ଗହମ ରପ୍ତାନି ୧୦୦ ଲକ୍ଷ ଟନ୍ ଟପିବ

ଘରୋଇ ସଂସ୍ଥା କିଣିନେଲେ ଗହମ, ସରକାରୀ ସଂଗ୍ରହ ୫୩% ହ୍ରାସ

Image Courtesy of ABP News

ନୂଆଦିଲ୍ଲୀ: ବିଶ୍ବ ବଜାରରେ ଗହମ ଚାହିଦାରେ ହୋଇଥିବା ବୃଦ୍ଧି ଦ୍ବାରା ଭାରତ ଲାଭବାନ ହେବ। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ଗହମ ରପ୍ତାନି ୧୦୦ ଲକ୍ଷ ଟନ୍‌ରୁ ଅଧିକ ହେବ ବୋଲି ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଆଶା ପ୍ରକଟ କରିଛନ୍ତି। କିଛି ବର୍ଷ ‌ହେଲାଣି କ୍ରମାଗତ ଭାବେ ଭାରତର ଗହମ ରପ୍ତାନି ବଢ଼ୁଛି। ୨୦୨୦-୨୧ରେ ୪୦୦୦ କୋଟି ଟଙ୍କା ମୂଲ୍ୟର ୨୧.୫୫ ଲକ୍ଷ ଟନ୍‌ ଗହମ ରପ୍ତାନି କରାଯାଇଥିଲା। ୨୦୨୧-୨୨ରେ ଏହା ୧୫ ହଜାର କୋଟି ଟଙ୍କା ମୂଲ୍ୟର ୭୦ ଲକ୍ଷ ଟନ୍ ଗହମ ରପ୍ତାନି କରିଛି।

ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି ଯେ ଯୁଦ୍ଧ ପ୍ରଭାବରେ ଯେଉଁ ଦେଶଗୁଡ଼ିକ ଗହମ କିଣିବାରେ ଅସୁବିଧା ସାମ୍ନା କରୁଛନ୍ତି ସେମାନଙ୍କ ଆବଶ୍ୟକତାକୁ ଭାରତ ପୂରଣ କରିବ। ଚଳିତ ବର୍ଷ ଅତି ସହଜରେ ୧୦୦ ଲକ୍ଷ ଟନ୍ ଗହମ ରପ୍ତାନି ହୋଇପାରିବ ବୋଲି ସେ କହିଛନ୍ତି। ରୁଷ୍‌ ଓ ୟୁକ୍ରେନ୍‌ ମିଳିତ ଭାବେ ବିଶ୍ବ ଗହମ ରପ୍ତାନିର ୨୫% ପୂରଣ କରୁଥିଲେ। ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାରୁ ସେମାନଙ୍କ ଉପରେ ନିର୍ଭରଶୀଳ ଥିବା ଦେଶଗୁଡ଼ିକ ବିକଳ୍ପ ସନ୍ଧାନ କରୁଛନ୍ତି। ଇଜିପ୍ଟକୁ ଗହମ ରପ୍ତାନି କରିବା ଲାଗି ନିଷ୍ପତ୍ତି ହୋଇଯାଇଛି। ଚୀନ୍, ତୁର୍କୀ ଓ ଇରାନ ସହ ଏବେ କଥାବାର୍ତା ଚାଲିଛି। ଏବେ ଅଧିକାଂଶ ଗହମ କାଣ୍ଡଲା ବନ୍ଦର ଜରିଆରେ ରପ୍ତାନି କରାଯାଉଛି। ଅଗାମୀ ଦିନରେ ଭାଇଜାଗ, କାକିନାଡା ଓ ନଭା ସେବା ବନ୍ଦର ଜରିଆରେ ରପ୍ତାନି ବଢ଼ାଇବା ଲାଗି ବିଚାର କରାଯାଉଛି ବୋଲି ବହିର୍ବାଣିଜ୍ୟ ମହାନିର୍ଦେଶକ ସନ୍ତୋଷ ଷଡ଼ଙ୍ଗୀ କହିଛନ୍ତି। ଭାରତ ଏହାର ୫୪% ଗହମକୁ ବାଲାଂଦେଶ ରପ୍ତାନି କରିଥାଏ। ମାତ୍ର ଗତବର୍ଷ ଏହା ୟେମେନ୍, ଆଫଗାନିସ୍ତାନ, କତାର ଓ ଇଣ୍ଡୋନେସିଆକୁ ଗହମ ରପ୍ତାନି ଆରମ୍ଭ କରିଥିଲା। ଭାରତଠାରୁ ଗହମ କିଣୁଥିବା ଶ୍ରେଷ୍ଠ ୧୦ ଦେଶ ହେଉଛନ୍ତି ବାଲାଂଦେଶ, ୟୁଏଇ, ଶ୍ରୀଲଙ୍କା, ଆଫଗାନିସ୍ତାନ, କତାର, ଇଣ୍ଡୋନେସିଆ, ଓମାନ ଓ ମାଲେସିଆ। ଏହା ‌ସତ୍ତ୍ବେ ବିଶ୍ବ ଗହମ ରପ୍ତାନିରେ ଭାରତର ବଜାର ଅଂଶ ୧% ଭଳି ନଗଣ୍ୟ ସ୍ତରରେ ରହିଛି। ଭାରତ ବର୍ଷକୁ ୧୦୭ ନିୟୁତରୁ ଅଧିକ ଟନ୍ ଗହମ ଉତ୍ପାଦନ କରୁଥିବା ବେଳେ ଅଧିକାଂଶ ଦେଶ ଭିତରେ ବ୍ୟବହାର ହେଉଛି। ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ମଧ୍ୟପ‌୍ରଦେଶ, ରାଜସ୍ଥାନ, ବିହାର ଓ ଗୁଜରାଟରେ ଅଧିକ ଗହମ ଉତ୍ପାଦନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe