ଇଚ୍ଛାମୃତ୍ୟୁ ସଂପର୍କିତ ଜନସ୍ବାର୍ଥ ମାମଲା: ସ୍ବାସ୍ଥ୍ୟ ବିଭାଗ, ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଜବାବ ତଲବ

ଇଚ୍ଛାମୃତ୍ୟୁ ପ୍ରସଂଗକୁ ନେଇ ଦାଏର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଏହି ପ୍ରସଂଗରେ ସୁପ୍ରିମକୋର୍ଟ ୨୦୨୩, ଜାନୁଆରି ୨୪ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ରାଜ୍ୟରେ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ....

Orissa High Court

Orissa High Court Photograph: (sambad.in )

କଟକ: ଇଚ୍ଛାମୃତ୍ୟୁ ପ୍ରସଂଗକୁ ନେଇ ଦାଏର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଏହି ପ୍ରସଂଗରେ ସୁପ୍ରିମକୋର୍ଟ ୨୦୨୩, ଜାନୁଆରି ୨୪ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ରାଜ୍ୟରେ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନଥିବା ଦର୍ଶାଇ ବିଶିଷ୍ଟ ଆଇନଜୀବୀ ଡକ୍ଟର କହ୍ନେୟାଲାଲ୍ ଶର୍ମା ଦାଏର କରିଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରତିପକ୍ଷଙ୍କ ନିକଟରୁ ଜବାବ ତଲବ କରିଛନ୍ତି।  ସେପ୍ଟେମ୍ବର ୧୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

 
ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଜଣେ ବ୍ୟକ୍ତିଙ୍କର ସମ୍ମାନର ସହିତ ବଞ୍ଚିବା ତଥା ସମ୍ମାନର ସହିତ ମୃତ୍ୟୁର ଅଧିକାର ରହିଛି। ଯଦି ‌କୌଣସି ରୋଗରୁ ବ୍ୟକ୍ତି ଆରୋଗ୍ୟ ହେବାର ଆଉ ସମ୍ଭାବନା ନଥାଏ ତେବେ ସେ ସମ୍ମାନର ସହ ନିଜ ଇଚ୍ଛା ଅନୁସାରେ ଜୀବନ ଯେପରି ତ୍ୟାଗ କରିପାରିବେ ସେଥି ପାଇଁ ଆଇନଗତ ବ୍ୟବସ୍ଥା ହେବା ଉଚିତ୍।

ଭାରତରେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଉ ନଥିବା ବେଳେ ପଞ୍ଜୀକୃତ ‌ସୋସାଇଟି କମନ୍ କଜ୍ ପକ୍ଷରୁ ଏହି ପ୍ରସଂଗ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା। ୨୦୨୩ରେ ସୁପ୍ରିମକୋର୍ଟ ଏହି ମାମଲାରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି ରାୟର ନକଲ ଦେଶର ସବୁ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ କର୍ଣ୍ଣାଟକ ଦେଶର ପ୍ରଥମ ରାଜ୍ୟ ଭାବେ ରାଇଟ ଟୁ ଡାଏ ୱିଥ ଡିଗନିଟି ବା ସମ୍ମାନର ସହ ଇଚ୍ଛାମୃତ୍ୟୁ ଅଧିକାର ଲାଗୁ କରିଥିଲା।

କିନ୍ତୁ ଓଡ଼ିଶାରେ ଏ ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନାହିଁ। ଆବେଦନକାରୀ ଏହି ପ୍ରସଂଗ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ମିଳି ପାରି ନଥିଲା। ଏହାପରେ ହାଇକୋର୍ଟରେ ଆବେଦନକାରୀ ଏହି ପ୍ରସଂଗ ନେଇ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଲିଭିଙ୍ଗ୍ ୱିଲ ଓ ଆଡଭାନ୍ସ ଡିରେକ୍ଟିଭ୍ ବ୍ୟବସ୍ଥା ନେଇ ରାଜ୍ୟ  ସରକାର ନିୟମ ଆଣିବା ଉଚିତ। ଲିଭିଙ୍ଗ୍ ୱିଲ ଓ ଆଡଭାନ୍ସ ଡିରେକ୍ଟିଭ୍ ଏକ ଇଚ୍ଛାପତ୍ର ଭଳି ଯାହା ସଂପୃକ୍ତ ବ୍ୟକ୍ତିଙ୍କ ଜୀବଦଶା ଭିତରେ କାର୍ଯ୍ୟକାରୀ ହୋଇଥାଏ। ହିନ୍ଦୁ ଉତ୍ତରାଧିକାରୀ ଆଇନ ଭଳି ମୃତ୍ୟୁ ପରେ ଇଚ୍ଛାପତ୍ର କାର୍ଯ୍ୟକାରୀ ନ ‌ହୋଇ ଏପରି ଇଚ୍ଛାପତ୍ର ଜୀବଦଶା ଭିତରେ କାର୍ଯ୍ୟକାରୀ ହୋଇଥାଏ। ଦୁରାରୋଗ୍ୟ ରୋଗରେ ପୀଡିତ ରୋଗୀ ଆଉ ବଞ୍ଚିବାକୁ ଯଦି ନ ଚାହିଁବେ, ତେବେ ତାଙ୍କ ଇଚ୍ଛାକୁ ସମ୍ମାନ କରାଯିବା ଉଚିତ।

ସଂପୃକ୍ତ ବ୍ୟକ୍ତିଙ୍କ ଇଚ୍ଛା ଅନୁସାରେ ତାଙ୍କୁ ପ୍ରଦାନ କରାଯାଉଥିବା ଚିକିତ୍ସା ବନ୍ଦ କରିଯାଇ ମୃତ୍ୟୁ ପାଇଁ ପଥ ପରିଷ୍କାର କରାଯାଇ ପାରିବ। ବହୁ ସମୟରେ ଦୁରାରୋଗ୍ୟ ରୋଗରେ ପୀଡ଼ିତ ରୋଗୀଙ୍କୁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଘରୋଇ ଡାକ୍ତରଖାନା ଓ ନର୍ସିଂହୋମ୍ ଶୋଷଣ କରୁଥିବା ଘଟଣା ଦେଖିବାକୁ ମିଳୁଥିବା ବେଳେ ଯଦି ସରକାର ନୂଆ ନିୟମାବଳୀ ଆଣନ୍ତି ତେବେ ଏପରି ଘଟଣା ଉପରେ ଅଙ୍କୁଶ ଲାଗି ପାରିବ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ପାର୍ଥ ମୁଖାର୍ଜୀ ଓ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe