ଲକ୍ଷ୍ନୌ: ଆଉ ୪ ମାସ ପରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି। ରାଜ୍ୟରେ ବ୍ରାହ୍ମଣ-ଦଳିତ ସମୀକରଣକୁ ପ୍ରାଧାନ୍ୟ ଦେଇ ହୋଇଥିବା ଏହି ସଂପ୍ରସାରଣରେ ୭ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି। ଆଜି ସନ୍ଧ୍ୟାରେ ରାଜଭବନରେ ଅନୁଷ୍ଠିତ ଉତ୍ସବରେ ଏହି ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଶପଥ ପାଠ କରାଇଥିଲେ।
ଆଜି ଅପରାହ୍ନରେ ହିଁ କ୍ୟାବିନେଟ୍ ସଂପ୍ରସାରଣ ବାବଦରେ ସୂଚନା ଦିଆଯାଇଥିଲା। ଦୀର୍ଘ ଦିନ ଧରି ଯୋଗୀ କ୍ୟାବିନେଟ୍ର ସଂପ୍ରସାରଣ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ସେଥିରେ ବିରାମ ଲାଗିଛି। ଶପଥ ନେଇଥିବା ନୂଆ ମନ୍ତ୍ରୀମାନେ ହେଲେ ଜିତିନ ପ୍ରସାଦ, ସଂଗୀତା ବିନ୍ଦ, ଛତ୍ରପାଳ ଗଙ୍ଗୱାର, ପଲଟୁ ରାମ, ଦିନେଶ ଖଟିକ୍, ସଂଜୀବ କୁମାର ଗୌଡ଼ ଏବଂ ଧର୍ମବୀର ପ୍ରଜାପତି। ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଯୋଗୀ ସରକାରର ଶେଷ କ୍ୟାବିନେଟ୍ ସଂପ୍ରସାରଣ। ୟୁପିଏ ସରକାରରେ ମନ୍ତ୍ରୀ ରହିଥିବା ଜିତିନ ପ୍ରସାଦ ଆଜି ପ୍ରଥମେ ଶପଥ ଗ୍ରହଣ କରିଥିଲେ ଏବଂ ତାଙ୍କ ପରେ ଛତ୍ରପାଳ ଗଙ୍ଗୱାର ଶପଥ ନେଇଥିଲେ। ରାଜ୍ୟର ଜାତି ସମୀକରଣ ଦୃଷ୍ଟିରୁ ଏହି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଅତି ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ରାଜ୍ୟରେ ଦଳିତ ୨୦.୫ ପ୍ରତିଶତ ଥିବା ବେଳେ ବ୍ରାହ୍ମଣ ୧୩ ପ୍ରତିଶତ ଅଛନ୍ତି। ସେହିଭଳି ଠାକୁର ସଂପ୍ରଦାୟ ୮.୫୦ ପ୍ରତିଶତ ଥିବା ବେଳେ ଯାଦବଙ୍କ ସଂଖ୍ୟା ହେଉଛି ୯ ପ୍ରତିଶତ।
Follow Us