ଆଜମେର ସରିଫ ଦରଘାରେ ଲଙ୍କାକାଣ୍ଡ, ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି

ଆଜମେର ସରିଫ ଦରଘାରେ ଲଙ୍କାକାଣ୍ଡ, ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି

ଆଜମେର: ସୋମବାର ଦିନ ଅଜମେର ସରିଫ ଦରଘା ଭିତରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବରେଲଭି ସମ୍ପ୍ରଦାୟର ସମର୍ଥକମାନେ ନିଜ ସପକ୍ଷରେ ଜୋରରେ ସ୍ଲୋଗାନ ଦେବା ପରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା।

ଦରଘାର ଖାଦିମ (ପୃଷ୍ଠପୋଷକ ଏବଂ ସେବକ) ବରେଲଭି ସଂପ୍ରଦାୟର ଲୋକମାନଙ୍କ ସ୍ଲୋଗାନରେ କ୍ରୋଧିତ ହୋଇଥିଲେ, ଯାହା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର କାରଣ ହୋଇଥିଲା। ସୁଫି ସନ୍ଥ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଉର୍ସ (ମୃତ୍ୟୁ ବାର୍ଷିକୀ)ରେ ଯୋଗଦେବାକୁ ଆଜମେର ଆସିଥିବା ଦରଘାର ଖାଦିମମାନେ ପ୍ରଥମେ ସେମାନଙ୍କୁ ସ୍ଲୋଗାନ ଦେବାରୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ଘଟଣାର ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଦୁଇ ଗୋଷ୍ଠୀର ଲୋକ  ପରସ୍ପର ମଧ୍ୟରେ ପିଟାପିଟି ହେଉଥିବା ଦେଖିବାକୁ ମିଳିଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦରଘା ପ୍ରଶାସନ ଏହି ଘଟଣାର ସମାଧାନ କରିବାକୁ ଚେଷ୍ଟା କରିଥିବାବେଳେ ଘଟଣାସ୍ଥଳରେ ପହଞ୍ଚିଥିବା ସ୍ଥାନୀୟ ପୁଲିସ ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲା, କିନ୍ତୁ ଲୋକମାନେ ପରସ୍ପରକୁ ପିଟିବାକୁ ଏତେ ବ୍ୟସ୍ତ ଥିଲେ ଯେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ମଧ୍ୟ ନାକେଦମ ହୋଇଥିଲା । ବରେଲଭି ସମ୍ପ୍ରଦାୟ ସପକ୍ଷରେ ସ୍ଲୋଗାନ ଦେଇଥିବା ତୀର୍ଥଯାତ୍ରୀମାନେ ବିଶୃଙ୍ଖଳା ମଧ୍ୟରେ ଖସିଯିବାରେ ସଫଳ ହୋଇଥିଲେ ବୋଲି ପୁଲିସ କହିଛି। ଆଶ୍ଚର୍ଯ୍ୟ କଥା ହେଉଛି ଏହି ଘଟଣା ଘଟିବା ସତ୍ତ୍ବେ ପୁଲିସ କାହା ବିରୋଧରେ ମାମଲା ରୁଜୁ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe