ମଣିଷଙ୍କ ଭଳି ବଞ୍ଚିବା ପ୍ରତ୍ୟେକ ଜୀବର ଅଧିକାର

Advertisment

ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ରାୟ

ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ରାୟ

ମଣିଷଙ୍କ ଭଳି ବଞ୍ଚିବା ପ୍ରତ୍ୟେକ ଜୀବର ଅଧିକାର

Live Law

ଉତ୍ତରାଖଣ୍ଡ: ଜୀବଜଗତରେ ବାସ କରୁଥିବା ପ୍ରତ୍ୟେକ ଜୀବ ଆଇନ ଆଖିରେ ସମାନ। ମଣିଷ ସମାଜ ଯେମିତି ସ୍ୱାଧୀନ ଭାବେ ଚଳପ୍ରଚଳ କରୁଛି ଏବଂ ତା’ ଉପରେ କୌଣସି ପ୍ରତିବନ୍ଧକ ଲାଗୁ ନାହିଁ, ସେମିତି ପଶୁ, ପକ୍ଷୀ ସମେତ ଅନ୍ୟ ସମସ୍ତ ଜୀବଜନ୍ତୁଙ୍କ କ୍ଷେତ୍ରରେ ବି ହେବା ଆବଶ୍ୟକ। ସେମାନଙ୍କୁ ‘ଆଇନସିଦ୍ଧ ସତ୍ତା’ ଭାବେ ବିବେଚନା କରାଯିବା ଉଚିତ। ଉତ୍ତରାଖଣ୍ଡ ହାଇକୋର୍ଟ ଆଜି ଏଭଳି ରାୟ ଦେଇଛନ୍ତି। ବିଚାରପତି ରାଜୀବ ଶର୍ମା ଓ ଲୋକପାଲ ସିଂହଙ୍କ ଖଣ୍ଡପୀଠ କହିଛନ୍ତି, ଅତୀତରେ କେତେକ କୋର୍ଟ ବିଭିନ୍ନ ସଂସ୍ଥା, ହିନ୍ଦୁ ଦେବଦେବୀ, ପବିତ୍ର ଗ୍ରନ୍ଥ ଏବଂ ନଦନଦୀର ସୁରକ୍ଷା ପାଇଁ ଏଭଳି ସମାନ ପ୍ରକାର ରାୟ ଦେଇଛନ୍ତି। ଫଳରେ ସେଗୁଡ଼ିକ ପ୍ରତି ହାନି ପହଞ୍ଚାଇବାକୁ ଅପରାଧ ବିବେଚନା କରାଯାଉଛି। ଏମିତି କି ଏଗୁଡ଼ିକୁ ଯତ୍ନର ସହକାରେ ସୁରକ୍ଷିତ ରଖାଯାଉଛି। କେହି ବି ଏଗୁଡ଼ିକୁ ନଷ୍ଟ କରିବାକୁ ଅପଚେଷ୍ଟା କଲେ ଆଇନାନୁସାରେ ଦଣ୍ଡବିଧାନର ସମ୍ମୁଖୀନ ହେଉଛି। ଠିକ୍‌ ସେମିତି ଜୀବଜଗତରେ ବାସ କରୁଥିବା ପ୍ରତ୍ୟେକ ଜୀବଜନ୍ତୁଙ୍କୁ ସମାନ ମାନ୍ୟତା ଦିଆଯିବା ଦରକାର। ସେମାନଙ୍କୁ କେହି ନିଜ ସମ୍ପତ୍ତି ବୋଲି ଦାବି କରିପାରିବେ ନାହିଁ। ମଷିଷଙ୍କ ଭଳି ସେମାନଙ୍କର ମଧ୍ୟ ବଞ୍ଚିବାର ଅଧିକାର ରହିଛି ବୋଲି ଖଣ୍ଡପୀଠ ଦୋହରାଇଛନ୍ତି।

ଆଇନସିଦ୍ଧ ସତ୍ତା ଶବ୍ଦକୁ ସ୍ପଷ୍ଟ ଭାବେ ବୁଝାଇବାକୁ ଯାଇ ଖଣ୍ଡପୀଠ କହିଛନ୍ତି, ପ୍ରତ୍ୟେକ ସତ୍ତା ମଣିଷ ଭଳି କାର୍ଯ୍ୟ କରିଥାଏ। ଜଣେ ମନୋନୀତ ବ୍ୟକ୍ତି ଏହାର ସଂରକ୍ଷକ ସାଜିଥାନ୍ତି। ଆଇନର କ୍ଷେତ୍ରାଧିକାରରେ ରହି ସେ ଉକ୍ତ ସତ୍ତାର ହିତ ପାଇଁ କାର୍ଯ୍ୟ କରିଥାନ୍ତି। ଠିକ୍‌ ସେମିତି ଜଣେ ସଂରକ୍ଷକ ପ୍ରାଣୀ ସମ୍ପଦ ପାଇଁ ପ୍ରତିନିଧିତ୍ୱ କରିପାରିବେ। ଜୀବଜନ୍ତୁ କିଭଳି ନିରାପଦରେ ତିଷ୍ଠିରହିବେ ତାହାର ଦାୟିତ୍ୱ ନେଇପାରିବେ। ସମ୍ବିଧାନର ଅନୁଚ୍ଛେଦ ୨୧କୁ ମନେପକାଇ ଖଣ୍ଡପୀଠ କହିଛନ୍ତି, ଏହି ଅନୁଚ୍ଛେଦରେ ମାନବାଧିକାର ଓ ଜୀବନ ସୁରକ୍ଷା କଥା ଉଲ୍ଲେଖ ରହିଛି। ଏଠାରେ ‘ଜୀବନ’ ଅର୍ଥ କେବଳ ମଣିଷଙ୍କ ଜୀବନ ନୁହେଁ, ବରଂ ପ୍ରାଣୀଙ୍କ ଜୀବନକୁ ସୂଚାଉଛି। ଅର୍ଥାତ୍‌ ଜୀବଜଗତରେ ଯାହାର ଜୀବନ ଅଛି, ତାହାର ବଞ୍ଚିରହିବାର ଅଧିକାର ଅଛି ବୋଲି କୋର୍ଟ କହିଛନ୍ତି। ଏଭଳି ରାୟ ଦେବା ପରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କିଛି ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳି ଅନୁସାରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ପ୍ରାଣୀ କଲ୍ୟାଣ କମିଟି ଗଠନ କରାଯିବ। ସେହିଭଳି ଉତ୍ତରାଖଣ୍ଡରେ ରହୁଥିବା ପ୍ରତ୍ୟେକ ନାଗରିକ ପ୍ରାଣୀ ସମ୍ପଦର ସଂରକ୍ଷକ ଭାବେ ସେମାନଙ୍କର ହିତ ପାଇଁ କାର୍ଯ୍ୟ କରିବେ। ଯେଉଁଠି ବି ପ୍ରାଣୀ ସମ୍ପଦ ପ୍ରତି ଅନ୍ୟାୟ ହେବ, ତାହାକୁ ରୋକିବାକୁ ପଦକ୍ଷେପ ନେଇ ସେମାନଙ୍କ ବଞ୍ଚିରହିବାକୁ ସୁନିଶ୍ଚିତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe