ବିସ୍ଫୋରକ ଡ୍ରୋନ୍‌ ଉପହାର ଗ୍ରହଣ କରି ରୁଷ୍‌ ଗସ୍ତ ଶେଷ କଲେ ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌

Advertisment
ବିସ୍ଫୋରକ ଡ୍ରୋନ୍‌ ଉପହାର ଗ୍ରହଣ କରି ରୁଷ୍‌ ଗସ୍ତ ଶେଷ କଲେ ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌

Image Courtesy of The Hindu

ମସ୍କୋ: ୫ଟି ବିସ୍ଫୋରକ ଡ୍ରୋନ୍‌, ଗୋଟିଏ ପାଟ୍ରୋଲ୍‌ ଡ୍ରୋନ୍‌ ଓ ଗୋଟାଏ ଗୁଳିନିରୋଧକ ଜ୍ୟାକେଟ୍‌ ଉପହାର ଗ୍ରହଣ କରି ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ରବିବାର ଦିନ ୬ ଦିନିଆ ରୁଷ୍‌ ଗସ୍ତ ଶେଷ କରିଥିବା କଥା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଉତ୍ତର କୋରିଆ ସୀମାନ୍ତକୁ ଲାଗିଥିବା ସୁଦୂର ପୂର୍ବପ୍ରାନ୍ତସ୍ଥ ରୁଷୀୟ ନଗରୀ ଭ୍ଲାଦିଭୋସ୍ତୋକ ଛାଡ଼ିବା ଆଗରୁ ଚୀନ୍‌ ଓ ଉତ୍ତର କ‌ୋରିଆ ସୀମାନ୍ତକୁ ଲାଗିଥିବା ପ୍ରିମୋ‌ରିୟେ ଅଞ୍ଚଳର ଗଭର୍ଣ୍ଣର୍‌ ଏହି ସବୁ ଉପହାର ପ୍ରଦାନ କରିଥିଲେ।

କିମ୍‌ ‘ଫାର୍‌ ଇଷ୍ଟର୍ଣ୍ଣ ଷ୍ଟେଟ୍‌ ୟୁନିଭର୍ସିଟି’କୁ ମଧ୍ୟ ବୁଲିଯାଇଥିଲେ। ସେଠାକାର ସ୍ଥାନୀୟ ‘ଓସେନାରିୟମ୍‌’ରେ (ସମୁଦ୍ର ପାଣି ଭରାଥିବା ପ୍ରକାଣ୍ଡ ଆକ୍ବାରିୟମ୍‌) ‘ୱାଲ୍‌ରସ୍‌’ (ସମୁଦ୍ର ଗାଈ) ‘ସୋ’ ଦେଖି ଖୁବ୍‌ ଖୁସି ହୋଇଥିଲେ।

publive-image Image Courtesy of The Hindu

ଉତ୍ତର କୋରିଆ ନେତାଙ୍କ ଗସ୍ତ ଉପରେ ସାମଗ୍ରିକ ବିବୃତି ଦେଇ ରୁଷ୍‌ର ପ୍ରାକୃତିକ ସମ୍ବଳ ମନ୍ତ୍ରୀ ଆଲେକ୍‌ଜେଣ୍ଡର୍‌ କୋଜ୍‌ଲୋଭ୍‌ କହିଛନ୍ତି ଯେ, ଅନେକ ବିଷୟରେ ଆଲୋଚନା କରାଯାଇଛି।

ସେନା ସଂକ୍ରାନ୍ତରେ କୌଣସି ରାଜିନାମା ହୋଇଛି କି, ନାହିଁ ଉଲ୍ଲେଖ ନ କରି ସେ କହିଲେ ଯେ, ଦୁଇ ଦେଶ ଖାଦ୍ୟଶସ୍ୟ ଯୋଗାଣ ବୃଦ୍ଧି ଓ ନିୟମିତ ବିମାନ ଚଳାଚଳ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦୀର୍ଘ ଦିନ ହେବ ସ୍ଥାଣୁ ହୋଇ ପଡ଼ି ରହିଥିବା ଭିତ୍ତିଭୂମି ପ୍ରକଳ୍ପ ଉପରେ ବି ଆଲୋଚନା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ନଭେମ୍ବର ମାସରେ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗ୍ୟାଙ୍ଗ୍‌ରେ ଦୁଇ ଦେଶର ସରକାରୀ ଅଧିକାରୀମାନେ ସମ୍ମିଳିତ ହେବେ ବୋଲି ମଧ୍ୟ କୋଜ୍‌ଲୋଭ୍‌ କହିଛନ୍ତି।

କିମ୍‌ଙ୍କ ଗସ୍ତର ଶେଷ କ୍ଷଣରେ ଉତ୍ତୋଳନ କରାଯାଇଥିବା ଭିଡିଓରେ ଦେଖାଯାଉଛି, ସେ ତାଙ୍କ ସ୍ବତନ୍ତ୍ର ରେଳରେ ଚଢ଼ି ରୁଷୀୟ ପ୍ରତିନିଧିଙ୍କ ଆଡ଼କୁ ହାତ ହଲାଇ ବିଦାୟ ନେଉଛନ୍ତି। ଟ୍ରେନ୍‌ ଚାଲିବା ଆରମ୍ଭ କରିବାକ୍ଷଣି ‘ଫେୟାର୍‌ୱେଲ୍‌ ଅଫ୍‌ ସ୍ଲାଭିଆଙ୍କା’ ସଙ୍ଗୀତ ବାଦନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe