NDTV
ପାଟନା: ବିହାର ପୁଲିସ ମୁଖ୍ୟ ଡିଜିପି ପଦରୁ ଗତ ବୁଧବାର ସ୍ୱେଚ୍ଛାକୃତ ଅବସର ନେଇଥିବା ଗୁପ୍ତେଶ୍ୱର ପାଣ୍ଡେ ଆଜି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ସେ କେବଳ ନୀତୀଶ କୁମାରଙ୍କୁ ଭେଟଛନ୍ତି। ଦଳରେ ଯୋଗଦେବା ବିଷୟରେ କୌଣସି ଆଲୋଚନା ହୋଇନାହିଁ। ଯଦି ଏପ୍ରକାରର କିଛି ଘଟେ ତେବେ ମୁଁ ଆପଣଙ୍କୁ ଜଣାଇବି।
ଅନ୍ୟପକ୍ଷରେ, ଗତ ସପ୍ତାହରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିବା ଶ୍ରୀ ପାଣ୍ଡେ ଏକ ଜାତୀୟ ସ୍ତରର ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ରାଜନୀତିରେ ପ୍ରବେଶ କରିବାରେ କିଛି ଭୁଲ୍ ନାହିଁ କିମ୍ବା ଏହା ବେଆଇନ୍ ବା ଅସାମ୍ବିଧାନିକ ମଧ୍ୟ ନୁହେଁ। ମୁଁ ସବୁବେଳେ ଲୋକମାନଙ୍କର ଡିଜିପି ହୋଇ ରହିଆସିଛି। ମୋର ପରବର୍ତ୍ତୀ ପଦକ୍ଷେପ କ’ଣ ହେବା ଉଚିତ ଏବଂ ମୁଁ ରାଜନୀତିରେ ଯୋଗଦେବି ନା ନାହିଁ ତାହାର ନିଷ୍ପତ୍ତି ବକ୍ସରର ଜନତା ନେବେ। ମୁଁ ମାଟିର ପୁଅ। ବିହାରର ୩୪ ଟି ଜିଲ୍ଲାରେ ମୁଁ ସେବା କରିଛି। ଉଲ୍ଲେଖଯୋଗ୍ୟ, ଜଣେ ଦକ୍ଷ, ସଚ୍ଚୋଟ ଓ ନିରପେକ୍ଷ ପୁଲିସ୍ ମୁଖ୍ୟ ଭାବେ ଗୁପ୍ତେଶ୍ୱର ପାଣ୍ଡେଙ୍କର ବିହାରରେ ଯଥେଷ୍ଟ ସୁନାମ ଓ ସୁଖ୍ୟାତି ରହିଛି।
ଉଲ୍ଲେଖଯୋଗ୍ୟ, ବିହାର ପୁଲିସ ମୁଖ୍ୟ ଡିଜିପି ପଦରୁ ଗତ ବୁଧବାର ସ୍ୱେଚ୍ଛାକୃତ ଅବସର ନେଇଥିବା ଗୁପ୍ତେଶ୍ୱର ପାଣ୍ଡେ ଆଜି (ଶନିବାର) ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ (ଜେଡିୟୁ) ସୁପ୍ରିମୋ ନୀତୀଶ କୁମାରଙ୍କୁ ଭେଟିଥିଲେ। ଗୁପ୍ତେଶ୍ୱର ପାଣ୍ଡେ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବା ପରେ ସେ ଖୁବ୍ ଶୀଘ୍ର ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡରେ ଯୋଗଦେବେ ଏବଂ ଆସନ୍ତା ମାସର ଅନୁଷ୍ଠିତ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆଲୋଚନା ଚାଲିଛି।
Follow Us