ପୁଅର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସଫଳତା ହାସଲ ପାଇଁ ଆଶୀର୍ବାଦ ଦେବାକୁ ୭୦୦ ଅତିଥିଙ୍କୁ ନିମନ୍ତ୍ରଣ କରି ଆପ୍ୟାୟିତ କଲେ ଗରିବ ଚାଷୀ

Advertisment
ପୁଅର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସଫଳତା ହାସଲ ପାଇଁ ଆଶୀର୍ବାଦ ଦେବାକୁ ୭୦୦ ଅତିଥିଙ୍କୁ ନିମନ୍ତ୍ରଣ କରି ଆପ୍ୟାୟିତ କଲେ ଗରିବ ଚାଷୀ

Hindustan Times

କୋଲକାତା: ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ରାଜବ ଅଲ୍ଲୀ ନାମକ ଜନୈକ ଗରିବ ଚାଷୀ ନିଜର ଏକମାତ୍ର ପୁତ୍ର ସମିମ୍‌ ଶେଖ୍‌କୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପାଇଁ ଆଶୀର୍ବାଦ ଦେବାକୁ ୭୦୦ ଗ୍ରାମବାସୀଙ୍କୁ ନିମନ୍ତ୍ରଣ କରିବା ଓ ସେମାନଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜବଙ୍କ ପୁତ୍ର ସମିମ୍‌ ହେଉଛନ୍ତି ତାଙ୍କ ପରିବାରର ସର୍ବ ପ୍ରଥମ ବ୍ୟକ୍ତି ଯିଏକି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ।

ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ଚାରବାବୁପୁର ଗ୍ରାମର ରାଜବ ଅଲ୍ଲୀ ଭାଗବାଙ୍ଗୋଲା ଅଞ୍ଚଳରେ ଥିବା ନିଜର ଏକ ଛୋଟ ପୈତୃକ ଜମିରେ ଚାଷ କରି ନିଜର ପରିବାର ପ୍ରତିପୋଷଣ କରନ୍ତି। ତେବେ, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ନିଜ ପୁଅ ସମିମ୍‌ ପାଇଁ ଏହିପରି ଏକ ଉତ୍ସବର ଆୟୋଜନ ନିମନ୍ତେ ସେ ଗତ ଏକବର୍ଷ ତଳୁ ଅର୍ଥ ସଞ୍ଚୟ କରି ରଖିଥିଲେ।
ଏ ସଂପର୍କରେ ରାଜବ କହନ୍ତି, ‘କିଛି ବର୍ଷ ପୂର୍ବେ ମୋତେ କେତେକ ଲୋକ କହିଥିଲେ ଯେ ମୁଁ ଯଦି ଅତିଥିମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ଆପ୍ୟାୟିତ କରିବା ସହ ସେମାନଙ୍କ ଆଶୀର୍ବାଦ ଭିକ୍ଷା କରେ ମୋ ପୁଅ ବୋର୍ଡ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବ। ଏକଥା ଶୁଣିବା ପରେ ଏପରି କରିବା ପାଇଁ ମନସ୍ଥ କରି ମୁଁ ଅର୍ଥ ସଞ୍ଚୟ କରିବା ଆରମ୍ଭ କରି ଦେଇଥିଲି। କାଳେ କିଏ ଭାବିବେ ଯେ ମୁଁ ଉପଯୁକ୍ତ ମର୍ଯ୍ୟାଦା ଦେଇ ସେମାନଙ୍କୁ ନିମନ୍ତ୍ରଣ କରୁନାହିଁ; ସେଥିପାଇଁ ମୁଁ ଏକ ସ୍ୱତନ୍ତ୍ର ନିମନ୍ତ୍ରଣ କାର୍ଡ ମଧ୍ୟ ଛପାଇଥିଲି।’

ନିଜର ଅତୀତକୁ ରୋମନ୍ଥନ କରି ରାଜବ କହନ୍ତି, ‘ମୁଁ ଯେତେବେଳେ ପିଲାଥିଲି, ସେତେବେଳେ ଏକ ଡାକ୍ତର ହେବାକୁ ଚାହିଁଥିଲି। ହେଲେ, ଦାରିଦ୍ର୍ୟ କାରଣରୁ ଏହା ସମ୍ଭବ ହେଲା ନାହିଁ। ମୋ ବାପା ଆମ ଛଅ ଭାଇଭଉଣୀଙ୍କୁ କେବଳ ଖାଦ୍ୟ ଦେବାରେ ସମର୍ଥ ଥିଲେ। ଆମକୁ ପାଠ ପଢ଼ାଇବା ପାଇଁ ତାଙ୍କର ସାମର୍ଥ୍ୟ ନଥିଲା। ସେଥିପାଇଁ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ମୋତେ ଅଧାରୁ ପାଠ ଛାଡ଼ି ବାପାଙ୍କ ସହ ଜମିରେ ଯାଇ ଚାଷ କରିବାକୁ ପଡ଼ିଥିଲା। ସେତେବେଳକୁ ମୋ ବୟସ ୧୦ ବର୍ଷ ବି ହୋଇ ନଥିଲା।’

ସେଥିପାଇଁ ମୁଁ ଚାହେଁ ମୋର ଏକମାତ୍ର ପୁଅ ସମିମ୍‌ ଯେପରି କେଉଁଥିରୁ ବଞ୍ଚିତ ନ ହେଉ। ମୋ ପୁଅ ଯେପରି ତା’ର ଜୀବନରେ ଅଧିକରୁ ଅଧିକ ଉନ୍ନତି କରୁ ସେଥିପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଅଛି। ମୁଁ ଚାହେଁ ମୋ ପୁଅ ମୋ ସ୍ୱପ୍ନ ପୂରଣ କରୁ, ବୋଲି କହିଛନ୍ତି ରାଜବ।

ସମିମ୍‌କୁ ଆଶୀର୍ବାଦ ଦେବା ଉଦ୍ଦେଶ୍ୟରେ ଆୟୋଜିତ ମଧ୍ୟାହ୍ନ ଭୋଜନରେ ରାଜବ ଯଦିଓ ସେପରି କୌଣସି ଭୂରିଭୋଜନର ଆୟୋଜନ କରିପାରି ନଥିଲେ, ତଥାପି ଭାତ, ଡାଲି, କୁକୁଡ଼ା ତରକାରୀ, ପରିବା ଭଜା, ମିଠା ଓ ଦହି ଦେଇ ସମସ୍ତ ଅତିଥିଙ୍କୁ ଆପ୍ୟାୟିତ କରିଥିଲେ। ରାଜବ ନିମନ୍ତ୍ରଣ କରିଥିବା ସମସ୍ତ ଅତିଥି ଏହି ଉତ୍ସବରେ ଯୋଗ ଦେଇଥିଲେ ଓ ସାଧ୍ୟମତେ ପେନ୍‌, ପେନ୍‌ସିଲ୍‌, ବହି, ହାତଘଣ୍ଟା ପ୍ରଭୃତି ଉପହାର ଦେଇ ସମିମ୍‌କୁ ଆଶୀର୍ବାଦ ଦେଇଥିଲେ। ରାଜବ କହନ୍ତି, ଉପହାର ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ; ବଡ଼କଥା ହେଉଛି ନିମନ୍ତ୍ରଣ ରକ୍ଷା କରି ଅତିଥିମାନେ ମୋ ଘରକୁ ଆସିଲେ ଆଉ ମୋ ପୁଅକୁ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ଆଶୀର୍ବାଦ ଦେବା ସହ ଈଶ୍ୱରଙ୍କ ନିକଟରେ ପ୍ରର୍ଥନା କଲେ ସେଇଟା ହିଁ ମୋ ପାଇଁ ଓ ସମିମ୍‌ ପାଇଁ ସବୁଠାରୁ ବଡ଼ ଉପହାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe