ଆସାମରେ ବିଜେପି ନେତାଙ୍କ ପରେ ଏବେ ପଶ୍ଚିମବଙ୍ଗ ତୃଣମୂଳ ନେତାଙ୍କ ଘରୁ ଜବତ ହେଲା ଚାରିଟି ଇଭିଏମ୍‌ ଏବଂ ଭିଭିପାଟ୍‌

Advertisment
ଆସାମରେ ବିଜେପି ନେତାଙ୍କ ପରେ ଏବେ ପଶ୍ଚିମବଙ୍ଗ ତୃଣମୂଳ ନେତାଙ୍କ ଘରୁ ଜବତ ହେଲା ଚାରିଟି ଇଭିଏମ୍‌ ଏବଂ ଭିଭିପାଟ୍‌

IndiaToday

ନୂଆଦିଲ୍ଲୀ: ଆସାମରେ ଜନୈକ ବିଜେପି ନେତାଙ୍କ ଗାଡ଼ିରୁ ଇଭିଏମ୍‌ ମେସିନ୍‌ ଜବତ ହେବା ପରେ ଆଜି (ମଙ୍ଗଳବାର) ପଶ୍ଚିମବଙ୍ଗର ଜନୈକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତାଙ୍କ ଘରୁ ଚାରିଟି ଇଭିଏମ୍‌ ଏବଂ ଚାରିଟି ଭିଭିପାଟ୍ ଜବତ ହୋଇଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଉଲୁବେରିଆ ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁଲସୀବେରିଆ ଗ୍ରାମର ଜଣେ ଟିଏମ୍‌ସି ନେତାଙ୍କ ଘରୁ ଆଜି ସକାଳୁ ଚାରିଟି ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ (ଇଭିଏମ୍‌) ଏବଂ ଚାରିଟି ଭୋଟର ଯାଞ୍ଚଯୋଗ୍ୟ କାଗଜ ଅଡିଟ୍‌ ଟ୍ରେଲ୍‌ (ଭିଭିପାଟ୍‌) ମେସିନ୍‌ ଜବତ ହୋଇଥିଲା। ତେବେ, ଏଘଟଣା ଜଣାପଡ଼ିବା ପରେ ନିର୍ବାଚନ କମିସନ ସଂପୃକ୍ତ ଇଭିଏମ୍‌ ଦାୟିତ୍ୱରେ ଥିବା ପଶ୍ଚିମବଙ୍ଗର ହାଓ୍ଵଡ଼ା ଜିଲ୍ଲାର ଜଣେ ସେକ୍ଟର ଅଧିକାରୀଙ୍କୁ ନିଲମ୍ବନ କରଛନ୍ତି।

ଏହି ଘଟଣା ସଂପର୍କରେ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଜବତ ହୋଇଥିବା ଇଭିଏମ୍‌ଗୁଡ଼ିକ ସଂରକ୍ଷିତ ମେସିନ୍‌ ଥିଲା ଯାହାକୁ ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟାରୁ ହଟାଇ ଦିଆଯାଇଛି ବୋଲି ନିର୍ବାଚନ ଆୟୋଗର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେବା ସହ ଯେ ଏଘଟଣା ସଂପର୍କରେ କମିସନଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ଏବଂ ଏଥିରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

publive-image TimesNow

ପଶ୍ଚିମବଙ୍ଗର ୩୧ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ମତଦାନର ଗୋଟିଏ ଦିନ ପୂର୍ବରୁ ଉଲୁବେରିଆ ଉତ୍ତରରେ ସେକ୍ଟର ୧୭ର ଅଧିକାରୀ ଥିବା ତପନ ସରକାର ଚାରିଟି ରିଜର୍ଭ ଇଭିଏମ୍‌ ଏବଂ ଚାରିଟି ଭିଭିପାଟ୍‌ ନେଇ ତାଙ୍କ ସମ୍ପର୍କୀୟଙ୍କ ଘରେ ରାତି କଟାଇଥିଲେ। ତାଙ୍କର ସମ୍ପର୍କୀୟ ହେଉଛନ୍ତି ତୃଣମୂଳ କଂଗ୍ରେସ ନେତା ଗୌତମ ଘୋଷ।

ତେବେ, ନିୟମ ଅନୁଯାୟୀ, ନିର୍ବାଚନ ଆୟୋଗଙ୍କ ଦ୍ୱାରା ସ୍ଥିରୀକୃତ ସ୍ଥାନରେ ହିଁ କେବଳ ଇଭିଏମ୍‌ ଗଚ୍ଛିତ ହୋଇପାରିବ। ନିର୍ବାଚନ ଆୟୋଗ କହିଛନ୍ତି, ହାୱଡ଼ା ଜିଲ୍ଲାର ୧୭୭ ନମ୍ବର ଉଲୁବେରିଆ ଉତ୍ତର ନିର୍ବାଚନ ମଣ୍ଡଳୀରେ ସେକ୍ଟର ୧୭ର ସେକ୍ଟର ଅଧିକାରୀ ତପନ ସରକାର ରିଜର୍ଭ ଇଭିଏମ ସହିତ ଯାଇ ତାଙ୍କ ସମ୍ପର୍କୀୟଙ୍କ ଘରେ ଶୋଇଥିଲେ। ଏହା ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶର ଚରମ ଉଲ୍ଲଂଘନ। ଯେଉଁଥିପାଇଁ ସେକ୍ଟର ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଏବଂ ତାଙ୍କ ବିରୋଧରେ ଚାର୍ଜସିଟ ପ୍ରସ୍ତୁତ କରାଯିବ। ଜବତ ହୋଇଥିବା ଇଭିଏମ୍‌ ଏବଂ ଭିଭିପାଟ୍‌ଗୁଡିକର ସିଲ ଅକ୍ଷୁଣ୍ଣ ରହିଥିଲେ ବି ଏହାକୁ ଆଉ ଭୋଟରେ ବ୍ୟବହାର କରାଯିବ ନାହିଁ। ଏହି ଇଭିଏମ୍‌ଗୁଡିକ ବର୍ତ୍ତମାନ ନିର୍ବାଚନ ପର୍ଯ୍ୟବେକ୍ଷକ ନୀରଜ ପୱନଙ୍କ ହେପାଜତରେ ଏକ ପୃଥକ କୋଠରିରେ ଗଚ୍ଛିତ ହୋଇ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe