ପାକ୍‌ ଗୋଳାବର୍ଷା, ୫ ମୃତ

ଏଲ୍‌ଓସିରେ ତୀବ୍ର ଉତ୍ତେଜନା

ପାକ୍‌ ଗୋଳାବର୍ଷା, ୫ ମୃତ

India Kashmir Clashes

ଶ୍ରୀନଗର: ରାଷ୍ଟ୍ରଦୂତଙ୍କୁ ନିର୍ଯାତନା ପ୍ରସଙ୍ଗକୁ ନେଇ ସମ୍ପ୍ରତି ପଡ଼ୋଶୀ ପାକିସ୍ତାନ ସହ କୂଟନୈତିକ ସମ୍ପର୍କ ଆହୁରି ତିକ୍ତ ହୋଇ ଚାଲିଥିବା ବେଳେ ଆଜି ସକାଳେ ଜମ୍ମୁ କଶ୍ମୀରର ନିୟନ୍ତ୍ରଣ ରେଖା ନିକଟ ବାଲାକୋଟ୍‌ ଇଲାକାରେ ପାକିସ୍ତାନର ସାଂଘାତିକ ଅସ୍ତ୍ରବିରତି ଉଲ୍ଲଂଘନ ପରିସ୍ଥିତିକୁ ଗମ୍ଭୀର କରିଦେଇଛି। ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ମେଣ୍ଢର ଉପଖଣ୍ଡର ବାଲାକୋଟ୍‌ ଥାନା ଅଧୀନ ଦେବତା ସର୍ଗଲୁନ୍‌ ଗାଁରେ ପାକ୍‌ ରେଞ୍ଜର୍ସଙ୍କ ଗୋଳାମାଡ଼ରେ ଆଜି ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନାବାଳିକା ଗୁରୁତର ଭାବେ ଆହତ ହୋଇଛନ୍ତି। ସେନା ଶିବିର ଓ ପୁଲିସ ପରେ ପାକ୍‌ ସେନା ଏପରି ସୀମା ନିକଟ ଗ୍ରାମ ଓ ନିରୀହ ଜନତାଙ୍କୁ ନିଶାଣ କରିବା ଘଟଣା ଭାରତୀୟ ସେନାକୁ ଦୃଢ଼ ଜବାବ ପାଇଁ ଆହ୍ଵାନ କରିଛି। ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୭ଟା ୪୫ରୁ ସାଢ଼େ ୧୧ଟା ଯାଏ ପାକ୍‌ ସେନା ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟ ଗ୍ରାମକୁ ଲକ୍ଷ୍ୟ କରି ବିମ୍ବର ଗଲିରେ ପ୍ରବଳ ଗୁଳିବର୍ଷା ସାଙ୍ଗକୁ ଗୋଳାମାଡ଼ ଜାରି ରହିଥିଲା। ବିଶେଷ କରି ସାଧାରଣ ଧନଜୀବନକୁ ଲକ୍ଷ୍ୟ କରି ପାକିସ୍ତାନର ଏପରି ଅସ୍ତ୍ର ବିରତି ଉଲ୍ଲଂଘନ ହୋଇଥିବା ଜଣାଯାଇଛି। ଏଥିରେ ସର୍ଗଲୁନ୍‌ ଗାଁର ମହମ୍ମଦ ରାମଜାନ୍‌(୩୫), ତାଙ୍କ ପତ୍ନୀ ମଲିକା ବାଇ(୩୨) ଏବଂ ସେମାନଙ୍କ ତିନି ପୁଅ ଅବଦୁଲ୍‌ ରେହମନ(୧୪), ମହମ୍ମଦ ରିଜ୍‌୍‌ଓ୍ଵାନ୍‌(୧୨) ଏବଂ ରଜାକ୍‌ ରାମଜାନ୍‌(୭)ଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ମହମ୍ମଦ ରାମଜାନ୍‌ଙ୍କ ଦୁଇ ଝିଅ ନସରିନ୍‌ କୌସର(୧୧) ଏବଂ ମହରିନ୍‌ କୌସର(୫) ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନେ ଏବେ ଜମ୍ମୁ ସରକାରୀ ହସ୍ପିଟାଲ୍‌ରେ ଚିକିତ୍ସିତ ଥିବା ବେଳେ ଅବସ୍ଥା ସଂକଟାପନ୍ନ ରହିଛି। ଅପରପକ୍ଷେ, ପାକ୍‌ ରେଞ୍ଜର୍ସଙ୍କ ଏଭଳି ଭୀରୁ ପଦକ୍ଷେପର କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନମାନେ। ଭାରତ ପଟୁ ପାଲଟା ଗୁଳିଚାଳନା ପରେ ପରେ ପାକିସ୍ତାନର ଗୋଳାବର୍ଷା ବନ୍ଦ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଦୁଇ ଦେଶର ତଥାକଥିତ ନିୟନ୍ତ୍ରଣ ରେଖା ନିକଟରେ ଦୀର୍ଘ ବର୍ଷେ ହେଲା ଉତ୍ତେଜନା ବଢ଼ିବାରେ ଲାଗିଛି। କଶ୍ମୀର ଉପତ୍ୟକାରେ ସୀମାପାର ଆତଙ୍କବାଦୀ ଆକ୍ରମଣ ଯୋଗୁୁଁ ଅସ୍ଥିରତା ଲାଗି ରହିଥିବା ବେଳେ ସୀମାରେ ପାକିସ୍ତାନର ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ପରିସ୍ଥିତିର ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି। ଚଳିତ ବର୍ଷ ପ୍ରଥମ ଦୁଇ ମାସ ଭିତରେ ପାକିସ୍ତାନ ୬୩୩ ଥର ଅସ୍ତ୍ର ବିରତି ଉଲ୍ଲଂଘନ କରିଥିବା ବେଳେ ସେଥିରେ ୧୦ ଜଣ ଭାରତୀୟ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି। ଏଥି ସହିତ ୧୨ ଜଣ ସାଧାରଣ ନାଗରିକ ମଧ୍ୟ ଆଖି ବୁଜିଛନ୍ତି। ଗତ ସପ୍ତାହରେ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଏବଂ ତାଙ୍କ ପରିବାରକୁ ଯାବତୀୟ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଉଠିଥିବା ବେଳେ ପାକିସ୍ତାନ ମଧ୍ୟ ଅନୁରୂପ ଅଭିଯୋଗ ଆଣି ନୂଆଦିଲ୍ଲୀରୁ ନିଜ ରାଷ୍ଟ୍ରଦୂତଙ୍କୁ ସ୍ୱଦେଶ ଫେରାଇନେଇଛି। ଏପରିକି ଆସନ୍ତା ୧୯ରୁ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ର ବୈଠକରେ ଯୋଗଦେବନି ବୋଲି ପାକିସ୍ତାନ ଘୋଷଣା କରିଛି। ଏ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଦ୍ୱିପାକ୍ଷିକ ସମ୍ପର୍କ ଭୀଷଣ ଭାବରେ ତିକ୍ତ ହୋଇ ଚାଲିଥିବା ବେଳେ ଆଜି ପାକିସ୍ତାନର ଏପରି ଅସ୍ତ୍ର ବିରତି ଉଲ୍ଲଂଘନରେ ୫ ଜଣ ସାଧାରଣ ନିରୀହ ଜନତାଙ୍କ ପ୍ରାଣହାନି ଘଟଣା ଭାରତ ପାଇଁ ଗମ୍ଭୀର ଚିନ୍ତାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe