେଳେ ୨୮୦ରୁ ଅଧିକ ମାମଲା କେବଳ ଗତ ସପ୍ତାହରେ ରିପୋର୍ଟ ହୋଇଛି। ଅକ୍ଟୋବରର ପ୍ରଥମ ୨୩ ଦିନରେ ୬୬୫ଟି ମାମଲା ଚିହ୍ନଟ ହୋଇଛି।
Follow Us