ଫରିଦାବାଦ: ଫରିଦାବାଦର ବଲ୍ଲଭଗଡ଼ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। କ୍ଲିନିକ୍ ଚଳାଉଥିବା ୩୪ ବର୍ଷୀୟା ଡାକ୍ତରଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ତେବେ ମହିଳାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ତାଙ୍କ ସ୍ବାମୀ ଓ ସ୍ବାମୀଙ୍କ ଭାଇ ହତ୍ୟା କରିଛନ୍ତି।
ପୀଡ଼ିତା ପ୍ରିୟଙ୍କାଙ୍କ ହତ୍ୟାର କିଛି ଘଣ୍ଟା ପରେ ତାଙ୍କ କ୍ଲିନିକ୍ ଉପରେ ଥିବା ଏକ କୋଠରୀରୁ ତାଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା। ପୁଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ତଦନ୍ତ ଜାରି ରହିଛି।
୧୪ ଏବଂ ୧୦ ବର୍ଷ ବୟସର ଦୁଇଟି ସନ୍ତାନର ମାଆ ପ୍ରିୟଙ୍କା ତାଙ୍କ ସ୍ୱାମୀ ଲକ୍ଷ୍ମୀଚାନ୍ଦଙ୍କଠାରୁ ଅଲଗା ରହୁଥିଲେ। ତାଙ୍କ ଭଉଣୀ ପୂଜା ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପୂଜା କହିଛନ୍ତି ଯେ ସେ ଲକ୍ଷ୍ମୀଚାନ୍ଦଙ୍କ ଭାଇ ଭଗତ ସିଂହଙ୍କ ସହିତ ବିବାହ କରିଥିଲେ, କିନ୍ତୁ ଉଭୟଙ୍କ ମଧ୍ୟରେ ନପଡ଼ିବାରୁ ଉଭୟ ଅଲଗା ହୋଇଯାଇଥିଲେ।
"ମୋ ଭଉଣୀ ଗତକାଲି ମୋତେ ଫୋନ୍ କରିଥିଲେ। ସେ କହିଥିଲେ, 'ସେମାନେ ମୋତେ ମାରିଦେବେ'। ମୁଁ ତାଙ୍କୁ ଭେଟି ଘରକୁ ନେଇଗଲି। ସେ ପରେ କହିଥିଲେ ଯେ ସେ କିଛି ଜରୁରୀ ଜିନିଷ ନେବା ପାଇଁ କ୍ଲିନିକ୍ ଯିବି। ସେମାନେ ମୋ ଭଉଣୀଙ୍କୁ ହତ୍ୟା କରିଛନ୍ତି। ଆମେ ପିଲାମାନଙ୍କ ପାଇଁ ମଧ୍ୟ ଭୟଭୀତ," ବୋଲି ପୂଜା କହିଛନ୍ତି।
ପୂଜା କହିଛନ୍ତି ଯେ ତାଙ୍କ ଭଉଣୀ ଘରୋଇ ହିଂସାର ଶିକାର ହୋଇଥିଲେ। ସେମାନେ ପୂର୍ବରୁ ତାଙ୍କର ଗୋଡ ଭାଙ୍ଗି ଦେଇଥିଲେ ଏବଂ ତାଙ୍କୁ ଛୁରୀ ମାରିଥିଲେ।
Follow Us