ସରକାରଙ୍କୁ ଚାଷୀ ନେତାଙ୍କ ଜବାବ, ବନ୍ଧୁକ ମୁନରେ ଆଲୋଚନା ପାଇଁ ଯିବୁନାହିଁ

ପୁଲିସ ମୁତୟନ ପଛରେ ଷଡ଼ଯନ୍ତ୍ର ଅଭିଯୋଗ, ଆନ୍ଦୋଳନସ୍ଥଳରେ ପହଞ୍ଚିଲେ ଅଧିକ କୃଷକ

ସରକାରଙ୍କୁ ଚାଷୀ ନେତାଙ୍କ ଜବାବ, ବନ୍ଧୁକ ମୁନରେ ଆଲୋଚନା ପାଇଁ ଯିବୁନାହିଁ

ନୂଆଦିଲ୍ଲୀ: ଦିଲ୍ଲୀର ବିଭିନ୍ନ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି ହଜାର ହଜାର ସଂଖ୍ୟାରେ ଚାଷୀ ପଂଜାବ, ରାଜସ୍ଥାନ, ହରିୟାଣା ଏବଂ ଉତ୍ତରପ୍ରଦେଶରୁ ଆସି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଚାଷୀ ଆନ୍ଦୋଳନର ପ୍ରମୁଖ ନେତା ରାକେଶ ଟିକାୟତ ଦିଲ୍ଲୀ ହିଂସା ମାମଲାରେ ଅଟକ ଥିବା ଯୁବ ଚାଷୀମାନଙ୍କୁ ତୁରନ୍ତ ଖଲାସ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ତ୍ରିରଙ୍ଗା କେବଳ ପ୍ରଧାନମନ୍ତ୍ରୀଙ୍କର ନୁହେଁ। ଯେଉଁମାନେ ତ୍ରିରଙ୍ଗାକୁ ଅପମାନ କରିଛନ୍ତି ସେମାନଙ୍କୁ ପୁଲିସ ଗିରଫ କରିବା ଆବଶ୍ୟକ। ଆମେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ କରୁଛୁ କିନ୍ତୁ ବନ୍ଧୁକ ମୁନରେ କଦାପି ଆଲୋଚନା ପାଇଁ ଯିବୁ ନାହିଁ ବୋଲି ଟିକାୟତ କହିଛନ୍ତି।

କଥାବାର୍ତ୍ତା ପାଇଁ ସରକାର ଯଦି କୌଣସି ସର୍ତ୍ତ ରଖିବେ ନାହିଁ ଏବଂ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ହୋଇ ବିଚାର କରିବେ ତା’ହେଲେ ହିଁ ସମାଧାନର ରାସ୍ତା ଫିଟିବ ବୋଲି ସେ କହିଛନ୍ତି। ‘ନରେନ୍ଦ୍ର ମୋଦୀ ଆମର ମଧ୍ୟ ପ୍ରଧାନମନ୍ତ୍ରୀ, ଆମେ ତାଙ୍କୁ ଭୋଟ୍‌ ଦେଇଛୁ। ଆମେ ଉଚିତ ବାତାବରଣରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ’ ବୋଲି ସେ କହିଛନ୍ତି। ଚାଷୀମାନେ ଆନ୍ଦୋଳନ କରୁଥିବା ଅଂଚଳରେ ଏବେ ଅସାମାଜିକମାନେ ସକ୍ରିୟ ହୋଇଉଠିଛନ୍ତି ଏବଂ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ ହେଉଛି ବୋଲି ଟିକାୟତ କହିଛନ୍ତି। ଆନ୍ଦୋଳନସ୍ଥଳରେ ବଡ଼ ଧରଣର ପୁଲିସ ମୁତୟନ ମଧ୍ୟ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନକାରୀ କୃଷକମାନେ ଦିଲ୍ଲୀରେ ଘଟାଇଥିବା ବ୍ୟାପକ ହିଂସା ପାଇଁ ସମଗ୍ର ଦେଶ ବ୍ୟଥିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ମତ ରଖିବା ପରେ ଚାଷୀ ନେତା ରାକେଶ ଟିକାୟତ ଏହାର ଜବାବରେ ଏଭଳି ମତ ରଖିଛନ୍ତି।

ଅନ୍ୟପକ୍ଷରେ ସିଂଘୁ ଓ ଗାଜିଆବାଦ ସୀମାରେ ସ୍ଥାନୀୟ ଲୋକେ ଆନ୍ଦୋଳନସ୍ଥଳରୁ ଚାଷୀଙ୍କୁ ହଟାଇବା ପାଇଁ ମଧ୍ୟ ଉଦ୍ୟମ କରୁଥିବାରୁ ଏହାକୁ ନେଇ ମଧ୍ୟ ଉତ୍ତେଜନା ଲାଗି ରହିଛି। ପୁଲିସ ପ୍ରଶାସନ ଏ ଦିଗରେ ଅହରହ ନଜର ରଖିଛି ଏବଂ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ହିଂସା ମାମଲାରେ ସିସିଟିଭି ଫୁଟେଜ୍‌ ଆଧାରରେ ଆଜି ପୁଲିସ ଆଉ ୫୦ ଜଣଙ୍କୁ ନୋଟିସ୍‌ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe