Image Courtesy of Reuters
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ତଫା ଦିଅନ୍ତୁ ବୋଲି ଉଲ୍ଲେଖ ଥିବା କେତେକ ପୋଷ୍ଟ୍କୁ ଭାରତରେ ସର୍ବସାଧାରଣଙ୍କ ଦୃଷ୍ଟିରୁ ସ୍ବଳ୍ପ ସମୟ ପାଇଁ ଲୁଚାଇ ରଖିବା ପରେ ‘ଫେସ୍ବୁକ୍’ କହିଲା, ‘ଭୁଲ୍’ରେ ଏମିତି ହୋଇଯାଇଥିଲା। ଏହି ପୋଷ୍ଟ୍ ସବୁକୁ ଲୁଚାଇବା ପାଇଁ ସରକାର କହି ନ ଥିଲେ।
କ୍ଷମତାସୀନ ସରକାରଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ କରାଯାଉଥିବା ସମାଲୋଚନାକୁ ଲୁଚାଇବାରେ ଏହା ହେଉଛି ଦ୍ବିତୀୟ ଘଟଣା। ସେମିତି ଅଳ୍ପ କିଛି ଦିନ ତଳେ, ‘ଟୁଇଟର୍’ ମଧ୍ୟ ସରକାରଙ୍କୁ କରାଯାଇଥିବା ୫୦ଟି ସମାଲୋଚନାମୂଳକ ପୋଷ୍ଟ୍ ଲୁଚାଇଥିଲା। ଉପରୋକ୍ତ ଉଭୟ ଘଟଣା ଦେଶରେ କୋଭିଡ୍-୧୯ଜନିତ ପରିସ୍ଥିତି ମୁକାବିଲା କରିବାରେ ସରକାରଙ୍କ ବିଫଳତାକୁ ତୀବ୍ର ସମାଲୋଚନା କରାଯାଇଥିଲା।
Image Courtesy of NDTVବୁଧବାର ଦିନ ‘ଫେସ୍ବୁକ୍’ “#ResignModi” ‘ହାସ୍ଟ୍ୟାଗ୍’ ଥିବା ଏହି ପୋଷ୍ଟ୍ଗୁଡ଼ିକୁ ସମଗ୍ର ଭାରତରୁ ଲୁଚାଇ ଦେଇଥିଲା ବୋଲି ‘ବଜ୍ଫିଡ୍ ନିଉଜ୍’ ପ୍ରଥମେ ଦର୍ଶାଇଥିଲା। ‘ଫେସ୍ବୁକ୍’ କହିଛି ଯେ, ସେ ସବୁ ପୋଷ୍ଟ୍ରୁ କେତେକ ଆମ ‘କମ୍ୟୁନିଟି ଷ୍ଟାଣ୍ଡର୍ଡ’ର ବିରୁଦ୍ଧାଚରଣ କରୁଥିଲା। କିନ୍ତୁ, ‘ବଜ୍ଫିଡ୍ ନିଉଜ୍’ କହିଛି ଯେ, ଭାରତବାସୀ ଏହି ପୋଷ୍ଟ୍ଗୁଡ଼ିକୁ ଦେଖି ପାରୁ ନ ଥିଲେ, ମାତ୍ର ଯୁକ୍ତରାଷ୍ଟ୍ର ଆମେରିକା, କାନଡା ଓ ଇଂଲଣ୍ଡ୍ରେ ସାଧାରଣ ‘ସର୍ଚ କରି’ ଲୋକେ ତାହା ଦେଖି ପାରୁଥିଲେ। ଏହି ପୋଷ୍ଟ୍ଗୁଡ଼ିକୁ ପ୍ରାୟ ୩ ଘଣ୍ଟା ପାଇଁ ଲୁଚାଇ ରଖାଯାଇଥିଲା। ପ୍ରଥମ ରିପୋର୍ଟ ବାହାରିବା ପରେ ପରେ ‘ଫେସ୍ବୁକ୍’ ଉକ୍ତ ପୋଷ୍ଟ୍ ସବୁକୁ ପୁଣି ଭାରତବାସୀଙ୍କ ପାଇଁ ଉନ୍ମୁକ୍ତ କରିଥିଲା।
ଏ ସଂକ୍ରାନ୍ତରେ ‘ଫେସ୍ବୁକ୍’ର ମୁଖପାତ୍ର ଆଣ୍ଡି ଷ୍ଟୋନ୍ ‘ବଜ୍ଫିଡ୍ ନିଉଜ୍’କୁ କହିଛନ୍ତି, ଭାରତ ସରକାର କହିବାରୁ ନୁହେଁ, ଭୁଲ୍ରେ ସାମୟିକ ଭାବେ ଆମେ ଏହି ‘ହାସ୍ଟ୍ୟାଗ୍’କୁ ବ୍ଲକ୍ କରି ପକାଇଥିଲୁ। ପରେ ବ୍ଲକ୍ ଉଠାଇ ନିଆଯାଇଥିଲା।
Follow Us