ଫେଲ୍‌ ମାରିଲା ରାହୁଲଙ୍କ ରଣନୀତି

Advertisment
ଫେଲ୍‌ ମାରିଲା ରାହୁଲଙ୍କ ରଣନୀତି

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଆଜି ବିରୋଧୀ ମେଣ୍ଟକୁ ବଡ଼ ଝଟ୍‌୍‌କା ଲାଗିଛି ଏବଂ ବିରୋଧୀ ଏକତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡିର ୯ ଜଣ ରାଜ୍ୟସଭା ସାଂସଦଙ୍କ ସମର୍ଥନ ହାସଲ ପାଇଁ ଯେଭଳି ତତ୍ପରତା ଦେଖାଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ୍‌ କଲେ ସେଭଳି ତତ୍ପରତା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନାହିଁ। ବିଜେପି ଟିଆର୍‌୍‌ଏସ୍‌ର ସମର୍ଥନ ହାସଲ କରିବାକୁ ସକ୍ଷମ ହୋଇଥିବା ବେଳେ ଜେଡିୟୁ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପିର ରଣନୀତି ଏନ୍‌୍‌ଡିଏର ସ୍ଥିତିକୁ ସୁଦୃଢ଼ କରିଛି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଆମ୍‌ ଆଦ୍‌୍‌ମି ପାର୍ଟି, ଓ୍ଵାଇଏସ୍‌ଆର୍‌ କଂଗ୍ରେସ ଏବଂ ପିଡିପିର ସମର୍ଥନ ହାସଲ ପାଇଁ କୌଣସି ଉଦ୍ୟମ କରିନଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଭୋଟ୍‌ ଦାନରୁ ଦୂରେଇ ରହିଥିବା ଆମ୍‌୍‌ ଆଦ୍‌୍‌ମି ପାର୍ଟି ଆଜି ରାହୁଲଙ୍କୁ ଏଥିପାଇଁ ସମାଲୋଚନା କରିବା ସହ କଂଗ୍ରେସକୁ ଏକ ଅକୃତଜ୍ଞ ଦଳ ଭାବେ ବର୍ଣ୍ଣନା କରିଛି। ୨୦୧୯ ନିର୍ବାଚନରେ ବିରୋଧୀ ମେଣ୍ଟରେ ଆପ୍‌ ସାମିଲ ହେବନାହିଁ ବୋଲି ଆଜି ଘୋଷଣା କରିଛି। ଶେଷ ମୁହୂର୍ତ୍ତରେ କଂଗ୍ରେସ ଅଧ୍ୟକ୍ଷ ନିଜ ଦଳର ପ୍ରାର୍ଥୀଙ୍କୁ ବିରୋଧୀ ମେଣ୍ଟ ଉପରେ ଲଦି ଦେବାରୁ ଏହା ପରାଜୟର ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଉଛି।

ଏନ୍‌୍‌ଡିଏରେ ଅସନ୍ତୁଷ୍ଟ ରହିଥିବା ଦଳମାନଙ୍କୁ ମନାଇବା ପାଇଁ ରାହୁଲ କୌଣସି ଉଦ୍ୟମ କରିନଥିବା ବେଳେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଏନ୍‌୍‌ଡିଏର ସ୍ଥିତିକୁ ମଜବୁତ କରିବା ପାଇଁ ଏହି ନିର୍ବାଚନକୁ ଏକ ମଉକା ଭାବେ ଗ୍ରହଣ କରିଥିଲେ। ଏଥିପାଇଁ ବିଜେପି ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ପ୍ରସ୍ତାବକୁ ଗ୍ରହଣ କରି ହରିବଂଶଙ୍କୁ ଏନ୍‌୍‌ଡିଏ ପ୍ରାର୍ଥୀ କରିବା ସହ ତାଙ୍କର ବିଜୟକୁ ସୁନିଶ୍ଚିତ କରିବା ପାଇଁ ରଣନୀତି ତୟାର କରିଥିଲା। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଚୟନରେ ଅହେତୁଳ ବିଳମ୍ବ କରିବାରୁ ଦଳର ସମସ୍ୟା ବଢ଼ିଯାଇଥିଲା। ଏନ୍‌୍‌ସିପି ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ ଦେବାକୁ ପଛଘୁଂଚା ଦେବାପରେ ବିକେ ହରିପ୍ରସାଦଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଚଳିତ ମୌସୁମୀ ଅଧିବେଶନରେ ଅନାସ୍ଥା ଭୋଟ୍‌ରେ ବିରୋଧୀଙ୍କୁ ବିରାଟ ଧକ୍କା ଲାଗିଥିବା ବେଳେ ଆଜି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏହାର ପୁନରାବୃତ୍ତି ହୋଇଛି। ଯଦି କଂଗ୍ରେସ ଟିଡିପି କିମ୍ବା ଅନ୍ୟ କୌଣସି ବିରୋଧୀ ଦଳର ନେତାଙ୍କୁ ପ୍ରାର୍ଥୀ କରିଥାନ୍ତା ତା’ହେଲେ ବିଜୟ ସୁନିଶ୍ଚିତ ହୋଇଥାନ୍ତା ବୋଲି ବିରୋଧୀ ନେତାମାନେ ଏବେ ବୟାନ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe