ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା

Image Source: Hindustan Times

ନୂଆଦିଲ୍ଲୀ: ରବିବାର ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ହଜାର ହଜାର ନିରାପତ୍ତା କର୍ମଚାରୀ, ଫେସିଆଲ୍‌ ରେକଗନିସନ୍‌ ସିଷ୍ଟମ୍‌, ଡ୍ରୋନ୍‌ ଓ ସିସିଟିଭି କ୍ୟାମେରା ମୁତୟନ କରି ଦିଲ୍ଲୀ ପୁଲିସ କଠୋର ସୁରକ୍ଷା ବ୍ୟବସ୍ଥା କରିଛି। ଆସନ୍ତାକାଲିର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବ୍ରାଜିଲ୍‌ର ରାଷ୍ଟ୍ରପତି ଜାଇର୍‌ ବୋଲ୍‌ଜୋନାରୋ।

ରାଜପଥରୁ ଲାଲ୍‌କିଲ୍ଲାଯାଏଁ ୮ କିଲୋମିଟର ଲମ୍ବା ପରେଡ୍‌ ଉପରେ ନଜର ରଖିବା ନିମନ୍ତେ ସାର୍ପସୁଟର୍‌ ଏବଂ ସ୍ନାଇପର୍‌ମାନଙ୍କୁ ସୁଉଚ୍ଚ ଅଟ୍ଟାଳିକା ଉପରେ ମୁତୟନ କରାଯିବ।

ସନ୍ଦିଗ୍ଧମାନଙ୍କ ଚିହ୍ନଟ ଲାଗି କେତେକ ସ୍ଥାନରେ ‘ଫେସିଆଲ୍‌ ରେକଗ୍‌ନାଇଜେସନ୍‌ ସିଷ୍ଟମ୍‌’ ବସାଯିବ। ଲାଲ୍‌କିଲ୍ଲା, ଚାନ୍ଦିନୀଚୌକ୍‌ ଏବଂ ଯମୁନା ଖାଦର ଅଞ୍ଚଳରେ ଶହ ଶହ ସିସିଟିଭି କ୍ୟାମେରା ଲାଗିଛି।

publive-image Image Source: National Herald

ନୂଆଦିଲ୍ଲୀ ଜୋନ୍‌ର ଡେପୁଟି ପୋଲିସ କମିସନର୍‌ ଐଶ ସିଂଘଲ୍‌ କହିଛନ୍ତି: ଆମେ ଚାରିସ୍ତରୀୟ ନିରାପତ୍ତା ବ୍ୟବସ୍ଥା କରିଛୁ। ଜାତୀୟ ରାଜଧାନୀ ଅଞ୍ଚଳର ଅଭ୍ୟନ୍ତର, ମଧ୍ୟ, ବାହ୍ୟ ଏବଂ ସୀମାନ୍ତ ଅଞ୍ଚଳରେ ଏହି ନିରାପତ୍ତା ବ୍ୟବସ୍ଥା ଲାଗୁ କରାଯାଇଛି। ନୂଆଦିଲ୍ଲୀ ଜିଲ୍ଲାରେ ୫ରୁ ୬ ହଜାର ଦିଲ୍ଲୀ ପୁଲିସ କର୍ମଚାରୀ ଓ ୫୦ କମ୍ପାନି ପାରାମିଲିଟାରି ଫୋର୍ସ ମୁତୟନ କରାଯାଇଛି।

ସର୍ବସାଧାରଣ ସ୍ଥାନମାନଙ୍କରେ ପାଟ୍ରୋଲିଙ୍ଗ୍‌ ଚାଲିଛି। କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ ସହାୟତାରେ ଗ୍ରୁପ୍‌ ପାଟ୍ରୋଲିଙ୍ଗ୍‌, ନାଇଟ୍‌ ପାଟ୍ରୋଲିଙ୍ଗ୍‌ ଏବଂ ଯାନବାହାନ ତଲାସ ଚାଲିଛି।

ଉତ୍ସବସ୍ଥଳୀକୁ ଦର୍ଶକମାନଙ୍କର ଗମନାଗମନ ସୁବିଧା ଲାଗି ୨୦୦୦ରୁ ଅଧିକ ଟ୍ରାଫିକ୍‌ ପୁଲିସଙ୍କୁ ମୁତୟନ କରାଯାଇଛି। ରାଷ୍ଟ୍ରପତି ଭବନରେ ‘ଆଟ୍‌ ହୋମ୍‌’ ସକାଶେ ମଧ୍ୟ ଯଥେଷ୍ଟ ନିରାପତ୍ତା ଏବଂ ଟ୍ରାଫିକ୍‌ ବନ୍ଦୋବସ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe