ନାଗପୁର : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ପୁତୁରା ଗତକାଲି ଦ୍ବିତୀୟ ଡୋଜ୍ କରୋନା ଟିକା ନେଇଥିଲେ। ତେବେ ୨୩ ବର୍ଷରେ ସେ କିଭଳି କରୋନା ଟିକା ନେଲେ ସେହି ଘଟଣାକୁ ନେଇ ବିବାଦ ହୋଇଛି। ଏନ୍ସିପି ମୁଖପାତ୍ର ତଥା ଦକ୍ଷତା ବିକାଶ ମନ୍ତ୍ରୀ ନୱାବ ମଲିକ ଉକ୍ତ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନର ନିୟମ ଅଧୀନରେ ୪୫ ବର୍ଷରୁ କମ୍ ବୟସର ଲୋକ ଟିକା ନେବାପାଇଁ ଯୋଗ୍ୟ ନୁହନ୍ତି। ତେବେ ଫଡ଼ନାବିସଙ୍କ ପୁତୁରା ତନ୍ମୟଙ୍କର କ’ଣ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିଲା ନା’ ସେ ସ୍ବାସ୍ଥ୍ୟକର୍ମୀ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ମଲିକ।
ତନ୍ମୟ ପୂର୍ବତନ ବିଧାୟିକା ଶୋଭା ଫଡ଼ନାବିସଙ୍କ ନାତି। ଗତକାଲି ସେ ନାଗପୁରର ନ୍ୟାସନାଲ୍ କ୍ୟାନସର୍ ଇନଷ୍ଟିଚ୍ୟୁଟ୍ରେ ଟିକା ନେଇଥିବା ବେଳେ ଏହାର ଏକ ଫଟୋ ଇନଷ୍ଟାଗ୍ରାମ୍ରେ ପୋଷ୍ଟ୍ କରିଥିଲେ। ତେବେ ଅତି ସାଂଘାତିକ ଭାବେ ଟ୍ରୋଲ୍ ହେବାପରେ ଏବଂ ତାଙ୍କୁ ତାଙ୍କ ବୟସ ପଚରାଯିବାରୁ ସେ ଏହି ଫଟୋ ଡିଲିଟ୍ କରିଦେଇଥିଲେ। ଅନ୍ୟପକ୍ଷେ ଫଡ଼ନାବିସ କହିଛନ୍ତି, ତନ୍ମୟ ହେଉଛନ୍ତି ତାଙ୍କ ଦୂର ସମ୍ପର୍କୀୟ ଏବଂ ସେ କେଉଁ ବର୍ଗ ଅଧୀନରେ କରୋନା ଟିକା ପାଇଛନ୍ତି ତାହା ତାଙ୍କୁ ଜଣା ନାହିଁ।
Follow Us