ୱାସିଂଟନ: ଯୌନ ଚାଲାଣ ଦୁର୍ନୀତିର କେନ୍ଦ୍ରବିନ୍ଦୁ ଥିବା କୁଖ୍ୟାତ ଜେଫ୍ରି ଏପଷ୍ଟାଇନ୍ଙ୍କ ମୃତ୍ୟୁ ପରେ, ତାଙ୍କର ଗୁପ୍ତ ଫାଇଲଗୁଡ଼ିକ ଏବେ ବିଶ୍ୱର ରାଜନୈତିକ ମହଲରେ ଭୂକମ୍ପ ସୃଷ୍ଟି କରିଛି। ଏହି ଫାଇଲଗୁଡ଼ିକରେ ଅନେକ ହାଇ-ପ୍ରୋଫାଇଲ୍ ବ୍ୟକ୍ତି ଓ କ୍ଷମତାଶାଳୀ ବିଶ୍ୱ ନେତାଙ୍କ ନାମ ପ୍ରକାଶ ପାଇବା ପରେ ଆମେରିକା, ୟୁକେ, ଫ୍ରାନ୍ସ ଓ ନରୱେ ଭଳି ଦେଶରେ ଇସ୍ତଫା ଦେବାର ଏକ ଧାରା ସୃଷ୍ଟି ହୋଇଛି। ଯାଞ୍ଚ୍ ପରିସରକୁ ଆସିଥିବା ଉଚ୍ଚ-ପଦସ୍ଥ ଅଧିକାରୀମାନଙ୍କ ଯୋଗୁ ଏକ ବଡ଼ ଆନ୍ତର୍ଜାତୀୟ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି।
ଲେବର ପାର୍ଟି-ରାଜପରିବାର ପର୍ଯ୍ୟନ୍ତ ପହଞ୍ଚିଲା ତାତି
ଏପଷ୍ଟାଇନ୍ ଫାଇଲ୍ରେ ପ୍ରକାଶିତ ତଥ୍ୟ ବ୍ରିଟେନ୍ରେ ସର୍ବାଧିକ ପ୍ରଭାବ ପକାଇଛି। ପୂର୍ବତନ ବ୍ରିଟିଶ୍ ରାଷ୍ଟ୍ରଦୂତ ଓ ହାଉସ୍ ଅଫ୍ ଲର୍ଡସ୍ର ସଦସ୍ୟ ପିଟର୍ ମାଣ୍ଡେଲସନ୍ ଲେବର ପାର୍ଟିରୁ ଇସ୍ତଫା ଦେଇଛନ୍ତି। ଦଲିଲଗୁଡ଼ିକରୁ ଜଣାପଡ଼ିଛି ଯେ, ଏପଷ୍ଟାଇନ୍ ମାଣ୍ଡେଲସନ୍ଙ୍କ ସହ ଜଡିତ ଆକାଉଣ୍ଟ୍କୁ ମୋଟ ୭୫ ହଜାର ଡଲାରର ତିନୋଟି ପେମେଣ୍ଟ କରିଥିଲେ। ଏହା ସହିତ, ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଚିଫ୍ ଅଫ୍ ଷ୍ଟାଫ୍ ମୋର୍ଗାନ୍ ମ୍ୟାକସ୍ୱିନି ମଧ୍ୟ ତାଙ୍କ ପଦବୀ ହରାଇଛନ୍ତି। ମ୍ୟାକସ୍ୱିନି ମାଣ୍ଡେଲସନଙ୍କୁ ଆମେରିକାରେ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ। ଏହି ନିଷ୍ପତ୍ତିକୁ ସେ ଏବେ ଏକ ବଡ଼ ଭୁଲ୍ ଭାବରେ ସ୍ୱୀକାର କରିଛନ୍ତି ଓ ଇସ୍ତଫା ଦେଇଛନ୍ତି। ଏହି ସମୟରେ ରାଜପରିବାରର ପୂର୍ବତନ ରାଜକୁମାର ଆଣ୍ଡ୍ରୁଙ୍କ ଉପରେ ଆମେରିକୀୟ କଂଗ୍ରେସ ସମ୍ମୁଖରେ ସାକ୍ଷ୍ୟ ଦେବା ପାଇଁ ଚାପ ବୃଦ୍ଧି ପାଇଛି।
ଅଧିକପଢ଼ନ୍ତୁ:ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା: ଶ୍ୱାସକ୍ରିୟାରେ ଅସୁବିଧା, ହସ୍ପିଟାଲରେ ଭର୍ତ୍ତି
ପୂର୍ବତନ ପ୍ରଧାନମନ୍ତ୍ରୀ-ମନ୍ତ୍ରୀଙ୍କ ଉପରେ ବଜ୍ରପାତ
