ପଞ୍ଚଭୂତରେ ଲୀନ ହେଲା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେଲା ଶେଷକୃତ୍ୟ

Advertisment
ପଞ୍ଚଭୂତରେ ଲୀନ ହେଲା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେଲା ଶେଷକୃତ୍ୟ

ନୂଆଦିଲ୍ଲୀ: ଭାରତ ରତ୍ନ ପ୍ରଣବ ମୁଖାର୍ଜ୍ଜୀଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ପୂର୍ବତନ ରାଷ୍ଟ୍ରପତି ତଥା ଲୋକପ୍ରିୟ ଜନନେତା ପ୍ରଣବ ଦା’ଙ୍କର ଶେଷକୃତ୍ୟ କିଛି ସମୟ ପୂର୍ବରୁ  ନୂଆଦିଲ୍ଲୀର ଲୋଦି କ୍ରିମେଟୋରିୟମ୍ ସଂପନ୍ନ ହୋଇଛି। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଣବଙ୍କ ଆନ୍ତ୍ୟୋଷ୍ଟିକ୍ରିୟା ସମାପିତ ହୋଇଥିବା ସୂଚନା ମିଳିଛି।

ଗତକାଲି ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ୍ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶେଷ ଦର୍ଶନ ପାଇଁ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ରଖାଯାଇଥିଲା | କରୋନାଭାଇରସ୍ ସଂକ୍ରମଣ କାରଣରୁ ଜାରି ରହିଥିବା କଟକଣାକୁ ଦୃଷ୍ଟିରେ ରଖି ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର ସେନାର ଗନ୍ କ୍ୟାରେଜ ବଦଳରେ ସ୍ବର୍ଗରଥ ଗାଡ଼ିରେ ଶ୍ମଶାନରେ ପହଞ୍ଚିଥିଲା। ସେଠାରେ ତାଙ୍କ ପୁତ୍ର ଅଭିଜିତ୍ ମୁଖାର୍ଜୀ ମୁଖାଗ୍ନି ଦେବା ସହ ଶେଷକୃତ୍ୟ ରୀତିନୀତି ସଂପନ୍ନ କରିଥିଲେ ।  ଏହି ଅବସରରେ ତାଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଏବଂ ପରିବାରର ସମସ୍ତ ସଦସ୍ୟ ପିପିଏ କିଟ୍ ପିନ୍ଧିଥିବାର ନଜର ଆସିଥିଲେ।

ଆଜି ତାଙ୍କର ବାସଭବନକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଶେଷ ଦର୍ଶନ କରିଥିଲେ। ସେହିପରି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ ଏବଂ କଂଗ୍ରେସର ଅନ୍ୟ ପ୍ରମୁଖ ନେତା ପ୍ରଣବ ମୁଖାର୍ଜୀଙ୍କ ଶେଷ ଦର୍ଶନ କରିଥିଲେ।

ସୂଚନା ମୁତାବକ, ଅଗଷ୍ଟ ୧୦ ତାରିଖ ଦିନ ଶ୍ରୀ ମୁଖାର୍ଜୀ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ପଡ଼ିଯାଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ନୂଆ ଦିଲ୍ଲୀସ୍ଥିତ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପଡ଼ିବା ଯୋଗୁଁ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯାଇଥିଲା। ଏହାପରେ ତାଙ୍କର ମସ୍ତିଷ୍କରେ ଜଟିଳ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଥିଲା ଓ ସେ କୋମା ଅବସ୍ଥାରେ ଥିଲେ। ଏହା ପରେ ଫୁସ୍‌ଫୁସ୍‌ ସଂକ୍ରମଣ କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଚାଲିଥିଲା। ମସ୍ତିଷ୍କ ସର୍ଜରୀ ପରେ ଭେଣ୍ଟିଲେଟରରେ ଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୋମବାର ସକାଳେ ଅବନତି ଘଟିଥିବା ବେଳେ ସନ୍ଧ୍ୟା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe