India Today
ଚଣ୍ଡୀଗଡ଼: ଦୁଇଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଚାଲିଥିବା ସଶସ୍ତ୍ର ସଂଘର୍ଷକୁ ନିୟନ୍ତ୍ରଣ କରିବାକୁ ଯାଇଥିବା ବେଳେ ଆଜି ମଧ୍ୟାହ୍ନରେ ଫରିଦ୍କୋଟ୍ର ପୋଲିସ୍ ଡିଏସ୍ପି ଗୋଟିଏ ଗୋଷ୍ଠୀର ଛାତ୍ରଙ୍କ ଗୁଳିମାଡ଼ରେ ସହିଦ ହୋଇ ଯାଇଛନ୍ତି। ଡିଏସ୍ପିଙ୍କ ଅଙ୍ଗରକ୍ଷୀ ମଧ୍ୟ ଏହି ଘଟଣାରେ ଗୁରୁତର ହୋଇ ହସ୍ପିଟାଲରେ ବଞ୍ଚିବା ପାଇଁ ସଂଗ୍ରାମ ଚଳାଇଛନ୍ତି। ଏହି ଦୁଃଖଦ ଘଟଣାରେ ଏବେ ସମଗ୍ର ପଞ୍ଜାବ ସ୍ତବ୍ଧ ହୋଇପଡ଼ିଛି।
ଘଟଣା ସଂପର୍କରେ ସୂଚନା ଦେଇ ଭଟିଣ୍ଡା ରେଞ୍ଜ୍ ଆଇଜି ଏମ୍ଏସ୍ ଚିନ୍ନା କହିଛନ୍ତି ଯେ ଜାତୁ ଠାରେ ଥିବା ପଞ୍ଜାବ ୟୁନିଭରସିଟିର ରିଜୋନାଲ କ୍ୟାମ୍ପସ୍ରେ ଆଜି ପୂର୍ବାହ୍ନରେ ଦୁଇଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ସଶସ୍ତ୍ର ସଂଘର୍ଷ ଆରମ୍ଭ ହୋଇଥିଲା। ଏ ସଂପର୍କରେ ଖବର ପାଇବା ପରେ ଫରିଦ୍କୋଟ୍ ଡିଏସ୍ପି ବଲ୍ଜିନ୍ଦର ସିଂହ ସାନ୍ଧୁ ନିଜର ଅଙ୍ଗରକ୍ଷୀ ଓ ପୋଲିସ୍ ବାହିନୀକୁ ସଙ୍ଗରେ ଧରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳକୁ ଯାଇଥିଲେ।
ଘଟଣାସ୍ଥଳରେ ପହଞ୍ଚି ଡିଏସ୍ପି ସାନ୍ଧୁ ଆନ୍ଦୋଳନରେ ଲିପ୍ତ ଥିବା ଛାତ୍ରମାନଙ୍କୁ ବୁଝାଶୁଝା କରୁଥିବା ବେଳେ ହଠାତ୍ ଗୋଟିଏ ଗୋଷ୍ଠୀ ଛାତ୍ରଙ୍କ ପକ୍ଷରୁ ଡିଏସ୍ପି ସାନ୍ଧୁ ଓ ତାଙ୍କ ଅଙ୍ଗରକ୍ଷୀଙ୍କ ଉପରକୁ ଅତର୍କିିତ ଗୁଳିମାଡ଼ ହୋଇଥିଲା। ଛାତ୍ରଗୋଷ୍ଠୀଙ୍କ ପକ୍ଷରୁ କରାଯାଇଥିବା ଗୁଳି ସିଧା ଯାଇ ଡିଏସ୍ପି ସାନ୍ଧୁଙ୍କ ମୁଣ୍ଡରେ ବାଜିଥିଲା ଓ ସେଇଠି ପଡ଼ି ଯାଇଥିଲେ। ଡିଏସ୍ପି ସାନ୍ଧୁଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଛାତ୍ରଗୋଷ୍ଠୀଙ୍କ ପକ୍ଷରୁ ତାଙ୍କ ଅଙ୍ଗରକ୍ଷୀଙ୍କ ଉପରକୁ ମଧ୍ୟ ଗୁଳିମାଡ଼ ହୋଇଥିଲା। ସଙ୍ଗେସଙ୍ଗେ ଡିଏସ୍ପି ସାନ୍ଧୁ ଓ ତାଙ୍କ ଅଙ୍ଗରକ୍ଷୀଙ୍କୁ ଚିକିତ୍ସା ପାଇଁ ଫରିଦ୍କୋଟ୍ ଡାକ୍ତରଖାନାକୁ ନିଆ ଯାଇଥିଲା। ତେବେ, ସେଠାରେ ଡାକ୍ତରମାନେ ଡିଏସ୍ପି ସାନ୍ଧୁଙ୍କୁ ମୃତ ଘୋଷଣା କରିଥିବା ବେଳେ ତାଙ୍କ ଅଙ୍ଗରକ୍ଷୀ ଏବେ ଗୁରୁତର ଅବସ୍ଥାରେ ସେଠାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣା ସଂପର୍କରେ ପୁଲିସ୍ ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ତେବେ, ଇତିମଧ୍ୟରେ ଏକ ଭିଡିଓ ଚିତ୍ର ଭାଇରାଲ୍ ହୋଇପଡ଼ିଛି, ଯେଉଁଥିରେ ଡିଏସ୍ପି ସାନ୍ଧୁ ଆନ୍ଦୋଳନ ରତ ଛାତ୍ରମାନଙ୍କୁ ବୁଝାଶୁଝା କରୁଥିବା ବେଳେ କିପରି ତାଙ୍କ ଓ ତାଙ୍କ ଅଙ୍ଗରକ୍ଷୀଙ୍କ ଉପରେ ଗୁଳିମାଡ଼ ହେଉଛି ଏବଂ ସେ ସେଠାରେ ଟଳି ପଡ଼ୁଛନ୍ତି ତାହା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ସେହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା କେତେକ ଗଣମାଧ୍ୟମ ପ୍ରତିନିଧି କହିଛନ୍ତି ଯେ ଗୋଟିଏ ଗୋଷ୍ଠୀର କିଛି ଛାତ୍ର ତାଙ୍କ ସର୍ଭିସ୍ ରିଭଲଭର୍କୁ ତାଙ୍କ ଠାରୁ ଛଡ଼ାଇନେବା ସହ ସେଥିରେ ତାଙ୍କୁ ଓ ତାଙ୍କ ଅଙ୍ଗରକ୍ଷୀଙ୍କୁ ଗୁଳି କରିଥିଲେ।
Follow Us