ପୂର୍ବତନ ଫରାସୀ ସଂସ୍କୃତି ମନ୍ତ୍ରୀ ଜ୍ୟାକସ୍ ଲାଙ୍ଗଙ୍କ ନାମ ଫାଇଲରେ ୬୭୦ ରୁ ଅଧିକ ଥର ଆସିବା ପରେ ସେ ଆରବ ୱାର୍ଲ୍ଡ ଇନଷ୍ଟିଚ୍ୟୁଟର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ଏବେ ଏକ ଆର୍ଥିକ ତଦନ୍ତ ଆରମ୍ଭ ହୋଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ତାଙ୍କ ଝିଅ କାରୋଲିନ୍ ଲାଙ୍ଗ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।ସେହିପରି ନରୱେର ପରିସ୍ଥିତି ଆହୁରି ଖରାପ ହେଉଥିବା ପରି ମନେ ହେଉଛି। ଦୁର୍ନୀତି ସନ୍ଦେହରେ ପୁଲିସ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଥୋର୍ବଜର୍ଣ୍ଣ ଜାଗଲାଣ୍ଡଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ନୋବେଲ ଶାନ୍ତି ପୁରସ୍କାର କମିଟିର ଅଧ୍ୟକ୍ଷ ଥିବା ଜାଗଲାଣ୍ଡ ଓ ଏପଷ୍ଟାଇନ୍ଙ୍କ ମଧ୍ୟରେ ଅନେକ ଇମେଲ୍ ସାମ୍ନାକୁ ଆସିଛି। ଏହି ସମୟରେ, ଜୋର୍ଡାନରେ ନରୱେର ରାଷ୍ଟ୍ରଦୂତ ଇସ୍ତଫା ଦେଇଛନ୍ତି। ବରିଷ୍ଠ କୂଟନୀତିଜ୍ଞ ମୋନା ଜୁଲଙ୍କୁ ନିଲମ୍ବିତ କରାଯାଇଛି।
ବିଶ୍ୱରେ ହଲଚଲ
ଏପଷ୍ଟାଇନ୍ଙ୍କ ସହ ସମ୍ପର୍କ ପ୍ରକାଶ ପାଇବା ପରେ ପ୍ରମୁଖ ଆମେରିକୀୟ ଆଇନ ଫାର୍ମ ପଲ୍ ୱେଇସର ଅଧ୍ୟକ୍ଷ ବ୍ରାଡ୍ କାର୍ପ ଇସ୍ତଫା ଦେଇଥିଲେ। ସ୍ଲୋଭାକିଆର ପୂର୍ବତନ ବୈଦେଶିକ ମନ୍ତ୍ରୀ ମିରୋସ୍ଲାଭ ଲାଜକାକ ଜାତୀୟ ସୁରକ୍ଷା ପରାମର୍ଶଦାତା ପଦରୁ ଇସ୍ତଫା ଦେଇଥିଲେ। ସେହିପରି ସ୍ୱିଡେନରେ ୟୁଏନ୍ଏଚ୍ସିଆର୍ର ମୁଖ୍ୟ ଜୋଆନା ରୁବିନଷ୍ଟାଇନ ମଧ୍ୟ ଇସ୍ତଫା ଦେଇଥିଲେ। ଏହି ଫାଇଲଗୁଡ଼ିକ ଯୋଗୁ ବିଶ୍ୱର ସବୁଠାରୁ କ୍ଷମତାଶାଳୀ ଲୋକଙ୍କର ଏପଷ୍ଟାଇନ୍ଙ୍କ ସହ ନିବିଡ଼ତା ସେମାନଙ୍କ ରାଜନୈତିକ କ୍ୟାରିୟରକୁ ସମାପ୍ତ କରିବାରେ ଲାଗିଛି।
ଅଧିକପଢ଼ନ୍ତୁ:ଓମ୍ ବିର୍ଲାଙ୍କୁ ଚିଠି ଲେଖି ସମାଲୋଚନା କଲେ କଂଗ୍ରେସର ମହିଳା ସାଂସଦ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/09/new-project-2026-02-09-16-38-18.jpg)